୭୦ ହଜାର ଟଙ୍କା ମାଗିବା ମହଙ୍ଗା ପଡିଲା : ୨ ଜଣ ୱେବ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବରଗାଁ ଛକରେ ଥିବା ଓମ୍‌ ମେଡିକାଲ ଷ୍ଟୋରଠାରେ ହାଡଭଙ୍ଗାର ଚିକିତ୍ସା କରୁଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲାର ୨ ଜଣ ୱେବ ସାମ୍ବାଦିକ ଦିଲୀପ କୁମାର ସାହୁ ଓ ସଞ୍ଜୟ ମେହେର ୭୦ ହଜାର ଟଙ୍କା ମାଗିବା ସହ ଧମକ ଚମକ ଦେବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୧୦୦/୨୩ରେ ଏକ ମାମଲା ରୁଜୁ କରି ସଇଁତଲା ଥାନାରେ ଅଟକ ରଖି ତଦନ୍ତ ଚଲାଇଥିବା ଜଣାପଡିଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ସଇଁତଲା ଥାନା କେନ୍ଦୁଉଡାର ଗାଁର ଚିତ୍ତରଞ୍ଜନ ପ୍ରଧାନୀ ନାମକ ଜୈନିକ ଯୁବକ ବରଗାଁ ସ୍ଥିତ ଓମ୍‌ ଔଷଧ ଦୋକାନରେ ପ୍ରତ୍ୟେକ ମଙ୍ଗଳବାର ଆଣ୍ଠୁ ବାତ ଓ ହାଡ଼ଭଙ୍ଗା ଭଳି ଜୋଗୀଙ୍କ ଆୟୁର୍ବେଦିକ ଚିକିତ୍ସା ଆସିଥାନ୍ତି । ଏହି ସମୟରେ ବଲାଙ୍ଗିର ଜିଲ୍ଲାର ଦିଲୀପ ସାହୁ ଓ ସଞ୍ଜୟ ମେହେର ନାମକ ୱେବ ସାମ୍ବାଦିକ ଗତ ୨ ତାରିଖ ଦିନ ଚିକିତ୍ସା କେନ୍ଦ୍ରକୁ ଆସି ଧମକ ଚମକ ଦେଇ ୭୦ ହଜାର ଟଙ୍କା ମାଗିଥିଲେ । ଯଦି ଟଙ୍କା ନ ଦେବ ନ୍ୟୁଜରେ ଖବର ପ୍ରସାରଣ କରିବୁ ବୋଲି ଧମକଚମକ ଦେଇ ଫେରି ଯାଇଥିଲେ । ଗତ ମଙ୍ଗଳବାର ପୁଣି ଚିକିତ୍ସା କେନ୍ଦ୍ରକୁ ପହଞ୍ଚି ବୁମ୍‌ ବାହାର କରି ୭୦ ହଜାର ଟଙ୍କା ନ ଦେଲେ ଖବର ପ୍ରସାରଣ କରିବୁ ବୋଲି ଧମକ ଦେଇଥିଲେ । ଏଥିରେ ଶ୍ରୀ ପ୍ରଧାନୀ ଟଙ୍କା ଦେବା ପାଇଁ ମନା କରିବାରୁ ସମ୍ପୃକ୍ତ ୨ ଜଣ ସାମ୍ବାଦିକ ତାଙ୍କ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏ ନେଇ ସଇଁତଲା ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସଇଁତଲା ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦିଲୀପ ଓ ସଞ୍ଜୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!