ବଲାଙ୍ଗିରର ଆଇନ୍ ବ୍ୟବସ୍ଥା : ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା..

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସମୟ ହେବ ବଲାଙ୍ଗିର ଅପରାଧ ଓ ଅପରାଧୀଙ୍କ ପାଇଁ ଚରା ଭୂଇଁ ପାଲଟିଛି । ଚୋରି, ଡକାୟତି, ରାହାଜାନୀ, ହତ୍ୟା ଓ ନିଶା ମାଫିଆଙ୍କ ସୁଅରେ ସାରା ଜିଲ୍ଲା ଉବୁଟୁବୁ ହେଉଥିବା ବେଳେ ଜିଲ୍ଲାରେ ଆଇନ ବ୍ୟବସ୍ଥା ଦାୟିତ୍ୱରେ ଥିବା ଆଦର୍ଶ ପୋଲିସ ବିଭିନ୍ନ ଘଟଣାରେ ନିଜର ସଂପୃକ୍ତି ଲୁଚାଇବାରେ ସଂଘର୍ଷ କରୁଛି । ନିତି ଆଦର୍ଶ ଓ କର୍ତ୍ତବ୍ୟକୁ ଜଳାଞ୍ଜଳି ଦେଇ କେତେ ବେଳେ ଭିଜିଲାନ୍ସ୍ ହାବୁଡରେ ପଡି ମାନ ମହତ ହରାଉଛି ତ ଆଉ କେତେ ବେଳେ ଚୋର ଧରି ଚୋରିଟଙ୍କା ହଡପ କରିଥିବା ଅଧିକାରୀ, ନିଜକୁ ପୋଲିସ ବୋଲାଇବା ପାଇଁ ନ୍ୟାୟର ଲଢେଇ ଲଢୁଛି । ଏହି ଭଳି ଜିଲ୍ଲା ପୋଲିସ ପ୍ରତ୍ୟହ ଅପରାଧୀଙ୍କ ମନରେ ଭୟ ଓ ଜନମାନସରେ ନିଜସ୍ୱ ସତ୍ତା ହରାଉଥିବା ବେଳେ ସିଏ ପୁଣି ଜିଲ୍ଲାବାସୀଙ୍କୁ ସୁରକ୍ଷା ଯୋଗଇ ଦେବା “ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା” ଉକ୍ତିକୁ ଚରିତାର୍ଥ କରିଛି ବୋଲି ବୁଦ୍ଧିଜୀବୀମାନେ କଟାକ୍ଷ କରୁଛନ୍ତି ।

ସାଧାରଣତଃ, ନିର୍ଧନ ପାଖରୁ ଅର୍ଥର ଆଶା କରିବାକୁ ହିନ୍ଦି ସାହିତ୍ୟରେ “ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା” ଉକ୍ତି ଦ୍ୱାରା ପରିପ୍ରକାଶ କରାଯାଇ ଥାଏ । ଗାଧୋଇଲା ବେଳେ ଲୋକେ ପ୍ରାୟତଃ ଗାଧୋଇବା ସହ ବସ୍ତ୍ରକୁ ଧୋଇ ଦେଇ ତାକୁ ନିଚୁଡି ଶୁଖାଇ ଦିଅନ୍ତି । କିନ୍ତୁ, ଯିଏ ନିଜେ ନଙ୍ଗଳା ସିଏ ଧୋଇବ କଣ ଆଉ ନିଚୁଡିବ ବା କଣ ? ସେହିପରି ଆଦର୍ଶ ବଲାଙ୍ଗିର ପୋଲିସର ବିଭିନ୍ନ ଅଧିକାରୀ ଖୋଦ ବେଆଇନ କାର୍ଯ୍ୟରେ ଲିପ୍ତ ରହି ନିଜସ୍ୱ ବିଭାଗ ତଥା ଆଇନ ଜାଲରେ ଛନ୍ଦି ହୋଇଥିବା ବେଳେ ଜିଲ୍ଲାର ସାଧାରଣ ଜନତାଙ୍କୁ କିଭଳି ଆଇନ ସୁରକ୍ଷା ଯୋଗଇ ଦେବେ ତାହା ଏବେ ବଡ ପ୍ରଶ୍ନବାଚୀ ହୋଇ ରହିଛି । ପୋଲିସ୍ ନାଁ ଶୁଣି ଅପରାଧୀ ଛତ୍ରଭଙ୍ଗ ଦେବେ ଓ ଜନତା ମୋ ପୋଲିସ କହିବ ଆଶାରେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ଚେଷ୍ଟାରତ ଥିବା ବେଳେ ଜିଲ୍ଲା ପୋଲିସର ଏହି ଦୂରାବସ୍ଥା ଅପରାଧୀମାନଙ୍କୁ ଅପରାଧ ଘଟାଇବାରେ ମନୋବଳ ଯୋଗାଉଛି । ଅଂଚଳରେ ଅପରାଧ ଏପରି ସୀମା ଲଂଘିଛି ଯେ, ପ୍ରତିଦିନ ଲୁଟ୍‌ତରାଜ୍‌ ରାହାଜାନି ନିତିଦିନର ଖବର ମଣ୍ଡନ କରୁଥିବା ବେଳେ କେଉଁଠି ବିଚ୍ ରାସ୍ତାରୁ ତ ଆଉ କେଉଁଠି ବୁଦା ତଳୁ ରକ୍ତାକ୍ତ ମୃତ ଦେହ ମିଳୁଛି । ସଦା ସୁରକ୍ଷିତ ମା’ କୋଳରେ ଥିବା ପୁଅ ବି ଏଠି ସୁରକ୍ଷିତ ନୁହନ୍ତି । ଧର୍ମ କର୍ମ ପାଇଁ ଉଦ୍ଦିଷ୍ଟ ବ୍ରହ୍ମମୁହୁର୍ତ୍ତରେ କେହି ଦୁର୍ବୁର୍ତ୍ତଙ୍କ ଖଣ୍ଡା ଭୁଜାଲିର ଶିକାର ହେଉଛନ୍ତି ତ ଆଉ କେହି ଶିକ୍ଷା ଦିକ୍ଷାର ମନ୍ଦିର ପଛପଟେ ନିଶାଶକ୍ତଙ୍କ ହାତରେ ଜୀବନ ହରାଉଛନ୍ତି । ବିଗତ ଦିନରେ ଅନ୍ଧାର ରାତି ନିଛାଟିଆ ଅଂଚଳକୁ ଡରୁଥିବା ସହରବାସୀ ଏବେ ସହରର କୌଣସି ଅଂଚଳରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । କେତେବେଳେ କାହା ମୁଣ୍ଡରେ ଖଣ୍ଡା ମାଡ ହେବା ଭୟରେ ଲୋକେ ଏଠି ଭୟଭୀତ । ଆହୁରି ଅପରାଧୀ ବେଧଡକ ଭାବେ ଅପରାଧର ଭିଡିଓ କରି ସାମଜିକ ଗଣ ମାଧ୍ୟମରେ ଭାଇରାଲ କରିବା ଜିଲ୍ଲା ପୋଲିସର ପାରିବା ପଣିଆକୁ ସାଧାରଣରେ ପରିହାସ କରୁଛି । ସେହିପରି ଅପରାଧର ଅନ୍ୟତମ ନିଶା କାରବାରକୁ ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଓ ସରକାରୀ ସୁରକ୍ଷା ପ୍ରାପ୍ତ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଥିବା ଭ୍ରମ ସୃଷ୍ଟି ହେଉଛି । ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନମାନଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ ସରକାରୀ ସୁରକ୍ଷା ପ୍ରାପ୍ତ ଦୋକାନମାନଙ୍କରେ ବେରୋକ ଟୋକ ଭାବେ ମଦ, କଫ୍‌ ସିରପ୍‌ ଓ ନିଶା ବଟିକା ବ୍ୟବସାୟ ହେଉଥିବା ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଏହାକୁ ସୁରକ୍ଷା ପ୍ରଦାନ କରୁଥିବା ବହୁ ଦିନରୁ ଅଭିଯୋଗ ରହିଛି । ତା’ ଛଡା ସହଜ ଅର୍ଥ ଲୋଭ ଓ ନିରଙ୍କୁଶ ନିଶା କାରବାର ବେକାର ଯୁବକଙ୍କୁ ଅପରାଧ କ୍ଷେତ୍ରରେ ଟାଣି ନେଉଛି । ତେଣୁ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ସୁଧାରିବାକୁ ହେଲେ ଜିଲ୍ଲା ପୋଲିସ ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!