ଟିଟିଲାଗଡ, (କେପିଏନ୍ଏସ୍) : ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଓଡିଶାର ରାଜନୈତିକ, ସାହିତ୍ୟିକ ତଥା ସାଂସ୍କୃତିକ ପରିଚୟର ଅଭାବ ଏବଂ ସ୍ୱତନ୍ତ୍ରତା ନଥିବା ବେଳେ ଯୁଗଜନ୍ମା ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଆବିର୍ଭାବ ହୋଇଥିଲା । ତାଙ୍କର ଜନ୍ମ ଓଡିଶାରେ ହେବା ଦୈବବିଧାନ ତଥା ଜଗନ୍ନାଥଙ୍କ ଇଚ୍ଛା ବୋଲି ମାନିବାକୁ ହୁଏ । କାରଣ ଗୋପବନ୍ଧୁ ସଂପୂର୍ଣ୍ଣ ଭାବେ ଓଡିଶାର ଚିନ୍ତା ହିଁ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ବାଦ, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ଯେତିକି ଯୋଗଦାନ ଥିଲା, ଅଭାବୀ ଓ ପ୍ରପୀଡିତ ମଣିଷମାନଙ୍କ ପ୍ରତି ସେତିକି ଦୟା, କରୁଣା ଓ ସେବା ମଧ୍ୟ ଥିଲା । ଗୋପବନ୍ଧୁ ଓଡିଆ ଓ ଓଡିଶା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନମାନଙ୍କର ଉର୍ବର କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରି ଯାଇଛନ୍ତି । ଆଜି ଓଡିଶାର ମାନଚିତ୍ରରେ ସେହି ଦରଦୀ ମଣିଷର ଛବି ହିଁ ସର୍ବତ୍ର ଦିଶେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମାଜ ଖବର କାଗଜ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ସହ ଓଡିଶାର ସେବା ଓ ସହାୟତା କ୍ଷେତ୍ରକୁ ସଂଚାର ଚାଲିଛି । ସମାଜ ପାଠକ ମଞ୍ଚ ଟିଟିଲାଗଡ ପକ୍ଷରୁ ଅଦ୍ୟ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାଗଣ ଉପରୋକ୍ତ ମତ ପୋଷଣ କରିଥିଲେ । ସ୍ଥାନୀୟ ଜଲାରାମ ଲଜରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷାବିତ୍ ବିଶ୍ୱରାମ ଠାକୁରଙ୍କ ସଭାପତିତ୍ୱରେ ପ୍ରଥମେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଉପସ୍ଥିତ ମଂଚାସୀନ ଅତିଥି ତଥା ଶ୍ରୋତା ମଣ୍ଡଳୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ପରେ ସଂପାଦକ ଦିଲ୍ଲୀପ କୁମାର ପସାୟତଙ୍କ ଦ୍ୱାରା ମଂଚ ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ପ୍ରାବନ୍ଧିକ ତଥା ସ୍ତମ୍ଭକାର ଡ. ଛାୟାକାନ୍ତ ଷଡଙ୍ଗୀ, ବରିଷ୍ଠ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ଘନଶ୍ୟାମ ଜୈନ, ମଂଚର ଉପସଭାପତି ସୁଲେଖକ ଜ୍ୟୋତି ପ୍ରକାଶ ଗଡତ୍ୟା ପ୍ରମୁଖ ମଂଚାସୀନ ରହି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ । କବି ବୃନ୍ଦାବନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ । ସହ ସଂପାଦକ ଅକ୍ଷୟ କୁମାର ବେହେରା, ଜଗନ୍ନାଥ ପଣ୍ଡା, ରାଜୀବ ଲୋଚନ ପାଢୀ, ଯୁଗଳ କିଶୋର ଷଡଙ୍ଗୀ, ଗଜାନନ ମିଶ୍ର, ନରସିଂହ ସାହୁ, ଚିତ୍ତ ରଂଜନ ଚାନ୍ଦ, ହରିଶ ରାଏଠଠା, ଯଶୋବନ୍ତ ସାହୁ, ଅଭିନ କିଶୋର ରଥ, ସୁଦର୍ଶନ ବେହେରା, ପର୍ଶୁରାମ ପାଣିଗ୍ରାହୀ, ଅନିରୁଦ୍ଧ ସାହୁ, ପଞ୍ଚାନନ ତାଣ୍ଡି, ନିଲୁ ମୋହନ ପଧାନ ଓ ସୋହନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।