- ଡ. ଲକ୍ଷ୍ମଣ ମେହେର
ଆମ ରାଜ୍ୟ ପଲ୍ଲୀ ପ୍ରବଣ, ପୁଣି କୃଷି ପ୍ରଧାନ । ଜୀବନର ସବୁକ୍ଷେତ୍ରରେ ପର୍ବପର୍ବାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା କର୍ମପାଇଁ ପ୍ରେରଣା ଦିଏ । ଜୀବନକୁ ପବିତ୍ର କରେ । ସାମାଜିକ ଚଳଣି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିର ପ୍ରତିଫଳନ ହେଉଛି ଆମ ଉତ୍ସବଗୁଡିକ । ଏହା ମନର ସରସତା ପାଇଁ ମହୌଷଧି ସ୍ୱରୂପ ।
ଫାଲ୍ଗୁନ ପୂର୍ଣ୍ଣମୀକୁ ପଲ୍ଲୀଜନତା ଗୁଣିଖାଇ ପୁନି ଭାବେ ମାନି ଥାଆନ୍ତି । ଏ ହେଉଛି ବର୍ଷକର ନୂଆ ଫୁଲ ଫଳ ସମର୍ପଣର ପର୍ବ । ବସନ୍ତ ଋତୁର ଆଗମନରେ ମହୁଲ ଗଛର ମହୁଆ ପବନର ହିଲ୍ଲୋଲରେ ଫଗୁଣର ଆବିର୍ଭାବ ହୁଏ । ଶିମୂଳି ଶାଖାରେ କପୋତର ଡାକ, ନିମ୍ବଫୁଲର ବାସ୍ନା, ପଳାଶ ଫୁଲର ଲାଲ ବର୍ଣ୍ଣ ଜଣାଇ ଦିଏ ଫାଲ୍ଗୁନର ଆଗମନକୁ । ମୁକ୍ତ ଆକାଶର ବର୍ଣ୍ଣାଢ୍ୟ କେତେ ସୁନ୍ଦର ! ଏହି ସମୟ କବି, ଗୁଣିମାନଙ୍କ ପାଇଁ ଏକ ଉନ୍ମାଦନାର ସମୟ । କୋଇଲିର କୁହୁତାନ ଭିତରେ କବି ପ୍ରାଣ ସଂଗୀତମୟ ହୋଇ ଉଠୁଥାଏ । ରଙ୍ଗର ଫୁଆରା ନେଇ ଫଗୁଣ ଧରାପୃଷ୍ଠକୁ ଅବତୀର୍ଣ୍ଣ କରେ ।
ପଲ୍ଲୀବାସୀଙ୍କ ଜୀବନ ଧାରଣ ପ୍ରଣାଳୀ ଅତ୍ୟନ୍ତ ସରଳ । ଏମାନେ ଦୈନନ୍ଦିନ ଜୀବନରେ ମାଟି ଖୋଳନ୍ତି, ଚାଷ କରନ୍ତି । ସମୟ ସ୍ରୋତରେ ନିଷ୍ଠାର ସହ ପର୍ବ ପାଳନ କରନ୍ତି । ଜୀବନର ସହଜ ଧାରାକୁ ଦେଖିଲେ ପ୍ରକୃତରେ ଏମାନେ ପ୍ରକୃତିର ସନ୍ତାନ ବୋଲି ମନେହୁଏ । ପରସ୍ପରକୁ ଶ୍ରଦ୍ଧାର ସହିତ ଆପଣେଇ ନେବା, ଭାବର ଆଦାନ ପ୍ରଦାନ, ଭ୍ରାତୃତ୍ୱ ଭାବ, ସତ୍ ଚିନ୍ତାଧାରା, ସାମୂହିକ ଉନ୍ନତି ଏମାନଙ୍କର ବୈଶିଷ୍ଟ୍ୟ । ସେଇଥିପାଇଁ ତ’ ଉତ୍ସବର ମାହୋଲ ଆଧ୍ୟାତ୍ମିକପୂର୍ଣ୍ଣ ମନେହୁଏ ।
ଏହି ପର୍ବକୁ ପଲ୍ଲୀ ମାଟିରେ ଲୋକେ ହୋଲି, ଦୋଳି ଏବଂ ହୋରି ଭାବେ ତିନୋଟି ଦିନରେ ପାଳନ କରିଥାନ୍ତି । ପୂର୍ଣ୍ଣମୀ ପୂର୍ବଦିନ ସଂଧ୍ୟାରେ ହୋଲିକା ଦହନ ହୁଏ । ଗାଁ ପିଲାଏ ବିଭିନ୍ନ ପ୍ରକାରର କୁଶପୁତ୍ତଳିକା ଧରି ଗାଁ ମୁଣ୍ଡରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହୁଅନ୍ତି । ବୟସ୍କମାନେ ସମସ୍ତେ କାଠ ଖଣ୍ଡିଏ ଲେଖାଏଁ ଧରି ସେଇଠି ପହଂଚନ୍ତି । ଝାଙ୍କର ବୁଢା ଗ୍ରାମଦେବୀଙ୍କୁ ଗାଁର ସମସ୍ତ ପ୍ରକାର ସୁବିଧା ତଥା ସୁରକ୍ଷା ଦାବୀକରି ସେଇଠି ପୂଜା କରେ ଏବଂ ହୋଲି ଗଦାରେ ଅଗ୍ନି ସଂଯୋଗ କରେ । ଲୋକେ ବିଭିନ୍ନ ଅଶ୍ଳୀଳ ସ୍ଲୋଗାନ ଦେଇଥାନ୍ତି । ଅଶ୍ଲୀଳ ଇଙ୍ଗିତ ଚିତ୍ର ଗନ୍ଧର୍ବମାନଙ୍କ ଅତ୍ୟନ୍ତ ପ୍ରିୟ ବୋଲି ଲୋକଙ୍କର ବିଶ୍ୱାସ । ସେଥିପାଇଁ ଏଇ ଭାବନା ସେଦିନ ପ୍ରଦର୍ଶନ କରାଯାଇଥାଏ । ପୁଣି ଗାଁ ଲୋକମାନେ ମନ ଭିତରେ ଥିବା ଅନେକ ଭାବନାକୁ ଏହିଦିନ ମନ ଖୋଲି ପ୍ରକାଶ କରିବାରେ ସୁଯୋଗ ପାଆନ୍ତି ।
ଗୁଣିଖାଇ ହେଉଛି ଏକ କୃଷିଭିତ୍ତିକ ପର୍ବ । ଚାଷୀ ମାଟି ସହିତ ମାଟି ହୋଇ ବିଲରେ ଖଟେ । ପରିଶ୍ରମ କରି ଫସଲ ଅମଳ କରେ । ସେ ବିଶ୍ୱାସ କରେ ଯେ ଏହି ପରିଶ୍ରମ ପାଇଁ ଶକ୍ତି ଏବଂ ସାହସ ଦୈବୀକୃପାରୁ ଲାଭ ହୋଇଥାଏ । ଏଣୁ ତାର ପ୍ରଥମ ଶସ୍ୟ ତଥା ପ୍ରଥମ ଫଳକୁ ନିଜର ପ୍ରିୟ ଦେବୀଙ୍କୁ ଅର୍ପଣ କରିଥାଏ । ଏହି ସମୟରେ ବଣରେ ପଳାସ ଫୁଲ ଫୁଟିଥାଏ । ବିଭିନ୍ନ ପକ୍ଷୀମାନେ ଗଛ ଉପରେ ଚକ୍କର କାଟି ମଉଜ କରୁଥାନ୍ତି । ବଣରେ ଚାର ବୃକ୍ଷରେ ବଉଳ ଧରେ । ତାହାକୁ ସ୍ପର୍ଶ କରି କୋଇଲିର ସ୍ୱର ମଧୁର ହୋଇପଡେ । ଏଣୁ ଏଇ ପ୍ରାକୃତିକ ଶୋଭା ବିମଣ୍ଡିତ ପରିବେଶ ଭିତରେ କୃଷକ ଭାଇ ଏହାର ପ୍ରଥମ ସ୍ପର୍ଶ, ପ୍ରଥମ ଆଘ୍ରାଣ ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରେ । ଏହି ନିବେଦନର ଉତ୍ସବ ହେଉଛି ଫଗୁଣ ପର୍ବ । ବଲାଙ୍ଗିରରେ ଏହା ଗୁଣିଖାଇ ନାମରେ ପରିଚିତ । ଏହା ସହିତ ଗ୍ରାମାଂଚଳରେ କେହି କେହି ସାଗର ପଟି, ଚନା ଲଡୁ, ରାଶି ଲଡୁ ଇତ୍ୟାଦି ତିଆରି କରି ଦେବତାଙ୍କୁ ଅର୍ପଣ କରିବା ଦେଖାଯାଏ । ବିଭିନ୍ନ କ୍ଷୀରି, ପିଠା ପ୍ରସ୍ତୁତ କରି ଦିନଟିକୁ ପ୍ରତ୍ୟେକ ପରିବାର ଆନନ୍ଦରେ ବିତେଇ ଦେଇଥାନ୍ତି । ଗୁଣିଖାଇ ପର ଦିନ ଫଗୁ ଖେଳ ପାଳନ ହୁଏ । ରଂଗ ବେରଂଗରେ ଗାଁର ବାଳକ ବାଳିକାଠାରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ଖେଳରେ ସାମିଲ ହୁଅନ୍ତି । ମଉଜ ଭିତରେ ଦିନ କେତେବେଳେ ବିତିଯାଏ ଜଣା ପଡେନି । ଏହା ରାଧାକୃଷ୍ଣଙ୍କ ପୂଜା ବିଧିରୁ ଆରମ୍ଭ ହୋଇଥିଲେ ହେଁ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ବୋଲି ମନେ ହୁଏ ।
ଲୋକ ସଂସ୍କୃତି ମାନବର ଦଳଗତ ଜୀବନର ପରିଚୟ । ସାମଗ୍ରିକ ଭାବବୋଧ ଆତ୍ମ ଚେତନାର ପ୍ରତିବିମ୍ବ ଅଟେ । ପ୍ରତ୍ୟେକେ ନିଜ ସଂସ୍କୃତିକୁ ନେଇ ଗର୍ବ କରନ୍ତି । ବାସ୍ତବରେ ସଂସ୍କୃତି ହେଉଛି ଜାତିର ସଂପଦ । ସୁ-ସ୍ୱାଦୁ ଖାଦ୍ୟ ଭକ୍ଷଣ କରି ପ୍ରମୋଦରେ ଦିନ ବିତାଇବା ପରଂପରା ପଲ୍ଲୀ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ । ଏହି ପରଂପରା ବଂଚି ରହୁ । ଲୋକେ ପରସ୍ପରକୁ ଆଦର କରନ୍ତୁ, ସମ୍ମାନ ଦିଅନ୍ତୁ, ସୁଖରେ ରହନ୍ତୁ ।
ଡିଗ୍ରୀ କଲେଜ କୁଶଙ୍ଗ, ବଲାଙ୍ଗିର