- ଦେବଶିଷ ମିଶ୍ର
ସକାଳୁ ତରବରରେ ଉଠୁ ଉଠୁ ମନେପଡିଲା ଆରେ ଆଜି ପରା ଗାନ୍ଧୀ ଜୟନ୍ତି । ନିଉଜ୍ କଭର୍ କରିବା ପାଇଁ ବାହାରି ଗଲି । ଯାଉ ଯାଉ ସାଥୀ ସାମ୍ବାଦିକ ବନ୍ଧୁ ସହ ଦେଖା ହୋଇଗଲା । ବନ୍ଧୁ ପଚାରିଲା- କ’ଣ ବେ, ଆଜି ବି ଲେଟ୍, ଠିକ୍ କଲୁ ଏବେ ବୁଢାର ମଣ୍ଡପ ସଜା ଚାଲିଛି । ସରିଲେ ବାବୁ ଆସିବେ । ରାମଧୂନ୍ ବାଜିବ, ଫୁଲ ମାଳ ଦେବେ, କେତେ କ’ଣ ସବୁ କହିବେ… ତାପରେ ଯିବେ । ମୁଁ ଥଟ୍ଟାରେ ପଚାରିଲି- ଫୁଲ ମାଳ ଦେଉଥିବା ବଡ ବାବୁ କ’ଣ ସତରେ ଗାନ୍ଧୀବାଦୀ ନା’ କେବଳ ଦାୟିତ୍ୱବାଦୀ? ଉତ୍ତର ଆସିଲା – ହେଃ…, କିଛି ଦାୟିତ୍ୱ ଫାୟିତ୍ୱବାଦୀ ନୁହଁ ମ’, ଆଜି ସକାଳୁ ପରା ଗାନ୍ଧୀ ମୁଣ୍ଡ ଉପରେ ଛାତ ପଡିଛି । ତେବେ ବର୍ତ୍ତମାନ ରୀତିନୀତିକୁ ଦେଖିଲେ ତୁ ଅବସରବାଦୀ କହିପାରୁ । ଆରେ ଗାନ୍ଧୀ କିଏ, ସେ କିଏ ? ଅଧସ୍ତନ କର୍ମଚାରୀଙ୍କୁ ପରା ଗୋଟିଏ ଗୋଡରେ ଛିଡା କରିଛି । ଭୁଲ ହେଉ ନହେଉ, ରାମ୍ପୁଡି ଦେବ… ବୁଝିଲୁ । ଅଧସ୍ତନଙ୍କ ସହ ଭାଇଚାରା କାହିଁ, ସବୁ ଉପରକୁ, ଏଇ ଦେଖ୍ ଆସିଗଲା । ତା ସାଙ୍ଗରେ ଦେଖ୍ ସାର୍ଟ ହାତ ମୋଡା ବାବୁ ବି ଆସିଛନ୍ତି । ଚକ୍ ଚକ୍ ଯୋତାକୁ କଡ଼ା ଆଇରନ୍ ଦିଆ ଡ୍ରେସ୍ । ମୁଁ କହିଲି- ଇଏ ଠିକ୍ ଗାନ୍ଧୀବାଦୀ ହୋଇଥିବେ, ତାଙ୍କ ଡ୍ରେସ କହୁଛି । ସେ କହିଲା- ଯା’ ବେ, ସାମ୍ବାଦିକତା କରୁଛୁ ନା’ ଆଉ କଣ ? ଏଇ ହାତ ମୋଡା ଡ୍ରେସ୍ ଛଡ଼ା ତାର କିଛି ନାହିଁ । କୋଉଁଠୁ ଆସିଲା କେଜାଣି, ଆସିଲା ଦିନ ଠୁ ସାରା ସହର ଅଶାନ୍ତ । ଚୋର ଖଂଟଙ୍କ ଯାହା ଡ଼ର ଭୟ ଥିଲା, ତାହା ବି ଗଲା । ହଁ, ଯଦି ନୋଟ୍ ଗାନ୍ଧୀ କଥା କହୁଛୁ, ତେବେ ସେଇଟା ପୁଳା ପୁଳା ବାହାରିଛି । ମୁଁ କହିଲି- ଆରେ ଗାନ୍ଧୀବାଦୀ ହେବା ଏକ ବ୍ୟକ୍ତିଗତ ବିଷୟ, ଆଉ ୟା ଉପରେ ତୁ ଯାହା ସବୁ କହୁଛୁ, ସେସବୁ ବିଭଗୀୟ ବୁଝିଲୁ । କହିଲା – ସେଥିପାଇଁ ତ’ କହିଲି ସାମ୍ବାଦିକତା କରୁଛୁ ନାଁ ଆଉ କଣ, ଏଇ ବିଭାଗ ପରା ଚୋର ଠୁଁ ଡକାୟତି କରେ, ଆଉ ସେଇ ବିଭାଗର ଇଏ ବଡବାବୁ, ବୁଝିଲୁ ! ହଉ ହଉ ତୋ’ ମତରେ କେହି ଗାନ୍ଧୀବାଦୀ ନୁହନ୍ତି, ସମସ୍ତେ କେବଳ ଫୁଲମାଳ ଦେବା ପାଇଁ ଆସିଛନ୍ତି । ଏବେ ଠିକ୍ ବୁଝିଲୁ, ଦେଖୁନୁ ନିଜ୍ ହକ ପାଇଁ ମୁର୍ତ୍ତି ତଳେ ବସିଥିବା ଆନ୍ଦୋଳନକାରୀଙ୍କୁ କାର୍ଯ୍ୟକ୍ରମ ସରିବା ଯାଏଁ ବାହାରେ ରହିବାକୁ କୁହାଯାଇଛି । କାର୍ଯ୍ୟକ୍ରମ ସରିବା ଯାଏଁ ସମସ୍ତେ ବାପୁ, ବାପୁ…! କାଲିଠୁଁ ପୁଣି ଏମାନେ ବାପୁଙ୍କ ନୀତି ଆଦର୍ଶକୁ ସର୍ବସମ୍ମୁଖରେ ଗୁଳି କରିବେ, ଗୁଳି କଲା ବାଲା ତ’ କେବେ ଗାନ୍ଧୀବାଦୀ ନୁହଁ । ମୁଁ କହିଲି – ଆଉ ଏଇ ସବୁ ସରକାରୀ ବାବୁ କଣ ସେମିତି? କହିଲା – ଆରେ ଖଜୁରି ଗଛର କି ଗୁଣ ଗାଇବି…।` ହଉ ହଉ କାର୍ଯ୍ୟକ୍ରମ ଆରମ୍ଭ ହେଇଗଲା, ଯା’ ତୁ ବି ଫୁଲ ମାଳଟେ ଦେଇ ଆସେ । ମୁଁ ପଚାରିଲି – ତୁ କାହିଁକି ଯିବୁନି, ତୋର କଣ ଅସୁବିଧା? କହିଲା – ବୁଝୁନୁ, ମୁଁ ଏଇ ପ୍ରଫେସନ୍ରେ କେତେ ପୁରୁଣା ହେଲିଣି, ଆଉ କ’ଣ ବାକି ଅଛି! ରଙ୍ଗ ଲାଗି ସାରିଛି… ମୋର ହକ୍ ନାହିଁ । ମୁଁ ଯିବିନି, ତୁ ଯାଆ । କହିଲି – ତୋର କଥା ଶୁଣିକି ବାପୁଙ୍କୁ ଫୁଲମାଳ ଦେବାକୁ ମୋର ବି ସତ୍ ସାହାସ ହେଉନି, ସତ୍ୟ ଆଉ ଅହିଂସାରୁ ମୁଁ ବି ଖୁବ୍ ଦୂରରେ । ଚାଲ୍ ଫଟୋ ଉଠାଇ ପଳେଇବା । ଘରକୁ ଫେରି ନ୍ୟୁଜ୍ କଲା ବେଳେକୁ ସତରେ ମନେହେଲା – ଗାନ୍ଧୀ ପଥେ ନଚାଲିଲେ, ସତ୍ୟ ଅହିଂସା ନ ମାନିଲେ, କି ହେବ ଗାନ୍ଧୀ ଭଜିଲେ…. କି ହେବ ଗାନ୍ଧୀ ଭଜିଲେ …. ।
ସେ ଯାହା ହେଉ, ମୋର ବନ୍ଧୁର ନିଜସ୍ୱ ସତ୍ୟତାକୁ ନିର୍ବିକାର ଭାବେ ସ୍ୱୀକାର କରିବା ମତେ ବେଶ୍ ପ୍ରଭାବିତ କରିଥିଲା ।
ମୋ.ନଂ.- ୯୪୩୯୦୩୦୦୦୫