କଳାହାଣ୍ଡି ପ୍ରସଙ୍ଗ : ସତ୍ୟକୁ ସ୍ୱୀକାର କରିବାରେ କୁଣ୍ଠା କାହିଁକି?

ଆମେ ଏକ ଦୁର୍ଗମ ଅଂଚଳକୁ ଯାଉଥିଲୁ । ସାଙ୍ଗରେ ଥିଲେ ମିସ୍ନାରୀ Lutheran World Service (LWS) ସଂସ୍ଥାର ଦୁଇ କର୍ମଚାରୀ, ଜଣେ ବଙ୍ଗୀୟ ଓ ଆଉ ଜଣେ ଓଡ଼ିଆ । ଉଦେ୍ଧଶ୍ୟ- ସେ ଅଂଚଳରେ ପାନୀୟ ଜଳର ସୁବିଧା କରିବା । ମ. ରାମପୁର ବ୍ଲକର ମାଣିକେରା ଗ୍ରା.ପ.ରୁ ମାତ୍ର ୭ କି.ମି. ଦୂର କାଉପଦର ଗାଁକୁ । ଦୁଇ ଚକିଆ ଗାଡ଼ି ମାତ୍ର ଯାହିଁତାହିଁ ହୋଇ ଅଧା କି.ମି. ଗଲା ପରେ ଆଉ ଗଡ଼ିଲା ନାହିଁ । ନିଷ୍ପତ୍ତି ହେଲା ଚାଲି ଚାଲି ଯିବା, ବାଉଁଶ କମ୍ପାନୀ ଦ୍ୱାରା ସାମୟିକ ଭାବେ ନିର୍ମିତ ଏ ଆବୁଡ଼ା ଖାବୁଡ଼ା ରାସ୍ତାରେ, ଉଠାଣି ଦେଇ ଆମେ ଚାଲିଲୁ, କିନ୍ତୁ ଶାଳ, ପିଆଶାଳ, କେନ୍ଦୁ, ଚାଁର, ହଡ଼ଣ, ଧମଣ, ବାଉଁଶ ପରିପୂର୍ଣ୍ଣ ଏ ଘଂଚ ଜଙ୍ଗଲ ପରିସରରେ କୌଣସି ଲୋକବାକ ନଦେଖି ଅନିଶ୍ଚିତ ଗାଁରେ ପାଦ ଦେବାଟା ଅନୁଚିତ୍ ମନେକରି ଆମେ କେବଳ ଡାକିଲୁ- ‘କିଏ ଅଛ କେଁ…?’ ଆମର ଶବ୍ଦକୁ କେବଳ ଦୁଇଟି ପାହାଡ଼ ପ୍ରତୁ୍ୟତ୍ତର ଫେରେଇଲେ – ‘କିଏ ଅଛ କେଁ…?’ ଏବଂ ଅଜଣା ପକ୍ଷୀଙ୍କ କାକଳୀସବୁ କିଛିସମୟ ପାଇଁ ଚୁପ ହୋଇଗଲା । ପବନ ସିର୍ ସିର୍ ଖାଲି ବହୁଥିଲା ଯାହା । ତ’ ଅନାଦି ସାହୁ ମୋତେ ପଚାରିଲେ -”ଏଇଠି ମଣିଷ ରୁହନ୍ତି?” ତାଙ୍କ ମୁହଁରେ ଥିଲା ଆଶ୍ଚର୍ଯ୍ୟ ଭାବ ସମ୍ବଳିତ ଏକ କଟକୀପଣ (ସେ କଟକର ଲୋକ) । ମୁଁ ଉତ୍ତିରିଲି –”ହଁ, ଏଇଠି କୁଟିଆ କନ୍ଧ ରହନ୍ତି’ । ସେ ମୋ’ ଉତ୍ତରକୁ ବୋଧେ ଅବିଶ୍ୱାସ କଲେ ଓ କହିଲେ “ନା, ଚାଲ ଆମେ ଫେରିଯିବା” । ସତରେ ଆମେ ଫେରି ଆସିଲୁ । ଏ ଥିଲା ୧୯୯୭ ମସିହାର ଜାନୁୟାରୀ ମାସର, କଳାହାଣ୍ଡିର ଉପାନ୍ତ ଅଂଚଳର ଗହନ କଥା ।
ଆଜି ୨୦୨୦ ମସିହା, ଆଜିକୁ ୨୪ ବର୍ଷ ହେଲା । ସେମିତି କିଛି ବିଶେଷ ପରିବର୍ତ୍ତନ ହୋଇନି । ସରକାରଙ୍କ ପି.ଡି.ଏସ୍ ସାମଗ୍ରୀ ଯେନତେନ ପ୍ରକାରେ ପହଂଚୁଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ କଥା ନକହିଲେ ଭଲ । ଏ ପାହାଡ଼ି ଇଲାକାର ପ୍ରାୟ ୫୦ ଖଣ୍ଡ ଗାଁକୁ ନେଇ ଦୁଇଟି ନୂତନ ଗ୍ରା.ପ. ଦେଢଶୁଲି ଓ ଲୁବେନଗଡ଼ ସ୍ଥାପିତ ହୋଇଛି । ମୁଖ୍ୟ ସମସ୍ୟା ହେଉଛି ଗମନାଗମନ, ବିଦୁ୍ୟତ୍, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟବସ୍ତ୍ର, ବାସଗୃହ । ଏ ଜିଲ୍ଲାର ମଦନପୁର ରାମପୁର, ବିଶ୍ୱନାଥପୁର, ଥୁ.ରାମପୁର, ଜୟପାଟଣା, କେସିଙ୍ଗା, ଗୋଲାମୁଣ୍ଡା, କଲମପୁର ପରି ପଂଚାୟତ ସମିତିମାନ ଅଛି ଯାହା ଆମେ କଳାହାଣ୍ଡିର ଦାରିଦ୍ର୍ୟ, ଅବହେଳା ଓ ସମସ୍ୟା ଆଦିକୁ ପ୍ରତ୍ୟକ୍ଷ କରିପାରିବା । ଦେଢଶୁଲି ପଂଚାୟତର ଦେଢଶୁଲି, କାଉପଦର, ନାପାଡୁଲୁ, ସିନ୍ଧିପଡ଼ି, ବିରିପଡ଼ି, ରୁବେଟ୍, ବାଇଡ଼ଙ୍ଗା, ଟ୍ରାସୁପଡ଼ା, ରାକ୍ଷସବନ୍ଦ୍, ଟୁଡାପଡ଼ା, ଟିର୍କେଲ, ଡମଗାଁ, ପାଡେ଼ଲପରା, ଲାଦାମସ୍କା, ଲୁବେନ ଗଡ ପଂଚାୟତର ତିନିତଗା, ବାଗବିଲା, ବଣ୍ଡେଲ, ଲୁବେନଗଡ, ଡ୍ରାମା, ତାହାକେଲ, ପୁଇଜିରି, ମାରର୍ଡିଙ୍ଗ, ଲାହାଡ଼ି, ଜାର୍କା, ମାତାକୂପା, ଉର୍ଲାଦାନି ପଂଚାୟତର ସାକୋଶ, ବିଟାବାରୁ, ନିର୍ଗୁଣ୍ଡି, ନାଗଝୁରି, ମାଣିକେରା ଗ୍ରା.ପ.ର ବାଡାପାଦର, କମ୍ଗାଁ, ଡୁଟାମୁଣ୍ଡା, ପୋଖାରୀ, ସିଂହପୁର ଗ୍ରା.ପ.ର କାମ୍ରେଙ୍ଗ, ତାଲାବାଜୁ, କୁଟିହେଜୁ, ଗୁଚ୍ଛାଡେଙ୍ଗନ୍ ଗ୍ରା.ପ ଦାଣ୍ଡିମସ୍କା (କାତି ବାହାଲି), ଡୁଡୁକାରଂଜା ଗ୍ରା.ପ.ର ଚିଡ୍ରା, ରାଙ୍ଗ୍ପାରୁ, ଡୁଡୁକାରଂଜା, ଡୁମେରି, କାର୍ଲାକା, ପିଲବାଂଜି, ଗୁଣ୍ଡୁରୁପି, ତାଦୋମାସ୍କା, ଲାମେର୍, ତର୍କାବାହାଲି, ଜାମଗୁଡା, ବିଡାବାରୁ ପରି ଅନେକ ଦୁର୍ଗମ, ଆଦିବାସୀ, ଦଳିତ ଗାଁ ସବୁ ଅଛି । ଯେଉଁଠି ରାସ୍ତା, ପାନୀୟ ଜଳ, ବିଦୁ୍ୟତ୍, ଶିକ୍ଷା, ଚାଷୋପଯୋଗୀ ଜମି ନାହିଁ । ଏମାନେ ଖାଲି ବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ପେଟ ପୋଷନ୍ତି । ଯାହା ଅସାଧୁ ବ୍ୟବସାୟୀ, ଦଲାଲ୍ ଓ ଶୋଷଣକାରୀଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।


ଯଦିଓ ଖାଦ୍ୟଶସ୍ୟ ଉତ୍ପାଦନରେ କଳାହାଣ୍ଡିର ରାଜ୍ୟରେ ପ୍ରମୁଖ ଯୋଗଦାନ ରହିଛି ତଥାପି ଏଠି ଆଦିବାସୀ, ଦଳିତ, ଓ ଖଟିଖିଆ, ଦିନ ମଜୁରିଆଟିଏ କୁପୋଷଣର ଶିକାର ହୁଏ । ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନରେ ସମସ୍ୟା କାହିଁକି? ଯେଉଁଠି ସହରାଂଚଳର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷଧରି ଡାକ୍ତର ଅଭାବ ସେଇଠି ଜିଲ୍ଲାର ଉପାନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ (ମୋହନଗିରି)ବର୍ଷ ବର୍ଷଧରି ଡାକ୍ତର ପଦ ଖାଲି ରହି କେବଳ ‘ାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ଦ୍ୱାରା କାର୍ଯ୍ୟ ସଂପାଦନ ହେନା ଆଶ୍ଚର୍ଯ୍ୟ ଜନକ ଘଟଣା ନୁହେଁ, ବରଂ ଏହା ସେ ଅଂଚଳର ଜନସାଧାରଣଙ୍କ ଦେହସୁହା ଓ ଘସରା ଘଟଣାଟିଏ ମାତ୍ର । ଏ ଅଂଚଳର ଲୋକେ ଯେହେତୁ ଅଶିକ୍ଷିତ, ଅସଚେତନ ତେଣୁ ୟାର କୌଣସି ପ୍ରତିବାଦ କରନ୍ତି ନାହିଁ ।
NCRT ପଂଚମ ଶ୍ରେଣୀର ସମାଜିକ ପୁସ୍ତକରେ ଯାହାବି ଉଲ୍ଲେଖ ରହିଛି ତାହା ଯେ ବାସ୍ତବ, ତାକୁ ଅସ୍ୱୀକାର କରିବା କିଭଳି? କାରଣ ଆଜି ବି ଅଶୀ ଓ ନବେ ଦଶକର କଳାହାଣ୍ଡିକୁ ଯେ କେହି ଉପାନ୍ତ ଇଲାକାରେ ଅବଶ୍ୟ ପ୍ରତ୍ୟକ୍ଷ କରିପାରିବେ । ଇନ୍ଦ୍ରାବତୀରୁ ବିଦ୍ୟୁତ୍ ବିକ୍ରି ହେଉଛି । ସରକାର ରାଜସ୍ୱରେ ମାଲେମାଲ । ଅଥଚ ଜିଲ୍ଲାର ଚାଷୀ, କିମ୍ବା ଜନସାଧାରଣ ପାଉନି ବିଦ୍ୟୁତ୍ । ଦୁର୍ଗମ ଅଂଚଳରେ ବିଦୁ୍ୟତ୍ ନପାଇ ବିଚରା ଆଦିବାସୀଟିଏ ‘ଚାହିଁଥାରେ ଜଳକା ମାରି ନେଲେ ମହାପାତ୍ରେ’ ପରି ରହିଛି । ଫାନସ ପୁଞ୍ଜି, ବନିତା ଓ ବିଦ୍ୟା ପୋଢର ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଲା । କେବିକେ ଯୋଜନା ହେଲା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତିଆରି ହେଲା, ପଛୁଆ ଅଂଚଳ ପାଣ୍ଠି ଗଠନ ହେଲା, ଏବେ ଆକାଙ୍କ୍ଷୀ ଜିଲ୍ଲା ପ୍ରଣୟନ ହେଲା । ଏସବୁ କଣ ସେହି ଅଶୀ ନବେ ଦଶକର ଘଟଣାର ପରିଣାମ ନୁହେଁ? ଅବଶ୍ୟ ଏହାଦ୍ୱାରା ପୀଡ଼ିତ ବ୍ୟକ୍ତିମାନେ କେତେ ଉପକୃତ ହେଲେ ଓ ହେଉଛନ୍ତି ତାହା ବିଚାର୍ଯ୍ୟର ବିଷୟ । ଯଦିଓ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ସାଧାରଣ, ଗରିବରୁ ଅତି ଗରିବ ଟିଏ ଉପକୃତ ହେଉଛି, ତଥାପି କେଉଁଠି କେଉଁଠି ଏହାର କାର୍ଯ୍ୟକାରିତା, ପରିଣାମରେ କେଉଁଠି କେଁଟିଏ ରହିଯାଇଛି । ହଁ, ଆମେ ଜାଣୁ ହଜାର ହଜାର (୨୫୦୦୦ରୁ ୨୦୦୦୦ ବର୍ଷତଳର) ବର୍ଷର ଗୁମ୍ଫାଚିତ୍ର ଗୁଡ଼ହାଣ୍ଡିରେ ରହିଛି, ଡୋକରୀ ଚଂଚରା ରହିଛି, ଅସୁରଗଡ଼ ଐତିହ୍ୟ ରହିଛି, ମୋହନଗିରି, ବେଲଖଣ୍ଡି, ଶାଙ୍କୁସଗଡ଼, ନର୍ଲାର ଶିବ ମନ୍ଦିର ଜୁନାଗଡ଼ର ପ୍ରାଚୀନ କୀର୍ତ୍ତି ରହିଛି, ତଥାପି ଏହା ସ୍ୱୀକାର୍ଯ୍ୟ ଯେ ଆଜିବି ଏ ଜିଲ୍ଲାର ଆସିବାସୀ, ଦଳିତଙ୍କ ପାଇଁ ସବୁଦିନିଆ ରାସ୍ତା, ସ୍କୁଲ, ପାନୀୟଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଚାଷୋପଯୋଗୀ ଜମିକୁ ଜଳସେଚନ, ସମପରିମାଣର ବଂଟନ ବ୍ୟବସ୍ଥା ନାହିଁ । ପିଲା କୁପୋଷଣର ଶିକାର ହେଉଛି । ଉତ୍ତର- ପୂର୍ବ ରାଜ୍ୟ ଗୁଡ଼ିକରେ ହଜାର ହଜାର ଫୁଟ ଉପରେ ପାହାଡ଼ କାଟି ରାସ୍ତା ହୋଇପାରିଲା ତେବେ କଳାହାଣ୍ଡିର କେଇଫୁଟ ଉଚ୍ଚରେ ଥିବା ପାହାଡ଼ି ଇଲାକାରେ କାହିଁକି ନୁହେଁ? କଳାହାଣ୍ଡି କହିଲେ କେବଳ ମୁଖ୍ୟ କେନ୍ଦ୍ର ସବ୍ଡିଭିଜନ୍ କିମ୍ବା ପ୍ରଶାସନର କେନ୍ଦ୍ର ନୁହେଁ ବରଂ ଉପାନ୍ତ ଅଂଚଳରେ ପଡ଼ିରହିଥିବା ହଜାର ହଜାର ଗାଁ ଗଣ୍ଡା । ଜିଲ୍ଲାର ସାମଗ୍ରିକ ବିକାଶ ହେଲେ ଆମେ ଗୋମତୀ ନାମ୍ନୀ ମହିଳାର ଚିତ୍ରକୁ (ଯଦିଓ ଏ ଚିତ୍ର ପ୍ରତୀକାତ୍ମକ) ଯେଉଁଠି ଗୋଦାମରେ ଖାଦ୍ୟଶସ୍ୟ ନଷ୍ଟ ହୁଏ, ଅଥଚ ଏପଟେ ଲୋକଟି ଭୋକରେ ଆଉଟୁପାଉଟୁ ହୁଏ, ପିଲା କୁପୋଷଣର ଶିକାର ହୁଏକୁ ହୁଏତ ଅସ୍ୱୀକାର କରିପାରିବା । ହେ ଭାଗ୍ୟ ବିଧାତାଗଣ ଆପଣ ଯାଆନ୍ତୁ ଉପାନ୍ତ ଇଲାକାକୁ ପ୍ରତ୍ୟକ୍ଷୀଭୂତ ଚିତ୍ର ଆଣନ୍ତୁ ଆପଣଙ୍କ ହୃଦୟରେ । ଡମ୍ବରୁ ମାଝିଙ୍କ ଅନୁସାରେ- “ଶରୀରର ରୋଗକୁ ଡାକ୍ତରଙ୍କଠାରେ ଲୁଚେଇବା କେତେଦୂର ଯୁକ୍ତିଯୁକ୍ତ?” ବରଂ ନିଦାନ ଆବଶ୍ୟକ । ଶିକ୍ଷିତ ବେକାରଙ୍କ ନିଯୁକ୍ତି, କର୍ମଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଟେଲି ଯୋଗାଯୋଗ, ପାନୀୟ ଜଳ ସୁବିଧା, ଜଳସେଚନ, ବିଦ୍ୟୁତ, ଖାଦ୍ୟ, ବସ୍ତ୍ର, ବାସଗୃହ ଯଦି ଉପାନ୍ତ ଇଲାକାର ଗରିବରୁ ଅତି ଗରିବଟିଏ ପାଇପାରିଲା ତେବେ ଆମେ ସ୍ୱୀକାର କରିବା ଯେ କଳାହାଣ୍ଡି ଏକ ସମୃଦ୍ଧ ଅଂଚଳ । ଶରୀରରେ ଘା’ଟିଏ ଥିଲେ ଆମେ କ’ଣ କହିପାରିବା ଶରୀର ନିରୋଗ । ଯଦିଓ ଆଜି କଳାହାଣ୍ଡି ଆଉ ସେ ଅଶୀ ଦଶକରେ ନାହିଁ ତଥାପି ଗୋଟେ ପଟେ ପ୍ରାଚୁର୍ଯ୍ୟ ଅନ୍ୟପଟେ ଦାରିଦ୍ର୍ୟ- ଏ ତିରୋଧାଭାସର ଚିତ୍ର ହେଉଛି କଳାହାଣ୍ଡି ।
ସତ୍ୟକୁ ସ୍ୱୀକାର କରିବା, ସତ୍ୟକୁ ସାମ୍ନା କରିବାରେ ଆମେ କୁଣ୍ଠିତ କାହିଁକି? ଏଥିପାଇଁ ହୀନମନ୍ୟତାର ଶିକାର ହେବା କାହିଁକି? ପି. ସାଇନାଥଙ୍କ ଭାଷାରେ- “ପ୍ରତ୍ୟେକେ ଏକ ସୁନ୍ଦର ଦୁର୍ଭିକ୍ଷକୁ ଭଲ ପାଆନ୍ତି’- ଉକ୍ତିକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆସନ୍ତୁ ଏକ ସମୃଦ୍ଧ କଳାହାଣ୍ଡି ଗଢିବା- ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା । ସରକାର, ପ୍ରଶାସନ, ଜନସାଧାରଣ ଓ ବୁଦ୍ଧିଜୀବୀ ଥରେ ଏ ଜିଲ୍ଲାକୁ ଅନ୍ତର୍ଦୁଷ୍ଟିରେ ଚାହିଁବା ।
କୌତୁକ ପନ୍ଦର
ଉପରନୂଆଗାଁ, ମାଣିକେରା, ମ.ରାମପୁର, କଳାହାଣ୍ଡି,୭୬୬୧୦୨
ଫୋନ-୯୪୩୯୧୧୯୩୩୯

6 Comments
  1. Kautuka Pandar says

    ଖୁବ୍ ସୁନ୍ଦର୍ ପ୍ରୟାସ

    1. Koshala Prabaha says

      thanks

  2. କାର୍ତ୍ତିକ ଦଣ୍ଡସେନା says

    ଅତି ସୁନ୍ଦର ବର୍ଣ୍ଣନା
    ଆପଣ ତ ମ ରାମପୁର, ଥୁ ରାମପୁର, ବିଶ୍ୱନାଥପୁର ଆଦିବାସୀ ଅଦୁଷିତ ବ୍ଲକ କଥା କହିଲେ କିନ୍ତୁ ଜିଲ୍ଲା ମୁଖ୍ୟାଲୟ ଭବାନୀପାଟଣା ବ୍ଲକ ର ସଗଡା ପଂଚାୟତ ର ଗାଁ ମକାଗୁଡା ଓ ନେହେଲା ଗାଁ ର କଥା ନ କହିବା ଠିକ ହେବ

    1. Koshala Prabaha says

      thanks

  3. Bhakta sagria says

    Nice sir, It is a real fact. Thanks a lot for revelation of our truth…

    1. Koshala Prabaha says

      thanks

Leave A Reply

Your email address will not be published.

19 − 10 =