jayashree

ଗୋପବନ୍ଧୁ ପାଠାଗାରର ବିଂଶତମ ବାର୍ଷିକ ଉତ୍ସବ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ପାଞ୍ଚ ଦିନ ଧରି ଚାଲିଥିବା ଗୋପବନ୍ଧୁ ପାଠାଗାରର ବିଂଶତମ ବାର୍ଷିକସମାରୋହର ପଞ୍ଚମ ତଥା ଅନ୍ତିମ ଦିବସର ପ୍ରଥମ ଅଧିବେଶନକୁ ଅକ୍ଟୋବର ୯ ତାରିଖ ସକାଳ ୧୦.୪୫ମି.ରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। କବି ରାଜୀବ ପାଣିଙ୍କ ପୌରୋହିତ୍ୟରେ ଏବଂ କବି ରାଜୀବ ପାଣିଙ୍କ ମଞ୍ଚ ସଂଚାଳନରେ ଅନୁଷ୍ଠିତ ଉକ୍ତ ସଭାରେ ବିଶିଷ୍ଟ ସାରସ୍ଵତ ସାଧକ ଦାସବନହୁର ମୁଖ୍ୟ ଅତିଥି, ଶିକ୍ଷାବିତ ଶର୍ମିଷ୍ଠା କବି ଶତପଥୀ ସମ୍ମାନୀତ ଅତିଥି ଏବଂ ଐତିହାସିକ ଡ.ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ଭାଷା ସୃଜନ ପାଠକୀୟ ପରିବର୍ତ୍ତନ’ ଶୀର୍ଷକରେ ଆଲୋଚନା କରିଥିଲେ । ଆଲୋଚନା ଆରମ୍ଭ କରି ଉଦଘାଟକ ଶ୍ରୀଯୁକ୍ତ ପଟ୍ଟନାୟକ କହିଲେ ଯେ, ଭାଷା ଭାବ ବିନିମୟର ମାଧ୍ୟମା ସାହିତ୍ୟିକ ବା କବିଙ୍କୁ ଦ୍ୱିତୀୟ ଈଶ୍ୱରର ମାନ୍ୟତା ଦିଆଯାଏ । ଭାଷା ସହ ସାହିତ୍ୟର ଭାବ ବିନିମୟ ହେଲେ ପାଠକୀୟ ଆଦୃତି ଲାଭ କରିଥାଏ । ମୁଖ୍ୟ ବକ୍ତା ଡ.ମଲ୍ଲିକ କହିଲେ ଯେ ପୃଥିବୀ ପୃଷ୍ଠରୁ କାଳକ୍ରମେ ବହୁ ଭାଷା ଲୋପ ପାଇ ଯାଇଛି ମାତ୍ର ଓଡ଼ିଆ ପରି ଗୋଟିଏ ସମୃଦ୍ଧ ଭାଷା ସହଜରେ ମୃତ୍ୟୁ ଲାଭ କରିପାରିବ ନାହିଁ । ଏବେ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ଭାଷାର ପ୍ରଚାର ପ୍ରସାର ସହଜ ହୋଇଯାଇଥିଲେ ମଧ୍ୟ ଏଦିଗରେ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି । ସମୟର ଆବଶ୍ୟକତା ଅନୁସାରେ ନୂତନ ସୃଜନର ଆବଶ୍ୟକତା ରହିଛି। ଏବେ ବୈଷୟିକ ଜ୍ଞାନର ଦୁରୁପଯୋଗ ମଧ୍ୟ ଆଜି ଚିନ୍ତାର ବିଷୟ ହୋଇଛି । ସମ୍ମାନୀତ ଅତିଥି ଶ୍ରୀମତୀ କବି ଶତପଥୀ କହିଲେ ଯେ, ମଣିଷ ଏକ ସୃଜନଶୀଳ ପ୍ରାଣୀ । ଭାଷା ସାହିତ୍ୟ ମାଧ୍ୟମରେ ତା’ର ସୃଜନଶୀଳତା ପ୍ରକାଶିତ ହୋଇଥାଏ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସବନହୁର କହିଲେ ଯେ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଜିର ଦିନରେ ଅପରିହାର୍ଯ୍ୟ ହୋଇପଡିଛି। ଭାଷା ସର୍ବଦା ପରିବର୍ତ୍ତନଶୀଳ। ଜଡ଼ ଏବଂ ଜୀବ, ସମସ୍ତଙ୍କର ନିଜସ୍ଵ ଭାଷା ରହିଛି। ଭାଷା ପ୍ରକୃତିରୁ ଆହରଣ ହୋଇଛି। ଏଣୁ ପ୍ରଥମେ ସୃଜନଶୀଳତା ପରେ ଭାଷା ଏବଂ ବହୁ ଲିପିର ସୃଷ୍ଟି। ପ୍ରଥମ ଅଧିବେଶନ ଶେଷରେ କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଂଧ୍ୟା ସାତ ଘଟିକାରେ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଅଧିବେଶନରେ ବରେଣ୍ୟ ଅତିଥି ଶ୍ରୀଯୁକ୍ତ ଭୂପେନ ମହାପାତ୍ର, ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ, ସମ୍ମାନୀତ ଅତିଥି ହାଇଟେକ୍ ମେଡିକାଲ କଲେଜର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ, ଅନ୍ୟତମ ଅତିଥି ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ବିଷ୍ଣୁ ମହାନ୍ତି ଯୋଗଦେଇ ଆଜି ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଦିବସର ତାତ୍ପର୍ଯ୍ୟ ଏବଂ ଗୋପବନ୍ଧୁ ପାଠାଗାରର ସାହିତ୍ୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତାର ଭୂୟସୀ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଶ୍ରୀ ରାଧାମୋହନ ନାୟକଙ୍କୁ ପାଠାଗାର ଆନ୍ଦୋଳନ ପାଇଁ, ସୁରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଏବଂ କାଶୀନାଥ ନନ୍ଦଙ୍କୁ ସାହିତ୍ୟ ସର୍ଜନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଠାଗାର ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଅତିଥି ମାନେ ପ୍ରମାଣ ପତ୍ର ସହ ଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଶେଷରେ ଗୁରୁ ସୁଦେଷ୍ଣା ରାଉତଙ୍କ ତତ୍ୱାବଧାନରେ ମ୍ୟୁଜିକ ସର୍କଲର କଳାକାର ମାନେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ। ସ୍ୟୈଖୀନ କଳାକାର ଅଜିତ ମୋହନ ପୁଜାରୀ ଏବଂ ଅତୁଲ୍ୟ ମହାକୁଡ଼ ସୁଗମ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ଶ୍ରୀ ରାଜକୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲାବେଳେ ଉପସଭାପତି ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମକର୍ତ୍ତା ସହାୟତା କରିଥିବା ବେଳେ ସହରର ବୁଦ୍ଧିଜୀବୀ, ସାହିତ୍ୟିକ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.