ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଧାନକିଣା କାର୍ଯ୍ୟକ୍ରମର ଶୁଭାରମ୍ଭ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତିରେ ଖରିଫ ବର୍ଷ ୨୦୨୨-୨୩ ପାଇଁ ଧାନକିଣା କାର୍ଯ୍ୟକ୍ରମର ଶୁକ୍ରବାର ଶୁଭାରମ୍ଭ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ପୃକ୍ତ ସମିତି ତରଫରୁ ଚାଷୀ ରଞ୍ଜନ କୁମାର ସ୍ୱାଇଁଙ୍କର ୧୧.୮୨ କ୍ୱିଣ୍ଟାଲ ଧାନକ୍ରୟ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ କହିଥିଲେ ଯେ, ଚଳିତ ବର୍ଷ ଯୋଗ୍ୟ ଚାଷୀମାନଙ୍କ ଠାରୁ ସରକାର କ୍ୱିଣ୍ଟାଲ ପ୍ରତି ୨୦୪୦ଟଙ୍କା ହିସାବରେ ଧାନକ୍ରୟ କରିବେ । ଚାଷୀଙ୍କୁ ମିଳୁଥିବା ଟୋକନର ସମୟସୀମା ଗୋଟିଏ ମାସ, ଏହି ସମୟ ମଧ୍ୟରେ ଚାଷୀଙ୍କୁ ମଣ୍ଡିକୁ ଧାନ ଦେବାକୁ ପଡିବ । ଯଦି ଚାଷୀମାନଙ୍କର ଧାନ କିଣା ସମ୍ବନ୍ଧରେ କିଛି ସମସ୍ୟା ଥାଏ ତାହେଲେ ସେମାନେ ସେମାନଙ୍କ ପଂଜିକୃତ ମୋବାଇଲରୁ ୧୯୬୭କୁ ଫୋନ କରି ବୁଝି ପାରିବେ । ଏ ବର୍ଷ ଧାନ କିଣା କେମିତି ସୁରୁଖୁରୁରେ ହୋଇ ପାରିବ ସେଥିପାଇଁ ସେ ପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ ଶେରଗଡ଼ ପଂଚାୟତ ସମିତିର ଅଧ୍ୟକ୍ଷ, ଶେରଗଡ଼ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।