jayashree

ଆଜି ମାର୍ଗଶିର ଗୁରୁବାର : ସମୃଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାର୍ଗଶିର ଗୁରୁବାର । ସମୃଦ୍ଧି, ସାତ୍ତ୍ୱିକତା ଓ ସ୍ୱଚ୍ଛତାର ଦେବୀ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ । ଏହି ପୂଜନୋତ୍ସବ କୃଷି କାର୍ଯ୍ୟ ସହ ସଂପର୍କିତ ହୋଇଥିବା ବେଳେ ପ୍ରତିବର୍ଷ ମାର୍ଗଶିର ମାସରେ ପଡ଼ୁଥିବା ଗୁରୁବାର ଦିନ ମାନଙ୍କରେ ପାଳିତ ହୁଏ ସାରା ଓଡ଼ିଶାରେ ଘରେ ଘରେ । କୃଷି କାର୍ଯ୍ୟରୁ ଉପାର୍ଜିତ ଧାନକୁ ଘରକୁ ଆଣାଯିବା ପରେ ପରେ ହିଁ ପଡେ଼ ଏହି ପର୍ବ । ଶାସ୍ତ୍ରରେ ଅନ୍ନକୁ ବ୍ରହ୍ମ କୁହାଯାଉଥିବା ବେଳେ ଅନ୍ନର ଦେବୀ ହେଉଛନ୍ତି ଅନ୍ନପୂର୍ଣ୍ଣା ମା’ ମହାଲକ୍ଷ୍ମୀ । ପଂଚଶଖା ଯୁଗର ଜ୍ୟେଷ୍ଠ କବି ବଳରାମ ଦାସଙ୍କ ଦ୍ୱାରା ରଚିତ ‘ଲକ୍ଷ୍ମୀ ପୁରାଣ’କୁ ଆଧାର କରାଯାଇ ଏହି ପର୍ବ ସମୃଦ୍ଧ ହେଉଥିବା ବେଳେ ଘରେ ଘରେ ଲକ୍ଷ୍ମୀ ପୁରାଣ ପାଠ କରାଯାଏ । ତେବେ ସେହି ସମୟରୁ ନାରୀ ନିର୍ଯାତନା ତଥା ଜାତିବାଦ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ମହାନ୍‌ ସିଦ୍ଧ କବି ବଳରାମ ଦାସଙ୍କ ଏହି କୃତି କାଳ କାଳ ପାଇଁ ଓଡ଼ିଶାର ଘରେ ଘରେ ବଂଚି ରହିବ, ଏଥିରେ ସଂଦେହ ନାହିଁ । ଆତ୍ମିକ ଭାବେ ଏହି ପୁସ୍ତକରେ ଅନ୍ତର୍ନିହିତ ଭାବାବେଗକୁ ଯେଉଁ ଦିନ ଏହି ମାଟିର ମଣିଷ ବୁଝି ଯାଇପାରିବ, ସେଦିନ ଶୃଙ୍ଖଳିତ ତଥା ଶାଶ୍ୱତ ସମାଜ ଟିଏ ଆପେ ଆପେ ଗଢ଼ି ହୋଇଯିବ ବୋଲି ବିଜ୍ଞଜନମାନେ ମତ ଦିଅନ୍ତି ।

Leave A Reply

Your email address will not be published.