‘ମୋ ସରକାର’ ଏବଂ ‘୫ଟି’ ଯୋଜନାକୁ ତ୍ୱରାନ୍ୱିତ କରି ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ଟୁଇଟର୍‌ କୁଇନ୍‌ ଦୀପା

ନିରଞ୍ଜନ ତ୍ରିପାଠୀ, ସାମ୍ବାଦିକ

ବର୍ତ୍ତମାନ ରାଜ୍ୟରେ ୫ଟି ଏବଂ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାଫଳରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ସୁବିଧା ସୁଯୋଗ ଲୋକଙ୍କ ପାଖକୁ ପହଂଚିବା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ଏହାପରେ ମଧ୍ୟ ସଚେତନତାର ଘୋର ଅଭାବ ଯୋଗୁଁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅନେକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ୨୦୧୯ ମସିହାରେ ଜଣେ ମହିଳା ସ୍ୱେଚ୍ଛାସେବୀ ସ୍ୱତଃସ୍ପୁର୍ତ୍ତ ଭାବେ ଆଗେଇ ଆସିଥିଲେ ଲୋକଙ୍କ ସମସ୍ୟା ଗୁଡିକୁ ସରକାରଙ୍କ ପାଖେ ପହଂଚାଇ ସଫଳତା ହାସଲ କରିବାକୁ ଲାଗିଲେ । ପର୍ଯ୍ୟାୟ କ୍ରମେ ସେ ସମଗ୍ର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଲେ । ଉକ୍ତ ଯୁବତୀ ଜଣକ ହେଉଛନ୍ତି ଦୀପା ବାରିକ । ସେ ସାମାଜିକ ଗଣମାଧ୍ୟମ ଟୁଇଟର୍‌ ମାଧ୍ୟମରେ ଗତ ଦୁଇବର୍ଷ ମଧ୍ୟରେ ଅନେକ ସମସ୍ୟାର ସମାଧାନ କରିବାରେ ସଫଳ ହୋଇ ପାରିଛନ୍ତି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ସମସ୍ୟାର ସମାଧାନ କରିଛନ୍ତି ସେ, ଯାହାଦ୍ୱାରା ସମାଜର ବହୁବିଧ ଉନ୍ନତି ସାଧିତ ହୋଇପାରିଛି । ସେ ପ୍ରତ୍ୟେକ ଦିନ ଭୋର୍‌ରୁ ଉଠି ଓଡ଼ିଶାର ସମସ୍ତ ଲୋକଙ୍କ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥା’ନ୍ତି ଏବଂ ତାହା ସମାଧାନ ହେବା ପରେ ଫେସ୍‌ବୁକ ମାଧ୍ୟମରେ ଲୋକଙ୍କ ସଚେତନତା ଉଦ୍ଦେଶ୍ୟରେ ପୋଷ୍ଟ କରିଥାନ୍ତି ।
ସମ୍ପ୍ରତି ନାରୀ ଆଉ ଚାରିକାନ୍ଥ ଭିତରେ ଆବଦ୍ଧ ନ ରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ରରେ ମଧ୍ୟ ତାଳମେଳ ରକ୍ଷା କରି ଆଗକୁ ବଢୁଛି । ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ଏହାସତ୍ତେ୍ୱ ସମାଜରେ ସମ୍ମାନର ସହ ବଂଚିବାକୁ ସେ ସଂଘର୍ଷ ଜାରି ରଖିଛି । କିଏ କହେ ନାରୀ ଦୁର୍ବଳା ଓ ଅବଳା । ଆଉ କିଏ କହେ ନାରୀ ଜୀବନ ଚୁଲିମୁଣ୍ଡକୁ । ହେଲେ ଏସବୁକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବରଗଡ ଜିଲା ପାଇକମାଲ ବ୍ଲକ ଟେମରୀ ଗ୍ରାମର ଦୀପା ଓରଫ ଚାରୁବାଳା ବାରିକ ।
ଦୀପାଙ୍କ ବାପା ଅମୃତଲାଲ ବାରିକ ଜଣେ ଚାଷୀ ଏବଂ ମା’ ସୁଷମା ଜଣେ ଅଙ୍ଗନୱାଡି କର୍ମୀ । ଘରେ ତାଙ୍କର ଜଣେ ବଡଭାଇ ଅଛନ୍ତି । ଏହାଛଡା ତାଙ୍କ ସାନ ମା’ ଅନ୍ନପୂର୍ଣ୍ଣା ବାରିକ ଆଶା କର୍ମୀ ଭାବେ କାର୍ଯ୍ୟରତ । ଦୀପା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ସ୍ନାତକୋତ୍ତର କରିଛନ୍ତି । ମଧ୍ୟବିତ୍ତ ପରିବାରର ଦୀପା ବାରିକ ବର୍ତ୍ତମାନ ଓଡିଶା ସରକାର ତଥା ଜିଲା ପ୍ରଶାସନ ନିକଟରେ ଏକ ପରିଚିତ ନାଁ । ପ୍ରତ୍ୟେକ ଜିଲାର ଅସହାୟ ଦୁଃଖୀଙ୍କୁ ସହାୟତା ପାଇଁ ତତ୍ପରତା ପ୍ରକାଶ କରି ପ୍ରତିଦିନ ସରକାରଙ୍କଠାରେ ସେମାନଙ୍କ ସମସ୍ୟାକୁ ଉତ୍‌ଥାପନ କରୁଛନ୍ତି । ଗରିବଙ୍କ ହକ୍‌ ପାଇଁ ଲଢେଇ କରୁଥିବାରୁ ଦୀପା ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ହାଇସ୍କୁଲରେ ପଢିବା ସମୟରେ ଏକ ଅସହାୟ ପରିବାରର ଦୁଃଖ ଦୁର୍ଦ୍ଦଶା ଦେଖି ସେମାନଙ୍କ ହକ୍‌ର ଲଢେଇ ପାଇଁ ପ୍ରେରଣା ପାଇଥିବା ଦୀପା କୁହନ୍ତି । ବର୍ତ୍ତମାନ ନିଜର ପ୍ରବଳ ଇଛାଶକ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ମୁହଁରେ ସେ ହସ ଫୁଟାଇ ପାରିଛନ୍ତି । ବାପା ମା’ଙ୍କ ସଂସ୍କାର ତଥା ସହଯୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ସମାଜକୁ ନୂତନ ବାର୍ତ୍ତା ଦେଉଛନ୍ତି ଦୀପା । ଲୋକଙ୍କ ଆଲୋଚନା ସମାଲୋଚନାକୁ ଖାତିର ନ କରି ସେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହେଉ କି ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଶୁଣାଣି ପ୍ରକୋଷ୍ଠ ହେଉ ସହସ୍ରାଧିକ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଏବଂ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ।
କେବଳ ଅସହାୟଙ୍କୁ ସହାୟତା କରିବାରେ ସୀମିତ ନ ରହି ଦୀପା ଅଂଚଳର ବିକାଶ ପାଇଁ ସବୁବେଳେ ଚେଷ୍ଟିତ । ଗଣମାଧ୍ୟମରେ ବାହାରୁଥିବା ବିଭିନ୍ନ ଅଂଚଳର ଖବରକୁ ସେ ଟୁଇଟ୍‌ କରି ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଦୃଷ୍ଟିକୁ ଆଣୁଛନ୍ତି । ତାଙ୍କର ଏଭଳି ଦୃଷ୍ଟିଭଙ୍ଗୀ ଯୋଗୁଁ ଟେମରୀ ଗ୍ରାମର କୌଣସି ବ୍ୟକ୍ତି ସାମାଜିକ ସୁରକ୍ଷା ଯୋଜନାରୁ ବଂଚିତ ହୋଇ ରହିନାହାନ୍ତି । ବରଗଡ ଜିଲା ଛଡା ସେ ବଲାଙ୍ଗିର, କୋରାପୁଟ, ରାୟଗଡା, ବୌଦ୍ଧ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାର ଅନେକ ସମସ୍ୟାର ସମାଧାନ କରିପାରିଛନ୍ତି । ସେ ଆଗାମୀ ଦିନରେ ଜଣେ ଶିକ୍ଷୟିତ୍ରୀ ହୋଇ ସମାଜରେ ଭଲ ମଣିଷ ଗଢିବା ପାଇଁ ମନସ୍ଥ କରିଛନ୍ତି । ତାଙ୍କର ଏଭଳି ସମାଜସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ।

Leave A Reply

Your email address will not be published.