ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଏକ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳାମଣ୍ଡଳ ପଡିଆରୁ ବାହାରିଥିବା ଏହି ସଚେତନତା ରାଲିକୁ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ରାଲି କୋଶଳ କଳାମଣ୍ଡଳ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା । ସଚେତନତା ରାଲିରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍କାଉଟ ଗାଇଡ, ରେଡକ୍ରସ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି ସଚେତନତା ରାଲିକୁ ଡ଼ିଏସ୍‌ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ସହକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଭାଗିରଥି ଛକଠାରେ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲିର କଳାକାରମାନଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ଼ିଏସପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.