- ଓଡିଶା ର ପିଲା ମାନେ କାହା ଠାରୁ କମ୍ ନୁହଁ
- ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥୀରେ ଅଛି – ଜନଜାତି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
- ୨୦୨୩ ଡିସେମ୍ବର ସୁଦ୍ଧା ଅନୁସୂଚିତ ଜାତି ଜନଜାତି ପିଲାମାନଙ୍କ ପାଇଁ ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ
ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍ଯାପନ ଦିବସରେ ଉଦ୍ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି । ଏସ୍ସିଏସ୍ଟି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ପିଲା କାହା ଠାରୁ କମ୍ ନୁହଁ । ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ ଓ ଜୀବନରେ ପ୍ରତିଷ୍ଠା ଲାଭ କର । ‘ ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥୀରେ ଅଛି’ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତୁମମାନଙ୍କ କାର୍ଯ୍ୟକ୍ରମରେ ମୁଁ ପ୍ରତିବର୍ଷ ଯୋଗ ଦେଉଛି ଏବଂ ତୁମ ଖୁସିରେ ମଧ୍ୟ ସାମିଲ ହେଉଛି ।
ବିଶିଷ୍ଟ କ୍ରୀଡାବିତ୍ ଦିଲ୍ଲୀପ ତିର୍କିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ସେ ଜଣେ ଓଡିଆ ପୁଅ । ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁଁ ସେ ଭାରତୀୟ ହକି ଟିମ୍ର କ୍ୟାପଟେନ୍ ହେବା ସହିତ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି । ଯୁବ ସମାଜ ପାଇଁ ସେ ଜଣେ ରୋଲ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମାଟ୍ରିକ ପରୀକ୍ଷାରେ କୃତିତ୍ୱର ସହ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ତାଙ୍କ ଅଭିଭାଷଣରେ ଜନଜାତି ପିଲା ମାନଙ୍କ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ । ଏହାସହିତ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍ର ଡିଜିଟାଲ ଲୋକାର୍ପଣ କରିଥିଲେ । ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ସର୍ଗିଫୁଲ ମହୋତ୍ସବ ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷର ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ଯଥା- ତର୍କ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ସୃଜନାତ୍ମକ ଲିଖନ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା, ଖେଳ ପ୍ରତିଯୋଗିତା ତଥା ଲୋକନୃତ୍ୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସ୍ୱଗତ ଭାଷଣ ଦେଇଥିଲେ ଏବଂ ଏଟିଏଲ୍ସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।