ଜୟପାଟଣା, (ଶେଷଦେବ ବେହେରା) : ଖାଦ୍ୟ ସୁରକ୍ଷା ଯୋଜନା ଅନେକଙ୍କ ପେଟର ଜ୍ଵାଳାକୁ ଲିଭାଇବାରେ ସକ୍ଷମ ହୋଇପାରିଥିଲା । କିନ୍ତୁ ବ୍ୟବସ୍ଥାଗତ କଟକଣା ଏବେ ବି ଅନେକ ବୃଦ୍ଧବୃଦ୍ଧାଙ୍କ ଭୋକିଲା ପେଟରେ ଆହାର ଯୋଗାଇବା ପାଇଁ ଅକ୍ଷମତା ପ୍ରକାଶ କରୁଥିବା ବେଳେ ଗରିବଙ୍କ ଭିତରେ ବଞ୍ଚି ରହିଥିବା ମାନବିକତା, ଆଜିବି ସହଯୋଗିତାର ହାତ ବଢ଼ାଇବାରେ ସହାୟକ ହେଉଛି । କେବଳ ବଞ୍ଚିବା ପାଇଁ ଆହାର ଅପେକ୍ଷାରେ ନିଃସହାୟ ଭାବରେ ପଡ଼ି ରହିଥିବା ମଣିଷମାନଙ୍କ ପାଖକୁ ପ୍ରଶାସନ ପହଞ୍ଚିବାରେ ବିଫଳ ହେଲା ବେଳକୁ ଠିକ୍ ସେତିକି ବେଳକୁ ଗରିବଙ୍କ ଭିତରୁ କେହିନା କେହି ଦେବଦୂତ ସାଜି ସାମ୍ନାକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହାର ଏକ ଶକ୍ତ ଉଦାହରଣ ବାଙ୍ଗ୍ଟିସାହାଜ୍ ଗ୍ରାମରେ ଏକାକିନୀ ଜୀବନ ବିତାଉ ଥିବା ଲକ୍ଷ୍ମୀ ବେୱା (୮୫)ଙ୍କ ପାଖରେ ମିଳେ । ଜୀବନ ସଂଗ୍ରାମରେ ପୁଅ, ଝିଅ ଓ ସ୍ଵାମୀଙ୍କୁ ହରାଇ ସାରିଥିବା ଲକ୍ଷ୍ମୀ ଏବେ ସମ୍ପୂର୍ଣ୍ଣ ଭାବରେ ପରାଶ୍ରିତା । ଗାଁରେ ପହଞ୍ଚିଲା ବେଳକୁ ଗୋଟିଏ ତାଟିଆରେ ପଖାଳ ମୁଠାଏ ଖାଉଥିବାର ଦେଖିବାକୁ ମିଳିଥିଲା । ଆଖିର ଆଲୋକ ମଉଳି ସାରିଥିବା ବେଳେ ନିକଟ ସମ୍ପର୍କୀୟ ଆଦିତ୍ୟ ଯାନିଙ୍କ ସାମାନ୍ୟ ସହଯୋଗ ଲକ୍ଷ୍ମୀଙ୍କ ପାଇଁ ବଞ୍ଚିରହିବାର ସୁଯୋଗ ସୃଷ୍ଟି କରିଛି ବୋଲି ପଡୋଶୀମାନେ ପ୍ରକାଶ କରନ୍ତି । ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳୀ ପଞ୍ଚାୟତର ୧୪ ନମ୍ବର ୱାର୍ଡରେ ଅବସ୍ଥିତ ବାଙ୍ଗ୍ଟିସାହାଜ ଗାଁ ଘର ସଂଖ୍ୟା ୨୭ ଥିବାବେଳେ ଜନ ସଂଖ୍ୟା ୮୫ରେ ପହଞ୍ଚି ସାରିଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପ୍ରଶାସନର ଉପସ୍ଥିତି ବହୁତ୍ କମ୍ ଦେଖିବାକୁ ମିଳେ । ଏକ ସାଙ୍କେତିକ ଜୀବନ ଜିଉଁ ଥିବାର ଲକ୍ଷ୍ମୀ ବେୱାଙ୍କ ପରିବାରର ସମସ୍ତେ ଆରପାରିକୁ ଚାଲିଯିବା ପରେ ଭତ୍ତା ଓ ଅନ୍ନପୂର୍ଣ୍ଣା ଯୋଜନାରେ ମିଳୁଥିବା ଚାଉଳ ଜୀବନ ବଞ୍ଚାଇବା ପାଇଁ ସବୁକିଛି ଥିଲା । ଏବେ ଆଧାର କାର୍ଡ ନାହିଁ ବୋଲି ସେସବୁ ମଧ୍ୟ ପାଖରୁ ଦୂରେଇ ଗଲା । ଆଖିକୁ ପୁରାପୁରି ଦିଶୁ ନଥିବାବେଳେ କାମ କରିବା ବୟସ ମଧ୍ୟ ଚାଲିଯାଇଛି । ଠିକ୍ ଏତିକି ବେଳେ ଲକ୍ଷ୍ମୀଙ୍କୁ ପିଉସୀ ଡାକୁ ଥିବା ଆଦିତ୍ୟ ମୂଳ ଲାଗି ଲକ୍ଷ୍ମୀ ଦୁଇମୁଠା ପଖାଳର ଅଭାବ କରୁ ନଥିବା ପଡିଶାମାନେ ପ୍ରକାଶ କରନ୍ତି । ଆଦିତ୍ୟ ପିଉସୀ ପାଇଁ ସମସ୍ତ ପ୍ରକାର ସହଯୋଗ ପାଇଁ ସଂକଳ୍ପ ରଖିଥିବା ବେଳେ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କେବେ ଚେତିବେ ତାହା ଦେଖିବାର ବେଳ ଆସିଛି ।
Next Post