ବଲାଙ୍ଗିର ସଦର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ରଜତ ହତ୍ୟାକାଣ୍ଡର ବଡ଼ ଖୁଲାସା କଲେ ଏସ୍‌ପି : ୬ ଜଣ ହତ୍ୟାକାରୀଙ୍କୁ ଧରିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରଜତ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ତାରିଖ ଦିନ ସଂଧ୍ୟାରେ ଅଏଁଲାଚୁଆଁ ନିବାସୀ ରଜତ ନିଖୋଜ ହେବା ପରେ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ବି ରଜତଙ୍କ ପତ୍ତା ମିଳିନଥିଲା । ୨୫ ତାରିଖ ଦିନ ସକାଳେ ରଜତଙ୍କ ମୃତ ଦେହ ଖୁଜେନପାଲି ରେଲୱେ ଟ୍ରାକ୍‌ରେ ମିଳିଥିଲା । ଏହି ଘଟଣା ସଂପର୍କରେ ରେଳ ଷ୍ଟେସନ ମାଷ୍ଟରଙ୍କ ରିପୋର୍ଟ ଅନୁସାରେ ଜିଆର୍‌ପି ପୋଲିସ ଏକ ୟୁଡ଼ି କେସ୍‌ ରୁଜ୍ଜୁ କରିଥିଲା । ମୃତକଙ୍କ ବାପା ନିରାକାର ପ୍ରଧାନ ତାଙ୍କ ପୁଅ ଆତ୍ମହତ୍ୟା କରିନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ସଦର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତନାଘନା ତଦନ୍ତରୁ ଜଣାପଡ଼ିଥିଲା ଯେ, ଏହା ଆତ୍ମହତ୍ୟା ନୁହେଁ । ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । କେବଳ ଆତ୍ମହତ୍ୟାର ରୂପ ଦେବାକୁ ହତ୍ୟାକାରୀମାନେ ରେଲୱେ ଟ୍ରାକ୍‌ରେ ରଜତଙ୍କ ମୃତଦେହ ଫୋପାଡ଼ି ଦେଇଥିଲେ । ତଦନ୍ତରୁ ଆହୁରି ଜଣାପଡ଼ିଥିଲା ଯେ, ଜଣେ ପ୍ରେମିକାଙ୍କୁ ଭଲ ପାଉଥିବା ଦୁଇ ଜଣ ପ୍ରେମିକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୃତ ରଜତ ଏବଂ ଅନ୍ୟ ଜଣକ ହେଉଛି ମୁଖ୍ୟ ଅଭିଯୁକ୍ତ ସିଲେଟ୍‌ପଡ଼ା ନିବାସୀ ସୂର୍ଯ୍ୟକାନ୍ତ ସେଲ୍‌ମା(୨୧) । ତେବେ ରଜତଙ୍କୁ ଅଏଁଲାଚୁଆଁ ନିକଟରେ ଏକ ନିଛାଟିଆ ସ୍ଥାନରେ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇ ଏକ ମୋଟର ସାଇକେଲ ସାହାଯ୍ୟରେ ଖୁଜେନପାଲି ନିକଟସ୍ଥ ରେଲୱେ ଟ୍ରାକରେ ନିକଟକୁ ଆଣି ଫୋପାଡ଼ି ଦିଆଯାଇଥିଲା । ଏହି ଘଟଣାରେ ବଲାଙ୍ଗିର ସଦର ପୋଲିସ ସିଲେଟପଡ଼ା ଗାଁର ସୂର୍ଯ୍ୟକାନ୍ତ ସେଲମା(୨୧), ରାଜୀବ ବଗର୍ତ୍ତି(୨୧) ଓ ଅନ୍ୟ ୪ ଜଣ ନାବାଳକଙ୍କୁ ଗିରଫ୍‌ କରିଛି । ହତ୍ୟାକାରୀଙ୍କ ଠାରୁ ହତ୍ୟାରେ ବ୍ୟବହାର କରାଯାଇଥିବା ସାଇକେଲ କ୍ରେଙ୍କ୍‌, ଗୋଟିଏ ଆଇରନ୍‌ ରଡ୍‌, ଗୋଟିଏ କଟୁରୀ, ଗୋଟିଏ ଛୁରୀ, ଗୋଟିଏ ଲାଠି, ୬ଟି ମୋବାଇଲ୍‌ ଫୋନ ଏବଂ ଦୁଇଟି ମୋଟର ସାଇକେଲ ଜବତ୍‌ କରିଛି ସଦର ପୋଲିସ ।

Leave A Reply

Your email address will not be published.