- ଚାଷ ଦେଖାଇଲା ବାଟ, ଦାଦନ ଯିବା ହେଲା ବନ୍ଦ
କଂଟାବାଂଜି, (ଗୁରୁଦୟାଲ ହଂସ ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଉପାନ୍ତ ପାହାଡ ପର୍ବତ ଘେରା ପଂଚାୟତ ବେହେରାମୁଣ୍ଡା । ଏହି ପଂଚାୟତର ସଦର ଗ୍ରାମ ବେହେରାମୁଣ୍ଡା ଏବଂ ଧୁଙ୍ଗିଆମୁଣ୍ଡା ଦୁଇଟି ଆଦିବାସୀ ବହୁଳ ଗ୍ରାମ । ପଂଚାୟତଟି ସଂପୂର୍ଣ୍ଣ ଭାବେ ଅଣଜଳସେଚିତ ଅଂଚଳ । ଅଂଚଳର ଚାଷୀମାନେ କେବଳ ବର୍ଷା ଋତୁରେ ଚାଷବାସ କରି ନିଜର ଜୀବନ ଜୀବିକା ଚଲାଇଥାନ୍ତି । ବେହେରାମୁଣ୍ଡା ଏବଂ ଧୁଙ୍ଗିଆମୁଣ୍ଡାର ୨୦୦ରୁ ଅଧିକ ପରିବାରଙ୍କ ଚାଷଜମି ପାହାଡତଲିଆ ଅଂଚଳରେ ଥିବାରୁ ଚାଷବାସ ଠିକ୍ ଭାବେ ହୁଏ ନାହିଁ । ଯଦ୍ୱାରା ବର୍ଷା ଦିନରେ ଯାହା ଚାଷବାସ କରନ୍ତି ବର୍ଷକ ପାଇଁ ଚଳିବା ନିଅଂଟିଆ ହୋଇଥାଏ । ଫଳରେ ପ୍ରତ୍ୟେକ ବର୍ଷ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବା ସୁନିଶ୍ଚିତ । ଉଭୟ ବେହେରାମୁଣ୍ଡା ଏବଂ ଧୁଙ୍ଗିଆମୁଣ୍ଡା ଦୁଇ ଗ୍ରାମର ଆଦିବାସୀମାନେ ଗତ ୫/୭ବର୍ଷ ହେଲା ଦାଦନ ଖଟି ଯାଉଥିଲେ । ପରିବାରର ସମସ୍ତ ସଦସ୍ୟ ଦାଦନ ଖଟି ଯିବାରୁ ପିଲାଛୁଆଙ୍କ ଶିକ୍ଷାଦାନରେ ମଧ୍ୟ ଡୋରି ପଡୁଥିଲା । ବେହେରାମୁଣ୍ଡା ପଂଚାୟତଟି ଏକ ଆଦିବାସୀ ବହୁଳ ପଂଚାୟତ ହୋଇଥିବାରୁ ଏହା ସରକାରଙ୍କ ମାଡା ଯୋଜନା ଅନ୍ତର୍ଭୁକ୍ତ । ମାଡା ଭିଲେଜ୍ ଗୁଡିକରେ ବସବାସ କରୁଥିବା ଆଦିବାସୀମାନଙ୍କ ବିଭିନ୍ନ ଯୋଜନାରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ସଂଯୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦୃଷ୍ଟିକୁ ଆଣିଥିଲା । ସଂଯୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶ କ୍ରମେ ନାବାର୍ଡର ଆର୍ଥିକ ସହାୟତାରେ ଏକ ଏକରରୁ କମ୍ ଜମିଥିବା ଚାଷୀମାନଙ୍କୁ ଉଦ୍ୟାନ କୃଷି ଚାଷ ଜରିଆରେ ୱାଡି(ବାଡି) ବିକାଶ ଯୋଜନାରେ ସାମିଲ କରାଗଲା । ଏହି ୱାଡି ଯୋଜନାରେ ବେହେରାମୁଣ୍ଡା ଏବଂ ଧୁଙ୍ଗିଆମୁଣ୍ଡା ଉଭୟ ଦୁଇ ଗ୍ରାମର ଦାଦନ ଖଟି ଯାଉଥିବା ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲା । ଫଳରେ ସେମାନେ ନିଜ ନିଜ ଜମିରେ କାଜୁ ଏବଂ ଆମ୍ଭ ଗଛ ଲଗାଇବା ପାଇଁ ସହାୟତା ପାଇଲେ । କାଜୁ ଏବଂ ଆମ୍ଭ ଗଛ ଲଗାଇଥିବା ଜମିର ଅବ୍ୟବହୃତ ଜମିରେ ଉଦ୍ୟାନ କୃଷି ମାଧ୍ୟମରେ ବିଭିନ୍ନ ପନିପରିବା ଚାଷ କରି ଅଧିକ ଲାଭବାନ ହେଉଛନ୍ତି । ଯେଉଁ ଦିନଠାରୁ ସେମାନେ ନାବାର୍ଡ ସହାୟତରେ ୱାଡି ବିକାଶ ଯୋଜନାର ଅର୍ନ୍ତଭୂକ୍ତ ହେଲେ ସେମାନେ ଉଦ୍ୟାନ କୃଷି ପାଇଁ ସୌରଚାଳିତ ଉଠା ଜଳସେଚନର ସୁବିଧା ପାଇଁ ଚାଷବାସ କରି ଅଧିକ ଲାଭବାନ ହେଉଛନ୍ତି ଏବଂ ଗତ ୨/୩ ବର୍ଷ ହେଲା ଚାଷବାସ କରି ଅନ୍ୟତ୍ର ରାଜ୍ୟକୁ ଦାଦନ ଖଟି ଯାଉ ନାହାନ୍ତି । ନିଜ ବାଡି ବଗିଚାରେ ଉଦ୍ୟାନ କୃଷି ମାଧ୍ୟମରେ ଟମାଟୋ, ବାଇଗଣ, ଅମୃତଭଣ୍ଡା, ସଜନା, ଲଙ୍କା, ମୂଳା, ଧନିଆପତ୍ର, ଶିମ୍ବ, ଝୁଡଙ୍ଗ ଭଳି ଅନେକ ଚାଷବାସ କରି ନିକଟସ୍ଥ ବେଲପଡା ଏବଂ କଂଟାବାଂଜି ବଜାରରେ ବିକ୍ରୟ କରି ଲାଭବାନ ହେଉଛନ୍ତି ।
ଦାଦନ ଖଟି ଯାଉଥିବା ଧୁଙ୍ଗିଆମୁଣ୍ଡା ଗ୍ରାମର ଚନ୍ଦ୍ରଶେଖର ଧରୁଆ କହନ୍ତି ମୋର ଜମି କହିଲେ ମାତ୍ର ଏକ ଏକରରୁ ଦେଢ ଏକର ମଧ୍ୟରେ । ଏହି ଜମିଟି ଆଁଟ ଜମି । ଚାଷବାସ ହେଉ ନ ଥିଲା । ପଡିଆ ପଡୁଥିଲା । ଫଳରେ ମୁଁ ପ୍ରତ୍ୟେକ ବର୍ଷ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଥିଲି । ପ୍ରାୟ ୫/୭ବର୍ଷ ଦାଦନ ଖଟି ଯାଇଛି । ଦାଦନ ଖଟି ଯିବା ମଧ୍ୟରେ ମୁଁ ବିଭିନ୍ନ ସମୟରେ ନିର୍ଯ୍ୟାତିତ ମଧ୍ୟ ହୋଇଛି । କିନ୍ତୁ ମୁଁ ଯେତେବେଳେ ସଂଯୋଗ ସ୍ୱେଛାସେବୀ ଅନୁଷ୍ଠାନର ସଂସ୍ପର୍ଶରେ ଆସିଲି ମୋର ପଡିଆ ପଡିଥିବା ଜମିର କିପରି ଉନ୍ନତି ହୋଇପାରିବ ଏବଂ ଆମ୍ଭେ ଚାଷବାସ କରିପାରିବା ସେଥିପାଇଁ ଆମ୍ଭ ଗ୍ରାମର କେତେକ ଆଦିବାସୀ ପରିବାର ମିଶି ଡଙ୍ଗରବୁଢା ଉଦ୍ୟାନ ବିକାଶ ସମିତି ଗଠନ କଲୁ । ଏହି ସମିତି ଜରିଆରେ ନାବାର୍ଡର ଆର୍ଥିକ ସହାୟତରେ ୱାଡି ଯୋଜନାରେ ଉଦ୍ୟାନ କୃଷି ମାଧ୍ୟମରେ ୨୦୨୦-୨୧ ଆର୍ଥିକ ବର୍ଷରେ ଆମ୍ବ ଏବଂ କାଜୁ ଚାଷ କଲୁ । ଆମ୍ବ ଏବଂ କାଜୁ ଲଗାଯାଇଥିବା ଅନ୍ୟ ଖାଲିଥିବା ଜମିରେ ଆମ୍ଭେ ବିଭିନ୍ନ ପନିପରିବା ଚାଷ କରି ବର୍ତମାନ ରୋଜଗାରକ୍ଷମ ହୋଇପାରିଛୁ । ଚଳିତ ବର୍ଷ ଟମୋଟୋ, ବାଇଗଣ ଏବଂ ଅନ୍ୟାନ୍ୟ ପନିପରିବାରୁ ପ୍ରାୟ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରି ନିଜର ଆର୍ଥିକ ଅବସ୍ଥା ସୁଧାରି ପାରିଛୁ । ଏହି ରୋଜଗାରରେ ମୋର ଦୁଇଟି ପୁଅ ଧମେନ୍ଦ୍ର, ଛନ୍ଦା ଧରୁଆ ଏବଂ ଏକମାତ୍ର ଝିଅ ଅର୍ଚ୍ଚନା ଗାଁ ସ୍କୁଲରେ ପାଠ ପଢୁଛନ୍ତି । ଦାଦନ ଖଟି ଯିବା ବନ୍ଦ ହେବାରୁ ସେମାନେ ଗାଁରେ ରହି ପାଠପଢି ପାରୁଛନ୍ତି । ଏହି କାର୍ଯ୍ୟରେ ମୋର ସ୍ତ୍ରୀ ନିଲାନ୍ଦ୍ରୀ ଧରୁଆ ମଧ୍ୟ ସହଯୋଗ କରିଛନ୍ତି । ଉତ୍ପାଦିତ ପନିପରିବାକୁ ମୁଁ ନିକଟସ୍ଥ ବଜାର ଗୁଡିକରେ ବିକ୍ରୟ କରି ଭଲ ଲାଭବାନ ହୋଇପାରିଛି । ସେହିପରି ମୋର ପରିବାର ୫ ପ୍ରାଣୀ କୁଟୁମ୍ବ । ଆମ୍ଭର ଜମି କହିଲେ ମାତ୍ର ଏକ ଏକର ଆଁଟ ଜମି ଅଛି । ଏହି ଜମି କୌଣସି ଚାଷ ପାଇଁ ଉପଯୋଗୀ ନ ଥିଲା । ମୁଁ ଯେତେବେଳେ ମୋର ଜମିରେ ଚାଷ ବାସ ହୋଇପାରିବ ଜାଣିପାରିଲି ଡଙ୍ଗରବୁଢା ଉଦ୍ୟାନ ସମିତିରେ ସାମିଲ ହେଲି । ତାରି ସହାୟତାରେ ମୁଁ ମଧ୍ୟ ମୋର ଆଁଟ ଜମିରେ ଆମ୍ବ ଏବଂ କାଜୁ ଗଛ ଲଗାଇବା ସହିତ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରିବାର ସକ୍ଷମ ହୋଇପାରିଛି । ପୂର୍ବରୁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଥିଲି କିନ୍ତୁ ମୋର ନିଜ ଜମିରେ ଚାଷ କଲା ପରଠାରୁ ମୁଁ ଆଉ ଦାଦନ ସାଜୁନି । ମୋର ଝିଅ ଯଶୋଦା ଧରୁଆ ,ତପସ୍ୱିନୀ ଧରୁଆ ଓ ପୂର୍ଣ୍ଣିମା ଧରୁଆକୁ ବର୍ତମାନ ଉଚିତ ଶିକ୍ଷା ଦେବାରେ ସକ୍ଷମ ହୋଇଛି । ଆଗାମୀ ଦିନରେ ଆମ୍ବ ଏବଂ କାଜୁ ଉତ୍ପାଦନ ହେଲେ ମୋର ପରିବାର ଭବିଷ୍ୟତରେ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ହେବ । ସେଥିପାଇଁ ମୁଁ ସଂଯୋଗ ଅନୁଷ୍ଠାନର ଏପରି ସହଯୋଗକୁ ଧନ୍ୟବାଦ ଜଣାଉଛି । ଏବଂ ଜଣେ ସଫଳ ଚାଷୀ ହେବାର ସଂଯୋଗ ଅନୁଷ୍ଠାନର ମୂଖ୍ୟ ଭୂମିକା ଥିବାରୁ ତାଙ୍କଠାରେ ମୁଁ କୃତଜ୍ଞ ଅଟେ ।
ଧୁଙ୍ଗିଆମୁଣ୍ଡାର ମୁଁ ଘନଶ୍ୟାମ ଧରୁଆ ମୋତେ ପ୍ରାୟ ୬୩ବର୍ଷ ହେଲାଣି । ମୋର ଜମି କହିଲେ ଆଁଟ ଜମି । ଦୀର୍ଘ ୪୦ବର୍ଷ ହେଲା ଏହି ଜମିରେ ଚାଷ ବାସ ହେଉ ନ ଥିଲା । ବର୍ଷ ବର୍ଷ ଧରି ପଡିଆ ପଡିଥିଲା । ସଂଯୋଗ ଅନୁଷ୍ଠାନର ସସ୍ପର୍ଶରେ ଆସିଲା ପରେ ଆମ୍ଭେ ବେହେରାମୁଣ୍ଡାର ପ୍ରାୟ ୧୦୦ଟି ପରିବାର ଗ୍ରାମୀୟ ଠାକୁରାଣୀ ଉଦ୍ୟାନ ବିକାଶ ସମିତି ଗଠନ କଲୁ । ଏହି ସମିତି ଜରିଆରେ ଆମ୍ଭେ ନାବାର୍ଡର ଆର୍ଥିକ ସହାୟତାରେ ୱାଡି ବିକାଶ ଯୋଜନାରେ ଆମ୍ଭଙ୍କୁ ସହାୟତା ମିଳିଲା । ଆମ୍ଭ ନିଜ ନିଜ ଜମିର ଚାରିପଟେ ବାଡ ଦେବା ପାଇଁ ଆର୍ଥିକ ସହାୟତା ମିଳିବା ସହିତ ବିଭିନ୍ନ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ ମିଳିଲା ଫଳରେ ଆମ୍ଭେ ଆମ୍ବ ଏବଂ କାଜୁ ଗଛ ବ୍ୟତୀତ ଅନ୍ୟ ଖାଲିପଡିଥିବା ଜମିରେ ପନିପରିବା ଚାଷ କଲୁ । ଏଥିରେ ଆମ୍ଭେ ବାର୍ଷିକ ୪୦ ହଜାର ଟଙ୍କାରୁ ଅଧିକ ରୋଜଗାର କରିପାରିଥିବା ବେଳେ ଭବିଷ୍ୟତରେ ଆମ୍ବ ଏବଂ କାଜୁରୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବୁ ବୋଲି ଆଶା ରଖିଛୁ । ପୂର୍ବରୁ ଆମ୍ଭ ଜମିରେ ବାଡ ନ ଥିବାରୁ ଆମ୍ଭେ କୌଣସି ଚାଷବାସ କରିପାରୁ ନ ଥିଲୁ କିନ୍ତୁ ୱାଡି ଯୋଜନାରେ ମୂଖ୍ୟତଃ ବାଡ ଦେବା ପାଇଁ ସହାୟତା ମିଳିବାରୁ ଆମ୍ଭେ ପନିପରିବା ବ୍ୟତୀତ କଦଳୀ ଗଛ ଏବଂ ଶତାଧିକ ସଜନା ଗଛ ଲଗାଇଛୁ । ଯାହା ଆଗାମୀ ଦିନରେ ରୋଜଗାରର ଏକ ମୁଖ୍ୟ ଆୟ ହୋଇପାରିବ । ଏହି ସଜନା ଗଛ ଲଗାଇବାରେ ମୋର ପୁତ୍ରବଧୂ ମଧ୍ୟ ସଂପୂର୍ଣ୍ଣ ସହଯୋଗ କରିଥିବା କହନ୍ତି ।
ବେହେରାମୁଣ୍ଡାର ଲଲିତ ମୋହନ ମାଝି କହନ୍ତି ମୋର ମଧ୍ୟ ଆଁଟ ଜମି ପଡିଆପଡି ରହୁଥିଲା । ବର୍ଷ ବର୍ଷ ଧରି ଏହି ଜମି ଚାଷବାସ ହେଉ ନ ଥିଲା । ଆମ୍ଭ ୪ଜଣ ପରିବାର ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଥିଲୁ । ମୋର ଗୋଟିଏ ଝିଅ ଜ୍ୟୋତ୍ସ୍ନା ମାଝି ଏବଂ ପୁଅ ପ୍ରେମରାଜ ମାଝିର ଶିକ୍ଷାଦାନରେ ଡୋରି ପଡିଥିଲା । ହେଲେ ମୁଁ ଯେତେବେଳେ ୱାଡି ବିକାଶ ଯୋଜନାରେ ଗାଁର ଅନ୍ୟ ଆଦିବାସୀମାନଙ୍କ ସହିତ ସାମିଲ ହେଲି ମୁଁ ମୋର ଆଁଟ ଜମିର ଚାଷବାସ କରିପାରିଛି । ଜମିର ଚାରିପଟେ ବାଡ ହେବାରୁ ଜମିରେ ଚାଷବାସ କରିବା ସୁରକ୍ଷିତ ହୋଇଛି । ମୁଁ ବର୍ତମାନ ମୋର ଏକ ଏକର ଜମିରେ ଆମ୍ବ ଏବଂ କାଜୁ ଗଛ ଲଗାଇବା ସହିତ ବିଭିନ୍ନ ପନିପରିବା ଚାଷ କରି ରୋଜଗାରକ୍ଷମ ହୋଇପାରିଛି । ଗାଁରେ ବର୍ତମାନ ରହି ଚାଷବାସ କରିବାରେ ମୋର ସ୍ତ୍ରୀ ରୋହିଣୀ ମାଝି ସହିତ ମୋର ଝିଅ ପୁଅ ମଧ୍ୟ ସହାୟତା କରୁଛନ୍ତି । ମୁଁ ମୋର ରୋଜଗାରରୁ ଝିଅ ଜ୍ୟୋତ୍ସ୍ନାକୁ ଯୁକ୍ତଦୁଇ ଏବଂ ପୁଅ ପ୍ରେମରାଜକୁ ମ୍ୟାଟ୍ରିକ ଯାଏ ପାଠ ପଢାଇଛି । ଆଗକୁ ପଢୁଛନ୍ତି । ଯଦି ମୋତେ ଏହି ଯୋଜନାରେ ସାମିଲ ହୋଇ ନ ଥିଲେ ମୁଁ ମୋର ଆଁଟଜମିରେ ଚାଷ ବାସ କରିବା ଶିଖି ନଥାନ୍ତି କିମ୍ବା ମୋର ପୁଅ ଓ ଝିଅ ଉଚ୍ଚ ଶିକ୍ଷା ପାଇ ପାରି ନଥାନ୍ତେ । ସଂଯୋଗ ଅନୁଷ୍ଠାନ ଉଭୟ ବେହେରାମୁଣ୍ଡା ଏବଂ ଧୁଙ୍ଗିଆମୁଣ୍ଡାର ୨୦୦ ଆଦିବାସୀ ପରିବାରକୁ ଆଜି ରୋଜଗାରକ୍ଷମ କରିବାରେ ଏକ ପ୍ରେରଣାଦାୟକ ସାଜିଛି । ନାବାର୍ଡ ଆର୍ଥିକ ସହାୟତାରେ ୱାଡି ବିକାଶ ଯୋଜନାରେ ସମସ୍ତ ଆଦିବାସୀ ଚାଷୀମାନଙ୍କୁ ସୌରଚାଳିତ ପମ୍ପ୍ ଜରିଆରେ ଉଠା ଜଳସେଚନ ବ୍ୟବସ୍ଥା କରାଯାଇଛି ଯଦ୍ୱାରା ବେହେରାମୁଣ୍ଡାର ୨୫ଟି ଚାଷୀ ଉପକୃତ ହେଉଛନ୍ତି । ସଂଯୋଗ ସ୍ୱେଛାସେବୀ ଅନୁଷ୍ଠାନର କମଲେଶ ମହାନ୍ତି କହନ୍ତି ଯଦି ଓଡିଶା ସରକାର ଏଭଳି ଶ୍ରମଭିତ୍ତିକ ଯୋଜନା ମାଧ୍ୟମରେ ଦେଶାନ୍ତର ପ୍ରବଣ ଅଂଚଳରେ କାର୍ଯ୍ୟ କରନ୍ତେ ଓ ତଦାରଖ କରନ୍ତେ ତେବେ ଅନେକ ପରିବାର ନିଜ ନିଜ ଗାଁରେ ରହିବାର ସୁଯୋଗ ପାଇବା ସହିତ ଆର୍ଥିକ ସ୍ଥିତି ସୁଦୃଢ ହେବା ସଙ୍ଗେ ସଙ୍ଗେ ନିଜ ନିଜ ପିଲାଛୁଆକୁ ଗାଁରେ ରଖି ମଣିଷ ଗଠନ କରିବାରେ ସକ୍ଷମ ହୁଅନ୍ତେ । ଏପରକି ବଲାଙ୍ଗିର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ମୂଖ୍ୟତଃ ତୁରେକେଲା, ବେଲପଡା, ମୁରିବାହାଲ, ବଙ୍ଗୋମୁଣ୍ଡ, ଖପ୍ରାଖୋଲ ଓ ଟିଟିଲାଗଡ ବ୍ଲକରୁ ବର୍ଷକୁ ହଜାର ହଜାର ସଂଖ୍ୟାରେ କାମ ଧନ୍ଧା ନ ପାଇ ଦାଦନ ସାଜୁଥିବାରୁ ସ୍ୱଳ୍ପ ଏବଂ ଜମିହୀନମାନେ ଚାଷବାସ କରି ଦାଦନ ଖଟିବାକୁ ଯିବେ ନାହିଁ ବୋଲି କହନ୍ତି ।