ଶିକ୍ଷକ ଗୌରବ ସାହିତ୍ୟ ସୌରଭ ଶ୍ରୀମାନ ଲଲିତ ମୋହନ ସାହୁ

  • ରଘୁନାଥ ମିଶ୍ର

ନା ଥିଲା ତାଙ୍କର କୋଉ କବି ବା ଲେଖକ ହେବାର ଆଶା ଅବା ନା ଥିଲା ବି କେବେ କୋଉ ସାହିତ୍ୟିକ ଭାବେ ନାଁ କରିବାର ନିଶା । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଗଉନ୍ତିଆ ଶ୍ରୀ ବାଳମୁକୁନ୍ଦ ସାହୁ ଏବଂ ଗଉନ୍ତିଆଣୀ ଶ୍ରୀମତୀ ଛାୟା ଦେବୀଙ୍କ ଷଡପୁତ୍ରଙ୍କ ମଧ୍ୟରେ ସର୍ବ କନିଷ୍ଠ ଶ୍ରୀ ସାହୁ ଥିଲେ ପିତାମାତାଙ୍କ ଅତି ଅଳିଅଳ ତଥା ଭ୍ରାତୁ ମଣ୍ଡଳୀର ଅତ୍ୟନ୍ତ ଗେଲବସର। ଚାହିଁଥିଲେ ସେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇ କୋଉ ବଡ ଚାକିରି କରି ପାରିଥାନ୍ତେ । କିନ୍ତୁ ତାଙ୍କ ପିତୃ ମାତୃ ସ୍ନେହ ଓ ଭକ୍ତି, ଗାଁ ମାଟିର ମୋହ ତଥା ସେତେବେଳେ ଅତି ଅବିକଶିତ ଅବ୍ୟବସ୍ଥିତ ନିଜ ଗାଁ ଭୂଇଁରେ ଶିକ୍ଷା ଭିତ୍ତିଭୂମି ପ୍ରତିଷ୍ଠାର ପରମ ପ୍ରାକାଂକ୍ଷା ତାଙ୍କୁ ନିଜ ଗାଁ ମାଟିରେ ହିଁ ଶିକ୍ଷକ ହେବାକୁ ପ୍ରେରିତ କଲା ।

ସେତେବେଳେ ଗାଁରେ ବଡ଼ କଷ୍ଟରେ ଶିକ୍ଷାପ୍ରେମୀମାନଙ୍କ ପ୍ରବଳ ପ୍ରଚେଷ୍ଟାରେ ପ୍ରାଥମିକ ବିଦ୍ୟାଳୟ ଟିଏ ହୋଇ ପାରିଥିଲା । ଅଧିକ ପଢିବାକୁ ହେଲେ ଅତି ଦୁର୍ଗମ ରାସ୍ତାରେ ଦୂର ଦୂରାନ୍ତକୁ ଯିବାକୁ ପଡୁଥିଲା । ତେଣୁ ଗାଁର ଅଧିକାଂଶ ପିଲା ତୃତୀୟ କିମ୍ବା ପଞ୍ଚମ ଶ୍ରେଣୀ ପରେ ପାଠ ଛାଡି ନିଜକୁ କୌଳିକ ବୃତ୍ତିରେ ଲଗେଇ ଦେଉଥିଲେ । ଏହି ପରିସ୍ଥିତିର ପରିବର୍ତ୍ତନ ପାଇଁ ଗାଁର ତୁଙ୍ଗ ଶିକ୍ଷାପ୍ରେମୀମାନଙ୍କ ସହ ମିଳିତ ହୋଇ ଅଣ୍ଟା ଭିଡିଥିଲେ ଶ୍ରୀ ସାହୁ ଏବଂ ବିନା ଗୃହ, ବିନା ଆସବାବ ଓ ବିନା ଶିକ୍ଷା ସାମଗ୍ରୀରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଆରମ୍ଭ କରି ନିଜ ଘର ବାରଣ୍ଡାରେ ଓ ପରେ ଗାଁ ମଝିରେ ଥିବା ପୂର୍ବତନ ଜମିଦାରଙ୍କ ଫଟା ମହଲ ନାମକ ଏକ ପରିତ୍ୟକ୍ତ ଘରେ ପାଠ ପଢେଇଲେ । ପରେ ଶ୍ରୀ ସାହୁ ଓ ଗାଁର ଜନ ସାଧାରଣଙ୍କ ଅକ୍ଲାନ୍ତ ଅଧ୍ୟବସାୟ ଯୋଗୁଁ ବିଦ୍ୟାଳୟର ନିଜସ୍ୱ ଗୃହ ହେଲା ଓ ପରେ ପରେଉଚ୍ଚ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେଲା ଯାହା ଆଜି ଅଞ୍ଚଳ ପାଇଁ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଛି ।

ଶିକ୍ଷକତା ପାଇଁ ସଂପୂର୍ଣ୍ଣ ସମର୍ପିତ ଶ୍ରୀ ସାହୁଙ୍କ ଚିନ୍ତା ଓ ଚେତନାକୁ ଯେ ସଦା ଆଚ୍ଛନ୍ନ ରଖୁଥିଲେ ବିଦ୍ୟାଳୟ, ଶ୍ରେଣୀକକ୍ଷ ଓ ଛାତ୍ର ଛାତ୍ରୀ ଏହା ତାଙ୍କର ଏକ ଛାତ୍ର ଭାବେ ମର୍ମେ ମର୍ମେ ମୁଁ ଅନୁଭବ କରିଛି । ବିଦ୍ୟାଳୟ ସମୟ ବାହାରେ ଅନ୍ୟ ସମୟରେ ସେ ଯେତେ ଯାହା ବି କରୁଥାନ୍ତୁ ନା କାହିଁକି ଯେମିତି ଭାଗବତ କହେ “ସକଳ କର୍ମ କରୁଥିବ – ମନର ସୂତ୍ର ନ ଛାଡିବ, ସେମିତି ସେ ଅନ୍ତର୍ମନରେ ସଦା ଗୁଣି ଘାରି ହେଉଥିଲେ ଯେ ପରଦିନ ପିଲାଙ୍କୁ କଣ କହିବେ,ପାଠ୍ୟ ବିଷୟକୁ କିପରି ଅବତାରଣା କରିବେ ବା ପଠିତ ପାଠର କିପରି ପରୀକ୍ଷା ନେବେ। ପିଲାଙ୍କୁ ଶିକ୍ଷା ଦେବା ହିଁ ଥିଲା ତାଙ୍କ ମନର ସୂତ୍ର । ସେ ଶ୍ରେଣୀକୁ ଆସୁ ଆସୁ ଆଗ ନିଶ୍ୱୟ ପିଲା ବହେ ହସିବେ । ତାପରେ ଏଣୁ ତେଣୁ ଆକର୍ଷଣୀୟ କଥା କହି କେତେବେଳେ ପାଠ ଭିତରକୁ ନେଇଯିବେ ଯେ କେହି ଜାଣି ପାରିବେ ନାହିଁ । ବାସ୍ତବରେ ତାଙ୍କ ଶିକ୍ଷାଦାନ ଶୈଳୀ ନିଆରା ତଥା ଅତି ଆକର୍ଷକ । ପିଲାମାନେ ବେଳ ଗଣୁଥାନ୍ତି ଯେ ପୁଣି କେତେବେଳେ ତାଙ୍କ ଆଗେ ଯାଇ ବସିବେ ଓ ତାଙ୍କ ମୁହଁରୁ ଶୁଣିବେ ।

ଏମିତି ଏକ ଛାତ୍ରପ୍ରାଣ ଜୀବନକୁ ଅବସର ନାଁରେ ଯେତେବେଳେ ଛାତ୍ରଙ୍କୁ ସମ୍ବୋଧନ କରିବାରୁ ଅବ୍ୟାହତି ମିଳିଗଲା, ଯାହା ଜଣା ପଡୁଛି ଜୀଇଁବା ଦୁଷ୍କର ହୋଇ ପଡିଲା ଶ୍ରୀ ସାହୁଙ୍କ ପାଇଁ । ଛାତ୍ରଙ୍କୁ ଝୁରି ତାଙ୍କ ସମ୍ମୁଖରେ କିଛି ନା କିଛି କହିବାର କାମନାରେ ଅତିଷ୍ଠ ହୋଇ ବାଧ୍ୟରେ ସେ କଲମ ଧରିଲେ ଏବଂ ଅକ୍ଷରର ରୂପ ଦେଇ ଚାଲିଲେ ତାଙ୍କ ଛାତ୍ର ବତ୍ସଳ ଉଚ୍ଛଳ ଭାବନା ସବୁକୁ, ଯାହା ଆଜି ପାଞ୍ଚଟି ଉଜ୍ଜ୍ଵଳ ସାହିତ୍ୟ କୃତି ରୂପେ ସର୍ବ ସମକ୍ଷରେ ବିଦ୍ୟମାନ । ତାଙ୍କର ଜଣେ ପ୍ରିୟ ଛାତ୍ର ଭାବେ ତାଙ୍କ ସେ ପଞ୍ଚ କୃତିକୁ ପଢି ମୋ ଆଖିରେ ଲୁହ ଆସି ଯାଉଛି ଅନୁଭବ କରି ଯେ ସେ କେତେ ଝୁରୁଛନ୍ତି ଆଜି ଆମକୁ । ଏଇ ଅମାନିଆଁ ହେଇ ଝରି ଆସୁଥିବା ଆଖି ଲୁହକୁ ତାଙ୍କ ଶ୍ରୀଚରଣ କମଳରେ ଭେଟି ଦେଇ ତାଙ୍କ କୃତି ସମୁହର ସାମାନ୍ୟ ଆଲୋଚନା ଟିଏ କରୁଛି ।

୧. ପିତୃ ମାତୃ ପୂଜା ବା ପିତା ମାତା ବ୍ରତ କଥା
ପ୍ରଚଳିତ ବିଭିନ୍ନ ବ୍ରତ କଥା ଶୈଳୀରେ ସାଧାରଣ ପୁରାଣ ବାଣୀ ବାଦାଣ୍ଡି ବୃତ୍ତିରେ ଲିଖିତ ମାତ୍ର ୨୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରମାନବିକ ଓ ସାମାଜିକ ମୂଲ୍ୟବୋଧ ଅତ୍ୟନ୍ତ ଉଚ୍ଚ କୋଟୀର । ଆମ ଶାସ୍ତ୍ରାଦି କହନ୍ତି – ପିତା ସ୍ଵର୍ଗ ଏବଂ ମାତା ସ୍ଵର୍ଗାଦପି ଗରୀୟସୀ । ପୁନଶ୍ଚ – ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା । ଅତଃ ଏଇ ପିତା ମାତାଙ୍କୁ ସେବା ଭକ୍ତିରେ ସନ୍ତୁଷ୍ଟ ରଖି ପାରିଲେ ତାଙ୍କ ଆଶୀର୍ବାଦରେ ହିଁ ଜୀବନ ସଫଳ ଓ ସକଳ ସିଦ୍ଧିପ୍ରାପ୍ତ ହୋଇ ପାରିବ। ଆଉ କୋଉ ଦେବାଦେବୀ ପୂଜନର ଆବଶ୍ୟକତା ହିଁ ନାହିଁ । ଏମିତି ଅନେକ ଉଦାହରଣ ଆମ ପୁରାଣାଦିରେ ବି ରହିଛି । ଶ୍ରୀ ଗଣେଶ ପିତା ମାତାଙ୍କୁ ହିଁ ପୃଥିବୀ ମଣି ପ୍ରଦକ୍ଷିଣ କରି କୃପା ଲାଭ କଲେ ଓ ସିଦ୍ଧିଦାତା ବିଘ୍ନହର୍ତ୍ତା ହୋଇ ପାରିଲେ ତଥା ସର୍ବ ଦେବତାଙ୍କ ମଧ୍ୟେ ଅଗ୍ରେ ପୂଜା ପାଇଲେ। ସେପରି ପିତୃ ଭକ୍ତି ଯୋଗୁଁ ନଚିକେତା ଯମଙ୍କୁ ଜିଣିଲେ ଏବଂ ଶ୍ରୀ ରାମଚନ୍ଦ୍ର ପୁରୁଷୋତ୍ତମ ଭାବେ ପରିଚିତ ହେଲେ । ଏପରି ଅନେକ ଅନେକ। ଅଥଚ ଅନେକ ଦେବାଦେବୀଙ୍କୁ ଅତି ଆଡମ୍ବରେ ପୂଜାର୍ଚ୍ଚନା କରୁଥିବା ଆଜିର ସମାଜରେ ଘରେ ଘରେ ବୃଦ୍ଧ ପିତା ମାତାମାନେ ଅବହେଳିତ ଓ ନିର୍ୟାତିତ। ପରମ ପିତୃ ମାତୃ ଭକ୍ତ ଶ୍ରୀ ସାହୁଙ୍କୁ ଏହା ଅତ୍ୟନ୍ତ ବିଚଳିତ କରିଛି। ଫଳରେ ସର୍ବ ପ୍ରଥମେ ତାଙ୍କ କଲମରୁ ନିଃସୃତ ହୋଇଛି ଏ ପିତୃ ମାତୃ ପୂଜା ବା ପିତା ମାତା ବ୍ରତ କଥା ପୁସ୍ତକ ଟି । ପାରମ୍ପରିକ ବ୍ରତ କଥା ପରି କିଛି କଳ୍ପିତ ଚରିତ୍ର ଓ ଘଟଣାକୁ କାହାଣୀ ମାଧ୍ୟମରେ ଅବତାରଣା କରି ତଥା ଅତି ସରଳ ଓ ସ୍ନେହିଳ ବିଧି ବିଧାନ ସଂଯୋଜିତ କରି ସେ ଚେଷ୍ଟା କରିଛନ୍ତି ଜନ ମାନସକୁ ପ୍ରରୋଚିତ କରିବାକୁ ପିତା ମାତାଙ୍କୁ ହିଁ ଇଷ୍ଟ ମଣି ତାଙ୍କ ସେବା ଯତ୍ନ କରିବାକୁ । ଅତି ଆଦୃତ ହୋଇ ଏ ପୁସ୍ତକଟି ଅବଶ୍ୟ ତାଙ୍କ ମହତ ଉଦ୍ଦେଶ୍ୟକୁ ସାଧିତ କରିବ ଏଥିରେ ସନ୍ଦେହ ନାହିଁ ।

ନଅଗାଁ(ଖ) ଗ୍ରାମର ଜଣେ ବିଚକ୍ଷଣ ସାହିତ୍ୟ ପ୍ରତିଭା ସମ୍ମାନିୟ ଶ୍ରୀ ଗଜେନ୍ଦ୍ର ଦଣ୍ଡସନା ଏ ପୁସ୍ତକ ସମ୍ପର୍କରେ ମତ ଦେଇ କୁହନ୍ତି, “ଏହା ଶୃଙ୍ଖଳିତ ସମାଜଟିଏ ଗଠନ କରିବାର ସ୍ଵପ୍ନକୁ ସାକାର କରିବାର ପ୍ରୟାସ ଆରମ୍ଭ ମାତ୍ର ଏବଂ ଏହି କ୍ଷୁଦ୍ର ପ୍ରୟାସଟି ସ୍ରଷ୍ଟା ଶ୍ରୀଯୁକ୍ତ ଲଳିତ ମୋହନ ସାହୁଙ୍କ ଜୀବନ ଓ ଜଗତକୁ ଭଲ ପାଇବାର ଏକ ଜ୍ଵଳନ୍ତ ନିଦର୍ଶନ ।“
ସୂଚନା ଯୋଗ୍ୟ ଯେ ଏହି ବ୍ରତ କଥା ଟି ଝଷବଦ୍ଭଳବକ୍ସ ଋଦ୍ଭଗ୍ଧରକ୍ସଗ୍ଧବସଦ୍ଭଜ୍ଞରଦ୍ଭଗ୍ଧ ଦ୍ଵାରା ପାରମ୍ପରିକ ଗାହାଣି ଶୈଳୀରେ ସୁନ୍ଦର ସଙ୍ଗୀତ ଓ ଚିତ୍ତାକର୍ଷକ ଅଭିନୟ ସହ ଏକ ଭିଡିଓ ପ୍ରସ୍ତୁତ କରାଯାଇ ୟୁ ଟ୍ୟୁବରେ ପ୍ରସାରିତ ହେଉଛି ଏବଂ ଏ ଯାବତ ସହସ୍ରାଧିକ ଶ୍ରୋତା ଓ ଦର୍ଶକଙ୍କ ଆଦୃତି ଲାଭ କରି ସାରିଛି ।

୨. ଜଣା ଅଜଣା
ସଂକ୍ଷେପରେ ସାରା ସୃଷ୍ଟିର ସକଳ ରହସ୍ୟ ସମ୍ବନ୍ଧରେ ଅସୀମ ଜ୍ଞାନର ଗନ୍ତାଘର ମାତ୍ର ୩୨ ପୃଷ୍ଠା ବିଶିଷ୍ଟ ଏଇ କ୍ଷୁଦ୍ର ପୁସ୍ତକ। ଏ ରାଜ୍ୟର ଏକ ଖ୍ୟାତନାମା ବ୍ୟକ୍ତିତ୍ୱ ଏକାଧାରରେ ଶିକ୍ଷକ, କବି ଓ କଳାକାର ଋଷି ପ୍ରତିମ ନାଟ୍ୟଭୂଷଣ ଶ୍ରୀ ଜଗଦାନନ୍ଦ ଛୁରିଆ ଏ ବହି ସମ୍ପର୍କରେ କୁହନ୍ତି ଯେ ଏହା “ଶିଶିର ବିନ୍ଦୁରେ ସ୍ଵର୍ଗ ଦର୍ଶନ ପରି”। ଶିଶିର କହୁଛନ୍ତି ଶ୍ରୀ ଛୁରିଆ ଏହାର କ୍ଷୁଦ୍ର କଳେବରକୁ ଓ ସ୍ଵର୍ଗ କହୁଛନ୍ତି ଏଥିରେ ସନ୍ନିହିତ ଜ୍ଞାନର ଭଣ୍ଡାରକୁ। ବାସ୍ତବରେ ସତ୍ୟ, ଶିବ ଓ ସୌନ୍ଦର୍ଯ୍ୟର ଚିରନ୍ତନ ବିଚାରବୋଧ ସମନ୍ଵିତ ଏହି ପୁସ୍ତକର ପ୍ରତି ଟି ବାକ୍ୟ ପ୍ରତି ଟି ଶବ୍ଦ, ଯାହା ଶ୍ରୀ ସାହୁଙ୍କର ଏକ ବିସ୍ମୟକର ବ୍ୟକ୍ତିତ୍ୱର ପରିଚୟ ଦିଏ । “ବାସୁଦେବଃ ସର୍ବମ ଅର୍ଥାତ ଭଗବାନ ହିଁ ସବୁକିଛି” – ଏହା ଏ ପୁସ୍ତକର ପ୍ରାରମ୍ଭିକ ବାକ୍ୟ ହୋଇଥିବା ସ୍ଥଳେ “ନର ସେବା ହିଁ ନାରାୟଣ ସେବା” – ଏହା ହେଉଛି ଅନ୍ତିମ ବାକ୍ୟ । ଏହାରି ମଧ୍ୟରେ ଗଣି ଗଣି ୨୬୨ ଟି ବିଷୟରେ ଏକ ବା କେତେବେଳେ ଏକାଧିକ ବାକ୍ୟର ଅନୁଚ୍ଛେଦ ବ୍ୟବହାର କରି ନିର୍ମଳ ସତ୍ୟ ସମ୍ବଳିତ ନିଜ ବିଚାର ବ୍ୟକ୍ତ କରିଛନ୍ତି ଯାହା କି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ତଥା ଏକ ସୁଖୀ ଓ ସମୃଦ୍ଧ ସଫଳ ଜୀବନର ଚାବି କାଠି। ଶିକ୍ଷକ ଜୀବନରେ ସ୍ଵତଃ ତାଙ୍କ ମୁହଁରୁ ବାହାରି ବାହାରି ଅସଂଖ୍ୟ ଛାତ୍ରଙ୍କ ଜୀବନ ଗଢିଥିବା ଏଇ ବାଣୀ ସମୂହ ଏବେ ଏପରି ପୁସ୍ତକ ଆକାରରେ ଆଗକୁ ଆଉ ଯେ ଅସଂଖ୍ୟ ଜୀବନ ଗଢିବ, ତିଳେ ଦ୍ଵିଧା ନାହି ଏଥିରେ ମୋର ।

୩. ଆସ ଜାଣିବା ଦୁନିଆର ହାଲଚାଲ
ନିପଟ ମଫସଲରୁ ମେଟ୍ରୋ ନଗରୀ ଯାଏ ତଥା ଗ୍ରାମ ପଞ୍ଚାଯତ ସ୍ତରରୁ ଦେଶର ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ଯାଏ ବର୍ତ୍ତମାନ ପାଲଟିଛି ଅନୀତି ଓ ଦୁର୍ନୀତିର ମହାନ ପ୍ରୟୋଗଶାଳା ଏବଂ ତାର ମୁକ ଦର୍ଶକ ସାଜିଛନ୍ତି କିଂକର୍ତ୍ତବ୍ୟବିମୁଢ ଜନତା । ଜଣେ ସରଳ, ସତ୍ୟସନ୍ଧ ଓ ନୀତିବାନ ଆଦର୍ଶ ଶିକ୍ଷକର ଜୀବନ ବ୍ୟତୀତ କରି ଆସୁଥିବା ଶ୍ରୀ ସାହୁଙ୍କୁ ଅତି ମାତ୍ରାରେ ବ୍ୟଥିତ କରିଛି ଏହା । ଗ୍ରାମ୍ୟ ପରିମଳ ଓ ରାସ୍ତା, ବିଦ୍ୟାଳୟ ଗୁଡିକର ଅବସ୍ଥା ଓ ଶିକ୍ଷା କ୍ଷେତ୍ରରେ ସ୍ଥାଣୁତା, ଉଜୁଡି ଯାଉଥିବା କୌଳିକ ବୃତ୍ତି ଓ ବେକାରି ବୃଦ୍ଧି, ନିଶା ଦ୍ରବ୍ୟର ଅନିୟନ୍ତ୍ରିତ ବ୍ୟବହାର ଓ ପ୍ରସାର, କୃଷି କ୍ଷେତ୍ର ପ୍ରତି ସରକାରୀ ଉଦାସୀନତା ଓ କୃଷକର ଦୁଃଖ, ସ୍ୱାସ୍ଥ୍ୟ ସେବାର ଦୂରାବସ୍ଥା ତଥା ସର୍ବୋପରି ସରକାରଙ୍କ ସବୁ ବିଭାଗରେ ଲାଞ୍ଚ ଓ ଦୁର୍ନୀତି ସମ୍ବନ୍ଧରେ ସୋରିଷ ଫୁଟାରୁ ଆରମ୍ଭ କରି ପରମାଣୁ ବୋମା ଯାଏ ଅନେକ ଘଟଣାର ଅବତାରଣା କରି ଖେଦ ବ୍ୟକ୍ତ କରିବା ସହ ଆପଣା ସ୍ପଷ୍ଟ ମତ ରଖି ଆହ୍ଵାନ କରିଛନ୍ତି ଯୁବ ସମାଜକୁ ଏ ସବୁରେ ପରିବର୍ତ୍ତନ ଆଣିବାକୁ କେବଳ ଅଭିଯୋଗ ଆଣି ଆପଣା କାମ ସାରି ଦେଇ ନାହାନ୍ତି ଶ୍ରୀ ସାହୁ, ବରଂ ଏ ସବୁରେ ପରିବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗୁଡିକ ସମ୍ବନ୍ଧରେ ସୁବିସ୍ତୃତ ଆଲୋଚନା କରିଛନ୍ତି ପୁସ୍ତକର ଅନ୍ତିମ ପର୍ଯ୍ୟୟରେ । ଦେଶ ଓ ସମାଜ ଗଠନରେ ଯୁବ ପିଢୀଙ୍କ ପାଇଁ ଅତି ଉପାଦେୟ ହେବ ଏ ପୁସ୍ତକ ।

୪. ଅଜାଙ୍କ ମଜା ଗପ
ପିଲାଙ୍କୁ ରସେଇ ଆଗରେ ବସେଇ ରଖିବାରେ ଯୋଉ ସିଦ୍ଧି ଅର୍ଜିଥିଲେ ଶ୍ରୀ ସାହୁ ନିଜ ଶିକ୍ଷକ ଜୀବନରେ, ତାର ଦୃଢ ଆଧାର ଥିଲା ଏଇ ମଜା ମଜା କଥା ବା ମଜା ଗପ । ନିଜ ଜୀବନ ପରିଧି ମଧ୍ୟରେ ସଂଘଟିତ ଛୋଟ ବଡ଼ ଘଟଣା ଗୁଡ଼ିକୁ ନାନା ଭାବ, ଭଙ୍ଗୀ ଓ ରସାତ୍ମକ ଶବ୍ଦରେ ସଜେଇ କହିବାର କଳା ତାଙ୍କର ନିଆରା । ୧୭ ଟି ଛୋଟ ବଡ ଗପ ଓ ଏହା ଉପରେ ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନାବଳୀର ଏକ ଅଧ୍ୟାୟ ସମ୍ବଳିତ ଏଇ ମାତ୍ର ୬୪ ପୃଷ୍ଠା ବିଶିଷ୍ଟ ବହିଟିର ପ୍ରଚ୍ଛଦ ଦେଖି ହିଁ ସ୍ମୃତି ନେଇ ମୋତେ ବସେଇ ଦେଲା ପୁଣି ୬ଷ୍ଠ ଓ ୭ମ ଶ୍ରେଣୀରେ । ଏକା ନିଃଶ୍ଵାସରେ ବହିଟିକୁ ପଢିଗଲା ବେଳେ ପ୍ରତି ମୁହୂର୍ତ୍ତରେ ପ୍ରତି ଶବ୍ଦରେ ପ୍ରତି ବାକ୍ୟରେ ମୁଁ ମୋ ଜୀବନର ସେଇ ଶ୍ରେଷ୍ଠ ସମୟକୁ ଅନୁଭବ କରିଛି ଯାହା କି ମୋତେ ଆଜି ଭାବ ପ୍ରକାଶ ନିମିତ୍ତ ଏ ତୁଲ୍ୟ ସକ୍ଷମ କରଛି । ଏ ମଧ୍ୟରୁ ପ୍ରାୟ ଅଧିକାଂଶ ଗପ ମୁଁ ସେ ସମୟରେ ତାଙ୍କ ମୁହଁରୁ ଶୁଣିଛି, ଏ ଯାଏ ମନେ ରଖିଛି, ମୋ ପିଲା ତଥା ମୁଁ ଗୃହ ଶିକ୍ଷକ ଭାବେ ପଢେଇଥିବା ପିଲାଙ୍କୁ କହଛି । ଆଜି ଏହା ଏକ ପୁସ୍ତକ ଆକାରରେ ଯୋଉ ଆତ୍ମପ୍ରକାଶ କରିଛି ଏହାର ସୁଦୂର ବିସ୍ତାରୀ ପ୍ରଭାବ ମୁଁ ଆକଳନ କରି ପାରୁଛି। ଛାତ୍ର ଛାତ୍ରୀଙ୍କ ବ୍ୟକ୍ତିତ୍ବ ଗଠନରେ ଅତ୍ୟନ୍ତ ପ୍ରଭାବୀ ଉପାଦାନ ଏହାର ପ୍ରତି ଟି କଥା। ସମସ୍ତ ଶିକ୍ଷକ ସମାଜ ଏ ଶୈଳୀ ଅନୁକରଣ କରି ପାରିଲେ ଅସଂଖ୍ୟ ଛାତ୍ର ଛାତ୍ରୀ ଉପକୃତ ହେବେ ।

୫. ଗପ ପସରା
ମାତ୍ର ୫୨ ପୃଷ୍ଠା ବିଶିଷ୍ଟ ଏ ପୁସ୍ତକଟିରେ ସନ୍ନିହିତ ପାଞ୍ଚଟି ଦୀର୍ଘ ଗପ । ଗଳ୍ପ କଥନରେ ଶ୍ରୀ ସାହୁଙ୍କ ଦୀର୍ଘ ଅଭିଜ୍ଞତା ସୁସ୍ପଷ୍ଟ ହେଉଛି ଏହାର ନିଜସ୍ୱ ସ୍ଵତନ୍ତ୍ର ଶୈଳୀ ସମ୍ପନ୍ନ ପ୍ରତିଟି ଗପରେ । ତାଙ୍କ ସାଧୁସନ୍ଥ ଜୀବନ ଓ ଶିକ୍ଷକୀୟ ଆଦର୍ଶର ସ୍ଵାକ୍ଷର ବହନ କରି ସତ୍ୟ, ଧର୍ମ ଓ ନ୍ୟାୟ ଆଧାରିତ ପ୍ରତିଟି ଗପ ସାଂପ୍ରତିକ ପରିଦୃଷ୍ଟ ସାମାଜିକ ଅସଙ୍ଗତି ସବୁକୁ ଆଡେଇ ଦେବାକୁ ଅଙ୍ଗୀକାରବଦ୍ଧ । ଆମ ସମୟର ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ଏକାଧାରରେ ସୁସାହିତ୍ୟିକ, ସାମ୍ବାଦିକ ତଥା ଅଧ୍ୟାପକ ଶ୍ରୀମାନ ସନ୍ଦୀପ କୁଆଁର ଏ ପୁସ୍ତକରେ ଅଭିମତ ଦେଇ ଲେଖିଛନ୍ତି, “ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଲଲିତ ମୋହନ ସାହୁ ଅଙ୍ଗେ ନିଭା କଥାର ପ୍ରକାଶ ଭଙ୍ଗୀରେ କହିଛନ୍ତି କାହାଣୀ ସବୁକୁ । ସତ୍ୟ ଧର୍ମ ନ୍ୟାୟକୁ ନିଜ ନିକତିରେ ତଉଲି ସାମାଜିକ ଅସଙ୍ଗତି ସବୁକୁ ଦୂରେଇ ଦେବାକୁ ଚେଷ୍ଟା କରିଛନ୍ତି ନିଜ ଶୈଳୀରେ । ଶିକ୍ଷକୀୟ ସାମର୍ଥ୍ୟରେ ଗଳ୍ପ ଗୁଡିକ ଶିକ୍ଷଣୀୟ ଓ ଆଦର୍ଶର ପରିଚୟ ବହନ କରିଛନ୍ତି । “ବାସ୍ତବରେ ଏ ଗଳ୍ପ ଗୁଡିକରେ ଶ୍ରୀ ସାହୁଙ୍କ ଦ୍ଵାରା ବ୍ୟବହୃତ ଭାଷା,ଆବେଗ ଓ ଶୈଳୀ ଯେ କୌଣସି ବୟସର ବ୍ୟକ୍ତିକୁ ଭାବପ୍ରବଣ କରି ଦେବାରେ ସତତ ସମର୍ଥ ।
ଏହା ନିଃସନ୍ଦେହ ଯେ ଶିକ୍ଷକତାକୁ ବରଣ କଲା ପରେ ଛାତ୍ର ଛାତ୍ରୀଙ୍କ ପ୍ରତି ତାଙ୍କ ସମର୍ପିତ ଭାବ ନିଜ ଅଗୋଚରରେ ତାଙ୍କୁ ଏକ ସୁସାହିତ୍ୟିକରେ ପରିଣତ କରି ଦେଇଛି । ଏ ଯାବତ ଆତ୍ମ ପ୍ରକାଶ କରିଥିବା ତାଙ୍କର ଏଇ ପାଞ୍ଚ କୃତି ସମଗ୍ର ସମାଜ ପାଇଁ ଆଲୋକ ବର୍ତ୍ତିକା ସଦୃଶ । ଆଶା କରିବି ଏମିତି ସୁସ୍ଥ ଓ ନିରାମୟ ଜୀବନ ତାଙ୍କର ଅତି ଦୀର୍ଘ ହେଉ ଏବଂ ଲେଖନୀ ତାଙ୍କର ଏମିତି ନିରନ୍ତର ଚାଲିଥାଉ ଯାହା କି ଆଗାମୀ ଅନେକ ପିଢୀକୁ ପଥ ପ୍ରଦର୍ଶନ କରିବ ।

Leave A Reply

Your email address will not be published.