ଫେବୃଆରୀ ଚଉଦ ଓ ଲାଲ ଗୋଲାପ

ମୀନା ମହାରଣା

ଇଉରୋପ ମହାଦେଶର ରୋମ ଏକ ସମୃଦ୍ଧ ଓ ରୋମାଂଚକର ନଗରୀ ଭାବେ ଖ୍ୟାତ । ଚତୁର୍ଥ ଶତାବ୍ଦୀର ଶେଷ ଭାଗରେ ତଥା ପଂଚମ ଶତାବ୍ଦୀର ଆରମ୍ଭ ବେଳେ ରାଜା କ୍ଳଡିଅସ ଦ୍ୱିତୀୟ ରୋମରେ ରାଜତ୍ୱ କରୁଥିଲେ । ତାଙ୍କର ନିଷ୍ଠୁର ଓ ଆତଙ୍କବାଦୀ ଶାସନ ପାଇଁ ସେ ପ୍ରସିଦ୍ଧ ଥିଲେ । ଇଉରୋପରେ ବିବାହ ଏକ ସାମାଜିକ ପରମ୍ପରା ନଥିଲା । ରାଜା କ୍ଳଡିଅସ ବିବାହର ଶକ୍ତ ବିରୋଧୀ ଥିଲେ । କ୍ଳଡିଅସ ନାରୀମାନଙ୍କୁ ହୀନଚକ୍ଷୁରେ ଦେଖୁଥିଲେ । ତାଙ୍କ ମତ ଅନୁସାରେ ନାରୀମାନଙ୍କୁ ପତ୍ନୀ ନୁହେଁ ରକ୍ଷିତା ଭଳି ରଖିବା ଉଚିତ । ଏଣୁ ବିବାହ ନ କରିବାର ପରମ୍ପରା ଇଉରୋପ ଇତିହାସରେ ଆଇନ ସମ୍ମତ ଥିଲା ।

ସେତେବେଳେ ରୋମରେ ଜଣେ ସନ୍ଥଙ୍କ ଆବିର୍ଭାବ ହେଲା, ଯାହାଙ୍କ ନାଁ ଭାଲେନ୍‌ଟାଇନ୍‌ । ସେ ଜଣେ ପାଦ୍ରୀ ଥିଲେ । ସେ ବିବାହ କରିବାକୁ ଓ ଖୁସି ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଥିଲେ । ସେ ଭାରତୀୟ ମହାନ ପରମ୍ପରା ତଥା ସାହିତ୍ୟ ବିଷୟରେ ସେ ଅବଗତ ଥିଲେ । ଏକ ସ୍ତ୍ରୀ ବ୍ରତ ଓ ତାର ଉପକାରିତା ବିଷୟରେ ଲୋକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଚର୍ଚ୍ଚକୁ ଆଣି ବିବାହ କରାଉଥିଲେ । ସୁଖୀ, ସୁସ୍ଥ ଏବଂ ଯୌନରୋଗମୁକ୍ତ ଜୀବନ ତଥା ମାନସିକ ଶାନ୍ତି ପାଇଁ ବିବାହ ହିଁ ଏକମାତ୍ର ଉପାୟ ବୋଲି ଲୋକଙ୍କୁ ପ୍ରେରଣା ଯୋଗାଉଥିଲେ । ସେତେବେଳେ ଭାରତର ବଣିକମାନେ ଆଫ୍ରିକା ମହାଦେଶ ଦେଇ ଇଉରୋପକୁ ବାଣିଜ୍ୟ କରିବାକୁ ଯାଉଥିଲେ । ସେମାନଙ୍କ ହାତରେ କିଛି ଭାରତୀୟ ଗ୍ରନ୍ଥ ମଗାଇ ପଢୁଥିଲେ ଓ ସୁଖୀ ଜୀବନ ଜିଇଁବାର ଅଦ୍ଭୁତ ରହସ୍ୟ ପ୍ରଚାର ଓ ପ୍ରସାର କରୁଥିଲେ ।

ରାଜା କ୍ଳଡିଅସ ଦ୍ୱିତୀୟ ଲୋକଙ୍କ ଠାରୁ ଏସବୁ ପ୍ରଚାର ବିଷୟରେ ଶୁଣି ନିଆଁବାଣ ହୋଇ ଯାଇଥିଲେ । ସେତେବେଳେ ରାଜାମାନଙ୍କ ମୁହଁରୁ ଯାହା ବି ବାହାରୁଥିଲା ସେଇଟା ହୋଇଯାଉଥିଲା ଦେଶର ଆଇନ । ରାଜା ସନ୍ଥ ଭେଲେନ୍‌ଟାଇନ୍‌ଙ୍କୁ ଶେଷରେ ରାଜରାସ୍ତାରେ ଫାଶୀ ଦେବା ପାଇଁ ଆଦେଶ ଦେଇଥିଲେ । ପ୍ରକାଶ ଥାଉ କି, ୧୯୫୦ ମସିହା ପର୍ଯ୍ୟନ୍ତ ରାଜରାସ୍ତାରେ ଫାଶୀ ଦେବା ବ୍ୟବସ୍ଥା ବଳବତ୍ତର ଥିଲା ।

ସନ ୪୯୮ ଫେବୃଆରୀ ଚଉଦ ତାରିଖରେ ତାଙ୍କୁ ସର୍ବସାଧାରଣଙ୍କ ଉପସ୍ଥିତି ତଥା ତାଙ୍କର ଅନୁଗତମାନଙ୍କ ସାମ୍ନାରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହିଦିନକୁ ଖ୍ରୀଷ୍ଟିଆନ ସଂପ୍ରଦାୟ ଏକ ମୃତାହ ପର୍ବ ଭାବରେ ପାଳନ କରନ୍ତି । ସନ୍ଥ ଭେଲେନ୍‌ଟାଇନ୍‌ଙ୍କୁ ମନେ ପକାଇବା ପାଇଁ ସେଇ ଦିନ ଲାଲ ଗୋଲାପକୁ ପ୍ରେମ ତଥା ଭଲ ପାଇବାର ପ୍ରତୀକ ଭାବରେ ଦିଆନିଆ ହୁଅନ୍ତି । ଫେବୃଆରୀ ଚଉଦ ତାରିଖ ପ୍ରତିବର୍ଷ ଭାଲେନ୍‌ଟାଇନ୍‌ ଦିନ ବୋଲି ଇଉରୋପରେ ପାଳନ କରାଯାଏ ।

କିନ୍ତୁ ଭାରତ ଭଳି ଏକ ପ୍ରାଚୀନ ପରମ୍ପରାକୁ ସମ୍ମାନ ଦେଉଥିବା ଦେଶରେ ଭାଲେନଟାଇନ୍‌ ଡେ’ ବହୁଳ ଭାବରେ ପାଳନ କରାଯାଉଛି, ଯଦିଓ ପାକିସ୍ତାନ ଓ ଇଣ୍ଡୋନେସିଆ ଭଳି ଦେଶରେ ୨୦୧୭ ମସିହାରୁ ଏଥିରେ ପ୍ରତିବନ୍ଧକ ଲାଗି ସାରିଛି । ହିନ୍ଦୁ ସଂସ୍କୃତିକୁ ଅଣଦେଖା କରି ଆଜିକାର ଯୁବପିଢ଼ି ଅନ୍ଧ ଭାବରେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଛନ୍ତି । ବିଭିନ୍ନ ପ୍ରକାରର କାର୍ଡ ଓ ଲାଲ ଗୋଲାପ ଦେଇ ନିଶ ଉଠି ନଥିବା କିଶୋରମାନେ ‘would you be my valentine this year ?’ ବୋଲି କିଶୋରୀମାନଙ୍କୁ ପଚାରୁଛନ୍ତି । କେଇ ଜଣ ନବବର୍ଷର ଶୁଭେଚ୍ଛା ଭଳି ଗୁରୁଜନଙ୍କ ପ୍ରତି ବି ଏଇ ଅପଶବ୍ଦ ପ୍ରୟୋଗ କରିବାରେ ପଛାଉ ନାହାନ୍ତି ।

ପ୍ରେମ ବିଷୟରେ ପରିପକ୍ୱତା ନଥିବା ଯୁବ ପିଢ଼ିଙ୍କ ବ୍ୟବହାର ଦେଖିଥିଲେ ଲଜ୍ୟାରେ ମୁଣ୍ଡ ନଇଁଯାଏ । ପାର୍କ, ନଦୀକୂଳ, ନିଛାଟିଆ ସ୍ଥାନ ତଥା ହୋଟେଲ ମାନଙ୍କରେ ମଧ୍ୟ ଭେଲେନ୍‌ଟାଇନ୍‌ ଡେ’ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ କିଶୋର କିଶୋରୀମାନେ ପ୍ରେମ କ’ଣ ଜାଣିବା ଆଗରୁ ଉତ୍‌ଶୃଙ୍ଖଳତାର ରଜ୍ଜୁରେ ନିଜକୁ ବାନ୍ଧିବାକୁ ବାଧ୍ୟ ହୋଇ ଯାଉଛନ୍ତି । ଏହା ଆମର ସଂସ୍କାର ନୁହେଁ କି ପରମ୍ପରା ବି ନୁହେଁ । ଏଣୁ ସବୁ ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ, ଗୁରୁଜନମାନଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ ରହିଛି, ପିଲାମାନଙ୍କୁ ପାଶ୍ଚାତ୍ୟ ସଭ୍ୟତାରୁ ମୁକ୍ତ କରି ସଠିକ ମାର୍ଗଦର୍ଶନ କରାଇବା ଏବଂ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିବା ।

ସୁବର୍ଣ୍ଣପୁର
୯୪୩୯୫୭୯୪୩୫

Leave A Reply

Your email address will not be published.