ଲୋଇସିଂହାରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଜେଡିର ଗୋଟିଏ ସ୍ୱର – ଶ୍ରେଷ୍ଠ ଓଡିଶା ଗଢିବା ସଂକଳ୍ପ ନେଇ ଆଜିର ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ତଥା ସାଂସଦ କଲିକେଶ ନାରାୟଣ ସିଂଦେଓଙ୍କ ଗୋଷ୍ଠୀ ପୂର୍ବ ତିକ୍ତତା ଓ ମନୋମାଲିନ୍ୟ ଭୁଲି ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଏପରିକି ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବ୍ଲକ ଉପାଧ୍ୟକ୍ଷ ଯତୀନ ପଟେଲ ମଧ୍ୟ ବିଜେଡି ଚିହ୍ନ ଥିବା ଦଳୀୟ ଫିତା ବେକରେ ପକାଇ ଦଳୀୟ କର୍ମୀଙ୍କ ସହିତ ଖୁସି ଗମାତ କରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଏକ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ୟ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗଦେଇ ବିଜୁ ଜନତା ଦଳର ଗଠନ, ଆଦର୍ଶାବଳୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସୁଦୀର୍ଘ ୨୪ ବର୍ଷ ଯାତ୍ରାର ଇତିହାସ ଉପରେ ଅଭିଭାଷଣ ରଖିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ବିଜେଡି ନେତା ହରେକୃଷ୍ଣ ଷଡଙ୍ଗୀ ଯୋଗଦେଇ ଦୁର୍ନୀତି ବିରୁଦ୍ଧରେ ବିଜେଡିର ଲଢେଇ ସାଙ୍ଗକୁ ନାରୀଙ୍କୁ ସମ୍ମାନ ଓ ସାଧାରଣ ଜନତାଙ୍କ ବିକାଶ ଦିଗରେ ଦଳ ବଦ୍ଧ ପରିକର ବୋଲି ମତବ୍ୟକ୍ତ କରିଥିଲେ ।  ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବିନୟ ପଧାନ, ସମ୍ପାଦକ ଆଶିଷ ସିଂଦେଓ ଓ ଅଶୋକ ବରିହା, ଉପ ସଭାପତି ସୁରେଶ ନାଏକ ଓ ନିତେଶ ଅଗ୍ରୱାଲ, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ରୋହିତ ସାହୁ, ଅନନ୍ତ ନାରାୟଣ ପଧାନ,ବିଷ୍ଣୁ ପଟେଲ, କୁନାଲ ଭୋଇ ପ୍ରମୁଖ ଉଦବୋଧନ ଦେଇଥିଲେ । ପରିଶେଷରେ ବିଜେଡିର ବ୍ଲକ ଯୁବ ସଭାପତି ନାରାୟଣ ସାହୁ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!