ସଇଁନ୍ତଲା, (ଅଜିତ କୁମାର ସାହୁ) : ଖରିଫ ଧାନ କିଣା । ଚାଷୀ ଏହି ଧାନ କିଣା ପ୍ରକ୍ରିୟାରେ ସାମିଲ ହୁଅନ୍ତି । ଧାନ ବିକନ୍ତି ମଣ୍ଡିରେ । ମିଲର୍ସ ଧାନ ନିଅନ୍ତି । ଚାଷୀଙ୍କ ଖାତାରେ ଧାନ ବିକ୍ରି ଟଙ୍କା ପଡେ । ତେବେ କଟ୍ନି ଛଟ୍ନି ସହ ବେପାରୀଙ୍କ ଧାନ କିଣାକୁ ନେଇ ପ୍ରତିବାଦ କରନ୍ତି ଚାଷୀ । ଏହି ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି । ଚାଷୀ ପଞ୍ଜୀକରଣ, ଟୋକନ ଦେବା, ଟଙ୍କା ଯେମିତି ଚାଷୀଙ୍କ ଖାତାରେ ପଡ଼ିବ ଓ ସେମାନେ ହଇରାଣ ନ ହେବେ; ସେନେଇ ସୁନିଶ୍ଚିତ କରାଯାଉଛି । କିନ୍ତୁ ଏଥର ରାଜ୍ୟ ସରକାର ଓ ଯୋଗାଣ ବିଭାଗର ନିର୍ଦ୍ଦେଶ ଭୂତ ଚାଷୀଙ୍କ ପାଇଁ କାଳ ହୋଇଛି । ଚାଷୀ ଅପେକ୍ଷା ଏହି ଭୂତ ଖୋଳପା ପିନ୍ଧି ମାଲେମାଲ୍ ହେଉଥିବା ଦଲାଲ, ଅସାଧୁ ଅଧିକାରୀ ଓ କର୍ମଚାରୀ ତଥା ମିଲର୍ସ ଏବେ ହରଡ଼ଘଣାରେ ପଡ଼ିବେ । ବଲାଙ୍ଗିର ଜିଲାରେ ୭ ହଜାର ୧୧୬ ଜଣ ଭୂତ ଚାଷୀଙ୍କୁ ଦେଖାଇ ରାଜ୍ୟ ସରକାରଙ୍କ ଖାତାରୁ କୋଟି କୋଟି ଟଙ୍କା ଧାନ କିଣା ନାଁରେ ହଡପ କରାଯାଉଥିବା ପ୍ରାଥମିକ ସୂଚନା ମିଳିଛି । ଏନେଇ ଖୋଳତାଡ ଜାରି ରହିଛି । ସମସ୍ତ ରିପୋର୍ଟ ଅନୁଧ୍ୟାନ ଓ କ୍ଷେତ୍ର ଯାଞ୍ଚ ପରେ ଭୂତ ଚାଷୀ ସଂଖ୍ୟା ବଢିପାରେ । ଦୁଇ ବର୍ଷ ତଳେ ବଲାଙ୍ଗିର ଜିଲାର ଦେଓଗାଁ ବ୍ଲକରେ ଏଭଳି ଭୂତ ଚାଷୀଙ୍କ ଆବିର୍ଭାବ ହୋଇଥିଲା । ଯେଉଁଠି ଘର ରହିଛି, ଧାନ ଚାଷ ହୋଇ ନାହିଁ । ସେହି ଜମିରେ ଚାଷ କରାଯାଇଥିବା ଦର୍ଶାଇ ଚାଷୀ ପଞ୍ଜିକରଣ କରାଯାଇଥିଲା । ଗୋଟିଏ କି ୨ଟି ମାମଲା ନୁହେଁ, ଏଭଳି ଅନେକ ମାମଲା ସାମ୍ନାକୁ ଆସିଥିଲା । ବର୍ଷେ କି ୨ ବର୍ଷ ନୁହେଁ, ଦୀର୍ଘ ବର୍ଷରୁ ଏହି କାରବାର ଚାଲି ଆସୁଥିଲା । ଯୋଗାଣ, ସମବାୟ, କୃଷି, ରାଜସ୍ୱ ବିଭାଗର ଅସାଧୁ କର୍ମଚାରୀ ତଥା ଧାନ ବ୍ୟବସାୟୀ ଏଥିରୁ ଭଲ ଫାଇଦା ପାଉଥିଲେ । କୋଟି କୋଟି ଟଙ୍କା ବାଟମାରଣା ହେଉଥିଲା । ଅସାଧୁ ଧାନ ବେପାରୀମାନେ ଅଧିକ ଧାନ ବିକ୍ରି କରିବା ପାଇଁ ପେକ୍ସ ଜରିଆରେ ନାମ ପଞ୍ଜିକରଣ ସମୟରେ ଅଧିକ ଜମି ଦେଖାଉଥିଲେ । ଏଠାରୁ ହିଁ ଦୁର୍ନୀତିର ମୂଳଦୁଆ ପଡୁଥିଲା । ଯେଉଁ ଜମିରେ ଧାନ ଚାଷ ହୋଇ ନାହିଁ ତର ପଟ୍ଟା ଦେଖାଇ ଟୋକନ ହାତଉଥିଲେ । ଏଥିପାଇଁ ଆଁଟ ଜମି, କପା ଚାଷ ହେଉଥିବ ଜମି, ଖେଳପଡ଼ିଆ, ବନ୍ଧ ସହ ପନିପରିବା ଚାଷ କରିଥିବା ଜମିରେ ଧାନ ଚାଷ ହେଉଥିବା ଦର୍ଶାଇ ପୂର୍ବରୁ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି କରାଯାଉଥିବା ଗନ୍ଧ ତଦନ୍ତରୁ ଜଣାପଡୁଛି ।ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ଏଥର । ଗତ ସେପଟେମ୍ବର ୨୫ ତାରିଖରେ ବିଭିନ୍ନ ଜିଲାର ଯୋଗାଣ ଅଧିକାରୀଙ୍କୁ ୧୦ଏକରରୁ ଅଧିକ ଚାଷ କରୁଥିବା ଓ ପଞ୍ଜିକୃତ ଚାଷୀଙ୍କ ସରଜମିନ ଯାଞ୍ଚ ସହ ଜମି ଦେଖି ରିପୋର୍ଟ ଦେବାକୁ କୁହାଯାଇଥିଲା । ଏଥିରେ ଜିଲାର ବିଭିନ୍ନ ତହସିଲକୁ ଚିଠି କରାଯାଇ ସବିଶେଷ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ସେହି ଅନୁସାରେ, ବଲାଙ୍ଗିର ଜିଲାର ଆର୍ଆଇ, ଯୋଗାଣ ନିରୀକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି । ୨୦୨୦-୨୧ରେ ଜିଲାରେ ଧାନ ବିକିବା ପାଇଁ ଜିଲା ୬୬ହଜାର ୭୩୮ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ସେଥିରୁ ଜିଲାର ୭୧୧୬ ଚାଷୀ ୧୦ ଏକରରୁ ଅଧିକ ଜମିରେ ଧାନ ଚାଷ କରିଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲାର ୧୪ ତହସିଲ ମଧ୍ୟରୁ ଏପର୍ୟ୍ୟନ୍ତ ବେଲପଡ଼ା, ଖପ୍ରାଖୋଲ, ଗୁଡଭେଲା, ବଲାଙ୍ଗିର, ଆଗଲପୁର, ପାଟଣାଗଡ ତହସିଲ ପକ୍ଷରୁ ରିପୋର୍ଟ ମିଳିଛି । ଆଉ ମୁରିବାହାଲ ଓ ସଇଁନ୍ତଲା ତହସିଲରୁ ରିପୋର୍ଟ ଆସିଥିଲେ ବି ତାହା ଅଧା ଅଧୁରା । ଅନ୍ୟ ତହସିଲରୁ ରିପୋର୍ଟ ଆସି ନଥିବା ଜଣାପଡ଼ିଛି ।
ସରକାରୀ ନିୟମ ଅନୁସାରେ ଜଳସେଚିତ ହୋଇଥିଲେ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଧାନ କିଣାଯିବ । ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୬୮ ଓ ଗ୍ରେଡ(ଏ) ଧାନ ୧୮୮୮ଟଙ୍କାରେ ନିର୍ଦ୍ଧାରିତ କରାଯାଇଛି । ସୂଚନା ଅନୁସାରେ ଗତ ଖରିଫରେ ଜିଲାରେ ୪୮ହଜାର ୮୮୯ ଚାଷୀ ୩୧ ଲକ୍ଷ ୨୮ହଜାର ୩୯୨.୨୬ କ୍ୱିଣ୍ଟାଲ ଧାନ ବିକିଥିଲେ । ସେହିପରି ରବିରେ ୨ଲକ୍ଷ ୬୬ହଜାର ୫୪୩.୨୭ କ୍ୱିଣ୍ଟାଲ ଧାନ କିଣାଯାଇଥିଲା । ତେବେ ଭୂତ ଚାଷୀ ଜରିଆରେ ପ୍ରତିବର୍ଷ ଅଧିକ ଧାନ ଉତ୍ପାଦନ ଦର୍ଶାଇ ଏଭଳି ଭାବେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ କେତେଜଣ ମୁଷ୍ଠିମେୟ ଲୋକ ହଡପ କରୁଥିବା ପ୍ରଘଟ ହେବାରେ ଲାଗିଛି । କାଗଜପତ୍ରରେ ମନଇଚ୍ଛା ରିପୋର୍ଟ ପ୍ରସ୍ତୁତ ନକରି ପ୍ରକୃତ ସରଜମିନ ଯାଞ୍ଚ ହେଲେ ବହୁ ଭୂତ ଚାଷୀଙ୍କ ମୁଖା ଖୋଲିଯିବ । ତେବେ ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପୂର୍ବରୁ ଜିଲାରେ କେତେଜଣ ଚାଷୀ ୧୦ଏକରୁ ଉର୍ଦ୍ଧ ଜମିରେ ଚାଷ କରୁଛନ୍ତି ସେ ତଥ୍ୟ ପ୍ରଶାସନ କି ଯୋଗାଣ ବିଭାଗ ପାଖରେ ନଥିଲା । ତଦନ୍ତ ନିର୍ଦ୍ଦେଶ ପରେ ଏବେ ତାହା ଗୋଟିଏ ପରେ ଗୋଟିଏ ଖୋଲୁଛି । ଏହା ଦ୍ୱାରା ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ। ପ୍ରକୃତ ଚାଷୀ ଠିକ ଭାବେ ଧାନ ବିକି ପାରିବେ ।