‘ଗୁରୁ ବ୍ରହ୍ମା ଗୁରୁବିଷ୍ଣୁ
ଗୁରୁଦେବ ମହେଶ୍ୱର
ଗୁୁରୁ ସାକ୍ଷାତ ପରଂବ୍ରହ୍ମ
ତସ୍ମଇ ଶ୍ରୀ ଗୁରବେ ନମଃ’
ଆଜି ପବିତ୍ର ଗୁରୁଦିବସ । ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ ।
ଯିଏ ଆମର ଜୀବନରୁ ଅଜ୍ଞାନ ରୂପୀ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପୀ ଆଲୋକ ଦେଖାଇଥାନ୍ତି, ସେ ହିଁ ହେଉଛନ୍ତି ପ୍ରକୃତ ଗୁରୁ । ଗୁରୁ ଭଗବାନଙ୍କ ସହ ତୁଳନୀୟ । ଗୁରୁଙ୍କ ଆଶୀର୍ବାଦରେ ଜଣେ ଛାତ୍ର ଅଶେଷ ଜ୍ଞାନ ଏବଂ ସମ୍ମାନର ଅଧିକାରୀ ହୋଇପାରେ ।
ସାଧାରଣତଃ ଆମ ପିତାମାତା ହେଉଛନ୍ତି, ଆମର ପ୍ରଥମ ଗୁରୁ । କିନ୍ତୁ ପିତାମାତାଙ୍କ ପରେ ଆମ ଜୀବନରେ ଆସିଥାନ୍ତି ଶିକ୍ଷକ ବା ଗୁରୁ । ଏହି ଗୁରୁମାନେ ଆମର ପ୍ରତ୍ୟେକ ଛୋଟ ବଡ ଭୁଲ୍କୁ କ୍ଷମା କରି, ଆମକୁ ଉଚିତ୍ ଶିକ୍ଷା ଦେଇ ଆମର ଭବିଷ୍ୟତ ଜୀବନ ଯାତ୍ରାକୁ ସରଳ ଏବଂ ଆଲୋକିତ କରିଥାନ୍ତି । ସେହି ଗୁରୁ ମାନଙ୍କୁ ସମ୍ମାନ ଜଣାଇବା ସହିତ ତାଙ୍କ ସାନିଧ୍ୟ ଲାଭ ପାଇଁ ଆମେ ପ୍ରତିବର୍ଷ ଏହି ଗୁରୁଦିବସ ପାଳନ କରିଥାଉ ।
ପ୍ରକୃତରେ ୧୯୬୨ ମସିହା ଠାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ସେପ୍ଟେମ୍ବର ୫କୁ ପ୍ରତିବର୍ଷ ଗୁରୁଦିବସ ରୂପେ ପାଳନ କରାଯାଏ ।
ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି ।
୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି ।