pakka

ସର୍ବଧର୍ମ ସମନ୍ୱୟର ପ୍ରତୀକ ଥିଲେ ଡ.ସଦାନନ୍ଦ ଅଗ୍ରୱାଲ : ସେଇ ମହାନ୍‌ ଆତ୍ମାଙ୍କୁ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଂଜଳି

  • ପୂର୍ଣ୍ଣଚନ୍ଦ୍ର ପଣ୍ଡା

ସଂପ୍ରତି ବିଶ୍ୱରେ ଧର୍ମ ଧର୍ମ ମଧ୍ୟରେ ବିଭେଦ ବଢିଚାଲିଛି । ଅନେକ ସମୟରେ ଏହା ହିଂସାର ରୂପ ନେଉଛି । ଏପରିକି ଗୋଟିଏ ଧର୍ମରେ ମଧ୍ୟ ନିଜ ନିଜ ମଧ୍ୟରେ ଭିନ୍ନବାଦକୁ ନେଇ ବିବାଦ ଦେଖାଦେଉଛି । କିନ୍ତୁ ସବୁଧର୍ମର ମୂଳ ଆଦର୍ଶ ସମାନ ଓ ଏହା ମାନବକଲ୍ୟାଣକାରୀ ବୋଲି ଅନେକ ମହାମନିଷୀ ନିଜର ମତବ୍ୟକ୍ତ କରିଛନ୍ତି । ଆମ ସମାଜରେ ଏହି ମୂଳମନ୍ତ୍ରକୁ କାର୍ଯ୍ୟରେ ପରିଣତ କରି ଦେଖାଇଥିବା ଅନେକ ବିଦ୍ୱାନ ନିଜର ଦକ୍ଷତା ପ୍ରତିପାଦନ କରିଯାଇଛନ୍ତି । ସେମାନଙ୍କୁ ମଧ୍ୟରୁ ଜଣେ ହେଉଛନ୍ତି ଐତିହାସିକ, ସାମ୍ବାଦିକ, ଗବେଷକ, ଲିପିତତ୍ତ୍ୱବିଦ, ନାଟ୍ୟକାର ଓ ସଂଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲ । ସୋନପୁର ଜିଲ୍ଲାର ମେଣ୍ଡା ଭଳି ଏକ ଉପାନ୍ତ ଅଞ୍ଚଳରେ ଏକ ବଣିଆ ପରିବାରରେ ଜନ୍ମଗ୍ରହଣ କରିଥିବା ସଦାନନ୍ଦ ସବୁଧର୍ମ ଓ ଜାତିକୁ ସମାନ ଭାବରେ ଭଲ ପାଉଥିବା ଜଣେ ମଣିଷ । ଏକ ନୈଷ୍ଟିକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ହୋଇଥିଲେ ହେଁ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇଙ୍କର ଜଣେ ପରମ ଭକ୍ତ ଥିଲେ । ମାରୱାଡି ପରିବାରରେ ଜନ୍ମିତ ସଦାନନ୍ଦ ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ମହିମା ଭକ୍ତ ହିସାବରେ ଗୈରିକ ବସ୍ତ୍ର ପରିଧାନ କରୁଥିଲେ । ସେ ସନ୍ଥକବି ଭୀମଭୋଇଙ୍କ ସାଧାନା, ସିଦ୍ଧି ଓ ସମାଧି ପୀଠ ଖଲିଆପାଲିର ଟ୍ରଷ୍ଟର ପ୍ରଥମ ଟ୍ରଷ୍ଟି ରହି ପୀଠର ସର୍ବବିଧ ଉନ୍ନତି କରାଇଥିଲେ । ତାଙ୍କର ବାଲ୍ୟ ଜୀବନ ଗାଁରେ କଟିଥିବା ବେଳେ କେବଳ ମାଟ୍ରିକୁଲେସନ୍‌ ପର୍ଯ୍ୟନ୍ତ ସ୍କୁଲପାଠ ପଢିବାର ସୁଯୋଗ ପାଇଥିଲେ । ସେତେବେଳେ ମାଟ୍ରିକୁଲେସନ୍‌ରେ ଫାଷ୍ଟ୍‌ ଡିଭିଜନ୍‌ରେ ପାସ୍‌ କରିଥିଲେ ମଧ୍ୟ ଅର୍ଥ ଅଭାବରୁ କଲେଜରେ ପଢିବାର ସୁଯୋଗ ପାଇନଥିଲେ । ତଥାପି ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ଜଣେ ସଫଳ ଐତିହାସିକ ହୋଇପାରିଥିଲେ । ଯୁବାବସ୍ଥାରେ ସେ ସାମ୍ବାଦିକ ଜୀବନ ଆରମ୍ଭ କରି ଅନେକ ବିଦ୍ୱାନଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଐତିହାସିକ ଗବେଷଣା ଆଡକୁ ମନ ବଳାଇଥିଲେ । ସାମ୍ବାଦିକତା ଓ ଗବେଷଣା କରୁ କରୁ ଐତିହାସିକ ହୋଇଯାଇଥିଲେ ଓ ‘ସୋନପୁର ଇତିହାସ’, ‘ଶ୍ରୀ ଖାରବେଳ’, ‘ଟୁ କପର ପ୍ଲେଟ୍ସ ଗ୍ରାଣ୍ଟଫ୍ରମ ୱେଷ୍ଟର୍ଣ୍ଣ ଓରିଶା’ ଇତ୍ୟାଦି ରଚନା କରି ଚର୍ଚ୍ଚିର୍ତ ହୋଇଥିଲେ । ଜଣେ ସଫଳ ଲିପିତତ୍ତ୍ୱବିଦ ହିସାବରେ ଲିପିର କ୍ରମବିକାଶ ଉପରେ ଗବେଷଣା କରି ଓରିଶାନ ପେଲେଇଓଗ୍ରାଫି ରଚନା କରି ଭାରତବର୍ଷରେ ଲିପିତତ୍ତ୍ୱ ଉପରେ ନୂତନ ଦିଗଦର୍ଶନ ଦେଇଥିଲେ । ପୁରାତନ ବ୍ରାହ୍ମୀ ଲିପି ଉପରେ ତାଙ୍କର ଖୁବ୍‌ ଦକ୍ଷତା ଥିଲା । ସେଥିପାଇଁ ତାଙ୍କୁ ଓଡିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ବିଶ୍ୱଭାରତୀ ଶାନ୍ତିନିକେତନ ଭଳି ସ୍ୱନାମଧନ୍ୟ ବିଶ୍ୱ୍ୱବିଦ୍ୟାଳୟକୁ ଭିଜିଟିଂଙ୍ଗ ପ୍ରଫେସର ହିସାବରେ ପଢାଇବାକୁ ଡାକରା ଆସୁଥିଲା ।

ତାଙ୍କ ଜୀବନର ଅନ୍ୟ ଦିଗଟି ହେଲା ମହିମାଧର୍ମର ପ୍ରଚାର ଓ ପ୍ରସାର । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସେ ସନ୍ଥକବି ଭୀମ ଭୋଇଙ୍କର ଜଣେ ପରମଭକ୍ତ ଓ ମହିମାଧର୍ମୀ ଥିଲେ । ଏହା ସହିତ ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ଜଣେ ପରମଭକ୍ତ ଥିଲେ । ସେଥିପାଇଁ ନିଜ ଗାଁର ଜଗନ୍ନାଥ ମନ୍ଦିରର ଜଣେ ମୁଖ୍ୟ ପୃଷ୍ଠପୋଷକ ରହିବା ସହିତ କଲିକତାର ଓଡିଆ ସୋସାଇଟି ପକ୍ଷରୁ ପ୍ରକାଶିତ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ‘ଜଗନ୍ନାଥ ଇନ ଏଲାଏନଆଇଜର’ ପୁସ୍ତକର ସଂପାଦନା ମଣ୍ଡଳୀର ସଦସ୍ୟ ରହିଥିଲେ । ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଅନେକ ଗବେଷଣା ଲବ୍ଧ ପ୍ରବନ୍ଧ ପ୍ରକାଶିତ ହୋଇଛି । ଦଳିତଙ୍କ ନ୍ୟାୟ ପାଇଁ ଲଢିବା ହେଉ କି ସଂଖ୍ୟାଲଘୁଙ୍କ ସହିତ ସମନ୍ୱୟ ରକ୍ଷା କରିବା ଉପରେ ସେ ଯଥେଷ୍ଟ ଯତ୍ନବାନ ଥିଲେ । ଅଶୀ ଦଶକରେ ସେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଦେଖାଦେଉଥିବା ବିଦ୍ୱେଷରୁ ଦୂରେଇବାକୁ ଆହ୍ୱାନ ଦେଇ ରଚନା କରିଥିଲେ କୋସଲୀ ନାଟକ ‘ରକତ’ । ହିନ୍ଦୁ, ମୁସଲମାନ ତଥା ଅନ୍ୟଧର୍ମର ଲୋକଙ୍କ ରକ୍ତର ରଙ୍ଗ ସମାନ(ଲାଲ) ହୋଇଥାଏ, ତେଣୁ ସମସ୍ତେ ମଣିଷ ଭଳି ମଣିଷଙ୍କୁ ଭଲ ପାଇବାକୁ ସମାଜକୁ ଆହ୍ୱାନ ଦେଇଥିଲେ । ଏହି ନାଟକ ଓଡିଶାର ୫୦ଟି ସ୍ଥାନରେ ମଞ୍ଚସ୍ଥ ହୋଇ ଲୋକଙ୍କ ମଧ୍ୟରେ ଉଚ୍ଚପ୍ରଶଂସିତ ମଧ୍ୟ ହୋଇଥିଲା । ତାଙ୍କ ରଚିତ ‘ଶ୍ରୀ ଖାରବେଳ’ ପୁସ୍ତକ ଜୈନଧର୍ମୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା ଓ ପ୍ରସଂସିତ ମଧ୍ୟ ହୋଇଥିଲା । ଉଭୟ ହିନ୍ଦି ଓ ଇଂରାଜୀରେ ଏହା ପ୍ରକାଶିତ ହୋଇ ଖୁବ ଆଦୃତ ଲାଭ କରିଛି । ରାଣୀପୁର ଝରିଆଲର ବୌଦ୍ଧକୀର୍ତ୍ତି, ତନ୍ତ୍ରକୀର୍ତ୍ତି ହେଉ କି ସୋନପୁରର ବୌଦ୍ଧତନ୍ତ୍ର ଉପରେ ଅନେକ ଗବେଷଣା କରିଥିଲେ । ସେହିପରି ରାୟଗଡା ପୁଟାସିଂ ଅଞ୍ଚଳର ଶଉରା ଆଦିବାସୀଙ୍କ ଚିତ୍ରକଳା ଉପରେ କରାଯାଇଥିବା ଗବେଷଣାଲବ୍ଧ ପୁସ୍ତକ ‘ଶଉରା ପେଣ୍ଟିଂ ଅଫ ଓଡିଶା’ ପୁସ୍ତକ ରଚନା କରିଥିଲେ । ତାଙ୍କ ରଚିତ ଅନେକ ଐତିହାସିକ ତଥ୍ୟ ସମ୍ବଳିତ ପ୍ରବନ୍ଧ ଜାତୀୟସ୍ତରୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିବା ବେଳେ ରାଷ୍ଟ୍ରୀୟ ସଂସ୍କୃତ ବଦ୍ୟାପୀଠ ତିରୁପତିରୁ ତାଙ୍କୁ ସମ୍ମାନଜନକ ଡି.ଲିଟ ପ୍ରଦାନ କରାଯାଇଥିଲା । ସେ ସବୁ ବେଳେ ଧର୍ମଧର୍ମ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଯାଇ ସନ୍ଥକବି ଭୀମ ଭୋଇଙ୍କ ମହାନବାଣୀ ‘ଏ ଜନ ଜଗତ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ, ତେଣୁକରି ସିନା ପ୍ରଭୁ ଶ୍ରୀ ଛାମୁରେ ନିତି ଜଣାଣ କରଇ’ର ପ୍ରଚାର କରୁଥିଲେ ।

ମୋ-୯୪୩୭୨୪୧୧୭୬

Leave A Reply

Your email address will not be published.

19 − seventeen =