centurian jitm

ଆମେ ସବୁ ଗୁରୁଜୀ ଗୁରୁମା’ ମାନେ ଓ ଆମର ଅନ୍ ଲାଇନ୍ ପାଠପଢା

nschool
  • ମୃଗାକ୍ଷୀ ପଣ୍ଡା

ପ୍ରାୟ ଦଶ ବାର ଜଣ ଗୁରୁଜୀ ଗୁରୁମା’କୁ ପଚାରିଲା ପରେ ଆଜି ସାହାସ କରୁଛି ନିଜର ପାଠପଢା ଅନୁଭୂତିକୁ ଆପଣ ମାନଙ୍କ ସାଂଗରେ ବାଣ୍ଟିବା ପାଇଁ । ଯଦି ଏଇ ଅନୁଭବ ପାଇ ନ ଥାଆନ୍ତି, ତେବେ କାନମୁଣ୍ଡ ଆଉଁସି ଚୁପ୍ ରହି ଥାଆନ୍ତି । ଦେଖିଲି ପ୍ରାୟତଃ … ନାଇଁ ନାଇଁ ପ୍ରାୟତଃ ନୁହେଁ, ପକ୍କା ଶତ୍ ପ୍ରତିଶତ୍ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବସ୍ଥା ସମାନ । ତଥ୍ୟ ସଂଗ୍ରହରେ ମୁଁ ତ୍ରୁଟି ବି କରିନାହିଁ । ଯେତେ ବଡ ନାମୀଦାମୀ ମହାବିଦ୍ୟାଳୟ ହେଉ ବା ସରକାରୀ ବିଦ୍ୟାଳୟ, ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବସ୍ଥା ସମାନ । ମୁଁ ଯୋଗାଡ କରିଥିବା ତଥ୍ୟ ହିସାବରେ ସବୁଠାରୁ ଭଲ ପ୍ରତିକ୍ରିୟା କେବଳ ଶିଶୁ ବିହାରର ଶିଶୁ ମାନଂକ ଠାରୁ ମିଳିଥାଏ ଏଇ ଅନ୍ ଲାଇନ୍ ପାଠ୍ୟକ୍ରମରେ ।

ବର୍ତମାନ୍ ଟିକେ ବଖାଣି ଦିଏ ମୋର ଅନୁଭୂତି । ପ୍ରଥମେ ସମୟ ପୂର୍ବରୁ ଲାପ୍‌ଟପ୍ ମହାଶୟଙ୍କୁ ପ୍ରସ୍ତୁତ କରିବେ । ଭଗବାନଙ୍କ ପ୍ରାର୍ଥନା କରି ରଖିଥିବେ, ଯେପରି ଇଂଟରନେଟ୍ କନେକ୍ସନ୍ କ୍ଲାସ୍ ଶେଷ ପର୍ୟ୍ୟନ୍ତ ଅସୁବିଧା ନ କରେ । ତା’ପରେ ଗୃପ୍‌ରେ ଲିଂକ୍ ଦେବେ ଆଉ ଅପେକ୍ଷା କରିବେ ଗୋଟେ ପରେ ଗୋଟେ ଛାତ୍ରଛାତ୍ରୀଂକ ଆଗମନକୁ । ୧୫ ମିନିଟ୍ ପରେ ଆସୁଥିବା ଆନୁରୋଧକୁ ଅନୁମତି ଦେବାର ଇଚ୍ଛା ନ ଥିଲେ ମଧ୍ୟ ପାଠପଢାରେ ବ୍ରେକ୍ ଦେଇ ମହାନୁଭବଙ୍କୁ ସ୍ୱାଗତ କରିବେ, କାରଣ ସେ ଯେତେବେଳେ ଏତେ କଷ୍ଟରେ ଲିଂକ୍ ଉପରେ ଟିପଟେ ଦେଇଛନ୍ତି, ତାଙ୍କ ମର୍ୟ୍ୟାଦା ତ ରଖିବାକୁ ପଡିବ ନା’ !

ତା’ପରେ ପାୱାର ପଏଣ୍ଟରେ ପଢେଇବେ, ପ୍ରାକ୍ଟିକାଲ୍ କରିବେ । ଏସବୁ କଲା ଭିତରେ ଆପଣ ଜାଣି ପାରିବେ ନାହିଁ ଯେ, କିଏ କ୍ଲାସ୍ ରୁ ପଳେଇଲା, ମାନେ ଲେଫ୍ଟ କଲା । ଏଠାରେ ଲେଫ୍ଟ କରିବା ଓ ଉପସ୍ଥାନ ନେବା ବେଳେ ଜଏନ୍ କରିବା କିଛି ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ କାର୍ୟ୍ୟ । ସମ୍ଭବତଃ ସେମାନେ ଜାଣନ୍ତି ଲିଂକ ଦେଇଥିବା ବ୍ୟକ୍ତିଟି ପାଖରେ ସମୟ ନାହିଁ ଏସବୁ ବିଷୟରେ ଅଯଥା ସମୟ ବରବାଦ କରିବା ପାଇଁ । ମଝିରେ ମଝିରେ ପଚାରୁ ଥିବେ’Am I audible to you all students ?’ ସେ ପଟୁ ‘Yes mam’ ଯଦି ଶୁଣି ଦେଲେ ତେବେ ଓଃ କି ଶାନ୍ତି ! ଆଉ ଯଦି କାହାର ନାମ ଧରି ପ୍ରଶ୍ନ ପଚାରି ଦେଲେ, ଆଉ ସେପଟୁ ପ୍ରଶ୍ନର ଉତ୍ତର ଆସିଗଲା, ତେବେ ତ ପୁରା ଭାଂଗ୍‌ଡା ନାଚିବାକୁ ଇଚ୍ଛା ହେବ । ଯଦି ଶତ୍ ପ୍ରତିଶତ୍ ଛାତ୍ରଛାତ୍ରୀ ଗୋଟେ ଘଣ୍ଟାର କ୍ଲାସ୍ ପରେ ଅଛନ୍ତି, ତେବେ ତ’ ପୁରା ପ୍ରେସିଡେଣ୍ଟ ଏୱାର୍ଡର ଯୋଗ୍ୟ । ପ୍ରଶ୍ନର ଉତ୍ତର ନ ଆସିଲେ ଛାତ୍ରଛାତ୍ରୀ ଅମୋଘ ଅସ୍ତ୍ର ‘ନେଟୱାର୍କ ଇସ୍ୟୁ’ର ପ୍ରୟୋଗ କରିବାକୁ ଭୁଲନ୍ତି ନାହିଁ । ଆନ୍ଧାରରେ ବାଡି ବୁଲାଇବା ପରି ପାଠପଢା । ଛାତ୍ରଛାତ୍ରୀଙ୍କ ମୁହଁ ନ ଦେଖି ପାଠ ପଢାଇବା ଏକ ଅଜବ ଅନୁଭୁତି । ଭିଡିଓ ଅନ୍ କର ବୋଲି ତାଗିଦ୍ କରିବା କି ନେହୁରା ହେବା ହିଁ ସାର, ଆମ ହାତରେ କିଛି ବି ନଥାଏ । ଇଚ୍ଛା ହେଲେ ମାନିବେ ନ ହେଲେ ନାଇଁ । କଳା କନା ଉପରେ କିଛି ବିନ୍ଦୁକୁ ଧ୍ୟାନ ଦେଇ ଅନର୍ଗଳ କହିଚାଲିବା …ସତରେ ଅଜବ ।

କ୍ଲାସ୍ ରୁମ୍‌ରେ ଜ୍ଞାନ ଚର୍ଚା, ଭାବର ଆଦାନ ପ୍ରଦାନ, ମୁଖର ଭାବଭଂଗୀ, ହସ, ଥଟ୍ଟା ତାମସା, ଛାତ୍ରଛାତ୍ରୀଙ୍କୁ କଳାପଟାରେ ପଢାଇବାର ନିର୍ଦ୍ଦେଶ ଦେଇ ସେମାନଙ୍କ ଚପଳାମୀକୁ ଉପଭେଗ କରିବା, ଏସବୁ ଏତେ ମାତ୍ରାରେ ଝୁରି ହେବାକୁ ପଡିବ କେବେ ଭାବି ନ ଥିଲି ।

ଅଫ୍ ଲାଇନ୍ କ୍ଲାସ୍‌ର ପୂର୍ବ ପ୍ରସ୍ତୁତି ଠାରୁ ଅନ୍ ଲାଇନ୍ ପାଠପଢାର ପୂର୍ବ ପ୍ରସ୍ତୁତି ଢେର୍ ସମୟ ସାପେକ୍ଷ । ସେଥିରେ ପୁଣି ସଂପୁର୍ଣ୍ଣ ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକତା । ନିଜେ ପଢି ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିବ, ପ୍ରାକ୍ଟିକାଲ୍ ଅଭ୍ୟାସ କରିବ, ଘରକାମ କରିବ, ସମସ୍ତଙ୍କର ଅଳି ଅର୍ଦ୍ଦଳି ବୁଝିବ…. ଏସବୁ ଭିତରେ କିପରି ୨୪ ଘଣ୍ଟା ଚାଲିଯାଉଛି, ଜଣା ହିଁ ପଡୁନାହିଁ । କଲେଜ୍ କାମ ଓ ଘରକାମ ଯେତେବେଳେ ଗୋଟେ ଜାଗାରେ ମିଶି ଯାଉଛି, ସେତେବେଳେ ନିଜ ଅବସ୍ଥା କହିଲେ ନ ସରେ । ବେଳେ ବେଳେ ମନେ ପଡେ ନାହିଁ କ୍ଲାସ୍ ନେବା ଗେଟ୍ଅପ୍‌ରେ ଅଛୁ କି ନାଇଁ । କ୍ୟାମେରା ଅନ୍ ହେଲା ବେଳେ ନିଜକୁ ଟିକେ ସଜେଇ ଦେବା ବେଳେ ଯେଉଁ ହସ ଚେନାଏ ମୁହଁରେ ଆସିଯାଏ ସେଥିରେ ପୁରା ଗୋଟେ ଘଣ୍ଟାର ଶକ୍ତି ଆସିଯାଏ କ୍ଲାସ୍ ନେବା ପାଇଁ ।

ଧନ୍ୟବାଦ ଆମ ଭଳି ପରିବାର ବର୍ଗଙ୍କୁ ଯେଉଁମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି ଦୁଇ ପାଖ ସଂଭାଳିବା ପାଇଁ । ଅନ୍ ଲାଇନ୍ ପାଠପଢା କିନ୍ତୁ ବହୁତ କିଛି ବଦଳାଇ ଦେଇଛି ଆମ ସମାଜରେ । ମୋବାଇଲ୍ ଫୋନକୁ କ୍ଲାସ୍ ରୁମ୍‌ରେ ଅନୁମତି ଦେଉ ନ ଥିବା ଆମ ଭଳି ଲୋକମାନେ ବର୍ତମାନ କହୁଛୁ ‘you should have your personal mobile phone’ । ଅନ ଲାଇନ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଜ୍ଞାନ କମେଇ ଦେଉଛି । ଉତ୍ତର ଆସୁଥିଲେ ବି ନକଲର ସହାୟତା ନେଉଛନ୍ତି । ରେଜଲ୍ଟ ବାହାରିବାର କିଛି ମାନେ ହିଁ ନାହିଁ । ଟିମ୍ ୱାର୍କ ଭୁଲି ଗଲେଣି । ଛାତ୍ରଛାତ୍ରୀ, ଛାତ୍ର-ଶିକ୍ଷକ ମଧ୍ୟରେ ରହୁଥିବା ନିବିଡ ସଂପର୍କ ଗଠନ ହୋଇପାରୁନାହିଁ । କିନ୍ତୁ ସମସ୍ତେ ବୈଷୟିକ ଜ୍ଞାନ କୌଶଳରେ କିଛି ମାତ୍ରାରେ ନିପୁଣ ହେଇ ପାରିଲେ ।

କିନ୍ତୁ ଏ ପ୍ରକାରର ପାଠ ପଢାରେ କେବଳ ଇଚ୍ଛା ଶକ୍ତି ଥିବା ପିଲା ମାନେ ହିଁ ଆଗକୁ ବଢିପାରୁଛନ୍ତି । ବହୁତ ପିଲାଙ୍କର ତ ଲମ୍ବା ଛୁଟି ଚାଲିଛି । ସେମାନେ ଭାବି ପାରୁନାହାନ୍ତି ଯେ ନିଜ ଜୀବନର କେତେ ଅମୂଲ୍ୟ ସମୟ ସେମାନେ ବରବାଦ କରି ସାରିଲେଣି । ଆଗକୁ କେବଳ କରୋନା ଓ ସରକାରଙ୍କୁ ଦାୟୀ କରିବେ । ଯେତେବେଳେ କି ତାଂକ ଆଂଗୁଠି ଟିପରେ ଜ୍ଞାନର ଭଣ୍ଡାର ଅଛି । ଘରେ ରହି ଏପରି ଜ୍ଞାନ ଆହରଣ କରିବାର ସୁଯୋଗ ସବୁବେଳେ ମିଳି ନ ଥାଏ । ଏ ସମୟ ନଷ୍ଟ ନ କରି ନିଜର ପାଠ ସାଂଗକୁ ବିଭିନ୍ନ ୟୁନିଭରସିଟିର କ୍ରାସ କୋର୍‌ସେସ୍‌ ମଧ୍ୟ କରିଦେବା ଉଚିତ୍ । ଘର କାମ, ନିଜର କାମ ସବୁ ଶିଖିବା ଉଚିତ୍, ଯେପରି ବାହାରେ କାମ ପାଇଁ କିଂବା ପାଠ ପଢା ପାଇଁ ଗଲେ, କାହା ଉପରେ ନିର୍ଭର କରିବେ ନାହିଁ । ଅଭିଭାବକ ମାନେ ଏସବୁ ଉପରେ ଧ୍ୟାନ ଦେବା ଉଚିତ୍ । କିଏ ଜାଣେ ଆଗକୁ ସମୟ ମିଳିବ କି ନାହିଁ ?

ଭବିଷ୍ୟତ କେହି ଦେଖିନାହୁଁ । ଲକ୍ ଡାଉନ୍ ହେବା ମାତ୍ରେ ଯେପରି ସମୟର ସ୍ରୋତରେ ସାମିଲ୍ ହୋଇ ଛାତ୍ରଛାତ୍ରୀ କିପରି ପାଠ ପଢାରୁ ବଂଚିତ ନ ହେବେ ତା’ର ବ୍ୟବସ୍ଥା କରାଗଲା । ଆଗକୁ ସେପରି ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିବା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ସମସ୍ତେ ଆମ ଭବିଷ୍ୟତ ପିଢିର ଜ୍ଞାନ ଆହରଣରେ ଯେପରି ବାଧା ନ ଉପୁଜେ, ସେଥିପାଇଁ ତତ୍ପର ହେବା ଆବଶ୍ୟକ । ପ୍ରତ୍ୟେକ ଦିନ କିଛି ନୂଆ କିପରି ଶିଖା ଯାଇପାରିବ, ଫଳପ୍ରଦ କିପରି ହେବ ଭାବି କାମ କଲେ ଉତ୍ତମ ହୁଅନ୍ତା ।

ଅଧ୍ୟାପିକା, ସିଏନ୍‌ସି, ବଲାଙ୍ଗିର

Leave A Reply

Your email address will not be published.