ଧାଙ୍ଗଡି ଦୋଳାରେ ମସ୍‌ଗୁଲ୍‌ ଆଦିବାସୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ରବିବାର ଆଦିବାସୀ ସଂସ୍କୃତିର ମହାନ ପର୍ବ ଟୋକି ପର୍ବ ରବିବାର ଉଦ୍‌ଯାପିତ ହୋଇଥିବା ବେଳେ ଆଜି ଧାଙ୍ଗଡି ଦୋଳା ପର୍ବ ପାଳନ କରାଯାଇଛି । ଟୋକି ପର୍ବ ଦିନ ହୋଇଥିବା ରାଗରୋଷକୁ ଭୁଲିବା ପାଇଁ ଟୋକି ପର୍ବ କମିଟି ଦ୍ୱାରା ଏହି ଧାଙ୍ଗଡି ଦୋଳାର ଆୟୋଜନ କରାଯାଇଥିଲା । ଟୋକି ପର୍ବ ପାଳନ କରୁଥିବା ତୋତ୍ରା ଗୁଡା, ଖଣ୍ଡି ଡ଼ଙ୍ଗରି ଗୁଡା ଏବଂ ମାଟିଆ ପଡା ଆଦି ଗ୍ରାମର ଯୁବକ ଯୁବତୀମାନେ ଏହି ଦିନ ଧରଣୀ ନିକଟରେ ଏକତ୍ରିତ ହୋଇ ପରବ ବାଜାର ତାଳେ ତାଳେ ମସ୍‌ଗୁଲ୍‌ ହୋଇ ଉଠିଥିଲେ । ଗାଁର ଗୌନ୍ତିଆ, ନିମନ୍ତ୍ରିତ ଅତିଥି, ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଏକ ଖଟିଆରେ କାନ୍ଧେଇ ଯୁବକମାନେ ବାଜାର ତାଳେ ତାଳେ ନଚେଇବା ଦୃଶ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ଯାନୀ, ଦିଶାରୀ, ଗୁରୁମେ ମନ୍ତ୍ର ଉଚ୍ଚାରଣ କରି ମାଟି ମା’କୁ ସନ୍ତୁଷ୍ଟ କରିଥିଲେ । ମହିଳାମାନେ ମଧ୍ୟ ଏଥିରେ ସାମିଲ ହୋଇ ଭାଗ ନେଇଥିଲେ । ପରବ ବାଜାର ତାଳେ ତାଳେ ଯୁବକ ଯୁବତୀମାନେ ନୃତ୍ୟ ଗୀତରେ ମସ୍‌ଗୁଲ୍‌ ହୋଇ ଉଠି ଥିବାବେଳେ ଆଦିବାସୀ ସାମ୍ପ୍ରଦାୟର କିଛି ଲୋକେ ମହୁଲି ନିଶାରେ ଆତ୍ମ ବିଭୋର ହୋଇଥିଲେ ।

Leave A Reply

Your email address will not be published.