ଆତ୍ମନିର୍ଭର ଆର୍ଥିକ ବ୍ୟବସ୍ଥା (ବଜେଟ୍‌)

  • ସୌମେନ୍ଦ୍ର ଜେନା

ଫେବୃଆରୀ ମାସ ଆରମ୍ଭରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆବର୍ଷର ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ଯଦି ସକାରାତ୍ମକ ଦୃଷ୍ଟିରୁ ବିଚାରର କରାଯାଏ ତେବେ ଏହା ଏକ ସନ୍‌ନ୍ତୁଳିତ, ଜୀବନ ରକ୍ଷାକାରୀ, ଆତ୍ମନିର୍ଭର ଆର୍ଥିକ ବ୍ୟବସ୍ଥା ନିର୍ମାଣ ପାଇଁ ସହାୟକ ବଜେଟ ବୋଲି ଜଣାପଡିବ । ପାଖାପାଖି ଦୀର୍ଘ ଦୁଇବର୍ଷ ଧରି ଦେଶରେ କୋରୋନାର ଆକ୍ରମଣ ଜାରିଥିଲା ବେଳେ ମାସମାସ ଧରି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁ ଦେଶରେ ଗୋଟିଏ ପଟେ ବ୍ୟବସାୟୀ ମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ବହୁଲୋକ କର୍ମସଂସ୍ଥାନ ହରାଇଛନ୍ତି । ରୋଗର ସଂକ୍ରମଣ ଯୋଗୁ ସାଢେ ଚାରିଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କୋଟି କୋଟି ଲୋକ ମୃତ୍ୟୁ ମୁହଁରୁ ରକ୍ଷା ପାଇଛନ୍ତି । ବିଦେଶରେ ଟିକା ନବା ନ ନେବାକୁ କେନ୍ଦ୍ରକରି ଇଉରୋପରୁ କାନାଡା ଯାଏଁ ଲୋକେ ଆନ୍ଦୋଳନ, ଦଙ୍ଗାଗୋଳରେ ମାତିଥିଲା ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆନ୍ଦୋଳନକାରୀଙ୍କ ଦ୍ୱାରା ଘେରାଉର ସମ୍ମୁଖୀନ ହୋଇ ନିଜ ସୁରକ୍ଷା ପାଇଁ ସରକାରୀ ବାସଗୃହ ଛାଡି ଅଜଣା ସ୍ଥାନରେ ଆଶ୍ରୟ ନେଇଛନ୍ତି । ଆମେରିକା ଓ ବ୍ରିଟେନରେ ହାତଲେଖା କୋରୋନା ପ୍ରମାଣପତ୍ର ଯୋଗୁ ସଂଖ୍ୟାଧିକ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଭାରତର ଜୀବନ ରକ୍ଷାକାରୀ ଅର୍ଥନୀତି ବଳରେ ଶତାଧିକ କୋଟି ଜନତାଙ୍କୁ ଦୁଇଶହ କୋଟିରୁ ଅଧିକ ଟିକା ମାଗଣାରେ ସରକାର ଦେଇ ଜନଜୀବନକୁ ସଜାଡିବାରେ ଲାଗିଛନ୍ତି । କେରୋନା କାଳରେ ପୃଥିବୀରେ ଭାରତ ୯.୨ପ୍ରତିଶତ ବିକାଶ ହାର ସହ ସବୁଠୁ ଆଗରେ ରହି ଯେପରି ସଙ୍କଟର ସଫଳ ମୁକାବିଲାରେ ଲାଗିଛି ତା ପଛରେ ବଜେଟ ପରିଚାଳନାଗତ ସଫଳତା, ଆର୍ଥିକ ସଂସ୍କାର, ସଙ୍କଟକୁ ସୁଯୋଗରେ ପରିଣତ କରିବାର ଦକ୍ଷତା ଦାୟୀ ରହିଥିବା ଜଣାପଡିବ । ଭାରତ ପରି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକଶହ ଚାଳିଶ ଗୋଟି ଜନତାଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ବ୍ୟବସ୍ଥାରେ ସଂସ୍କାର ଆଣି କେନ୍ଦ୍ରର ମୋଦି ସରକାର ଜନମାନସରେ ପ୍ରଶଂସାଭାଜନ ହୋଇଥିବା କାରଣରୁ ଦେଶର ୭୨ପ୍ରତିଶତ ଜନତା ସରକାରଙ୍କ ଉପରେ ସନ୍ତୁଷ୍ଟ ଥିବା ଯୋଗୁ ମୋଦି ବିଶ୍ୱର ସର୍ବାଧିକ ଜନପ୍ରିୟ ନେତା ହେବାର ସମ୍ମାନ ଲାଭ କରିଛନ୍ତି । ତେଣୁ ବର୍ତ୍ତମାନର ଅର୍ଥନୀତି ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ପାଇଁ ସନ୍ତୋଷଜନକ ରହିଛି । ଗାତ୍ରଦାହୀ ଲୋକେ ଏକପାଖିଆ ବିଚାରକରି ହେଉନାହିଁ, ହେଲାନାହିଁ, ହେବନାହିଁ ବୋଲି ଯେମିତି ନାହିଁ ନାହିଁର କଥା କହି ନିଜ ତର୍କକୁ ସୁହାଇଲା ଭଳି ସୀମିତ ତଥ୍ୟକୁ ରଖି ଆର୍ଥିକ ବିଚାର କରିଥାନ୍ତି ତାହାକୁ ଆମେ ଠିକ୍‌ ବୋଲି କହିପାରିବା ନାହିଁ । କାରଣ କୋରୋନାର ଆରମ୍ଭ କାଳରେ ବିଶ୍ୱର ଅନେକ ବଡବଡ ତଥ୍ୟବିତ୍‌ଙ୍କୁ ଧରି ଆମେରିକାର ଗଣମାଧ୍ୟମ ଗୁଡିକରେ ଢେର ଭାରତ ବିରୋଧୀ ଲେଖା ପ୍ରକାଶ ପାଇଥିଲା । ଭାରତର ଅର୍ଥନୀତି କୋରୋନା ଯୋଗୁ ଭାଙ୍ଗିପଡିବ, କୋଟି କୋଟି ଲୋକେ ପୋକ, ମାଛି ପରି ମରିଯିବେ ବୋଲି ଭୟସଞ୍ଚାର କଲାପରି ଶବ୍ଦାବଳୀ ପୂର୍ଣ୍ଣ ଲେଖାସବୁ ଉଭୟ ଭାରତୀୟ ଏବଂ ଅଣଭାରତୀୟଙ୍କ ଦ୍ୱାରା ଲେଖା ପ୍ରକାଶ ପାଇଲା । କିନ୍ତୁ ଏହି ସଙ୍କଟ କାଳରେ ବଜେଟର ପରିଚାଳନା, ପରିସ୍ଥିତିର ସମ୍ମୁଖୀନ ହେବା, ଲୋକଙ୍କ ଜୀବନରକ୍ଷା ପାଇଁ ମାଗଣା ଟୀକାକରଣର ସର୍ବବୃହତ ଅଭିଯାନ ଚଳାଇବା, ଗରିବ ରାଷ୍ଟ୍ରମାନଙ୍କୁ ଟୀକା ଓ ଚିକିତ୍ସା ସାମଗ୍ରୀ ବଣ୍ଟନ କରିବାର କ୍ଷମତା ବୃଦ୍ଧି କରିବା, ଲେବାନନ ଓ ଆଫଗାନିସ୍ଥାନ ଲୋକଙ୍କ ପାଇଁ ଲକ୍ଷାଧିକ ମେଟ୍ରିକ ଟନ୍‌ର ଖାଦ୍ୟ ସାମଗ୍ରୀ ମାଗଣାରେ ଦେବାପରି କାର୍ୟ୍ୟ ଭାରତ କରିବାକୁ ସକ୍ଷମ ହୋଇଛି । ସେମିତି ୮୦ରୁ ଅଧିକ ଦେଶକୁ ଶସ୍ତା ଓ ମାଗଣାରେ ଟୀକା ଯୋଗାଇ ଧନୀ ରାଷ୍ଟ୍ରମାନଙ୍କ ପାଇଁ ମଡେଲ ସୃଷ୍ଟି କରିଛି । ପାଖପଡୋଶୀ ଶ୍ରୀଲଙ୍କା ଓ ମାଳଦ୍ୱୀପ ପରି ଛୋଟ ରାଷ୍ଟ୍ରଗୁଡିକୁ ଋଣଜାଲରୁ ମୁକୁଳାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ଦେଶର ଅର୍ଥନୀତି ବିଷୟ ଆଲୋଚନା ବେଳେ ଏସବୁ ସଫଳତାକୁ ଏଡାଇଦେଇ ହେବନାହିଁ । ସବୁ ରାଷ୍ଟ୍ରର ଲକ୍ଷ୍ୟଥାଏ ସଫଳତାର ସହ ପରିସ୍ଥିତିକୁ ନେଇ ସଂଘର୍ଷ କରି ଆଗକୁ ଆଗକୁ ବଢିବା । ଅନ୍ୟ ରାଷ୍ଟ୍ରମାନଙ୍କ ପରି ଭାରତ ମଧ୍ୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରିସ୍ଥିତି ସହ ସଂଘର୍ଷ କରି କୋରୋନା ସହ ଲଢୁଛି ଏବଂ ସଫଳତାର ସହ ଆଗରୁ ବଢୁଛି । କେନ୍ଦ୍ରସରକାରଙ୍କ ୨୦୨୨-୨୩ର ବଜେଟକୁ ଦେଖିଲେ ମୋଟ ୩୯୪୪୯୪୮.୬୭ କୋଟିର ଅଟକଳ ହୋଇଛି । ଏହି ବଜେଟରେ ଆତ୍ମନିର୍ଭର ହେବାପାଇଁ ସବୁ କ୍ଷେତ୍ରରେ ସୁଯୋଗ ବୃଦ୍ଧିଲାଗି ଲକ୍ଷ୍ୟ ରଖାଯାଇଥିବା ଜଣାପଡିବ । ଯେମିତି ପିଏଲ୍‌ଆଇ ସ୍କିମରେ ଶିଳ୍ପର ବ୍ୟାପକ ବିକାଶ ପାଇଁ ୧୯୫୦୦କୋଟି ଖର୍ଚ୍ଚ, ପ୍ରତି ଜିଲ୍ଲାରେ ଆଇଟିଆଇ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା, ଆଗାମୀ ୫ବର୍ଷରେ ୬୦ଲକ୍ଷ ଚାକିରୀ ସୃଷ୍ଟି, ୩ ବର୍ଷରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବା, ୫ ନୂତନ ନଦୀ ସଂଯୋଗୀକରଣ, ନବୋଦ୍ୟୋଗୀଙ୍କ ପାଇଁ ୨ଲକ୍ଷ କୋଟି ଖର୍ଚ୍ଚ, ୮୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ, ଜଳ, ସ୍ଥଳ ଓ ଆକାଶ କ୍ଷେତ୍ରରେ ଯୋଗାଯୋଗ ବୃଦ୍ଧିପାଇଁ ପଦକ୍ଷେପ, ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନାରେ ୨୦୦ଶିକ୍ଷା ଚ୍ୟାନେଲ ଖୋଲିବା, ଆଞ୍ଚଳିକ ଭାଷାରେ ଶିକ୍ଷାଦାନ, ରସାୟନ ମୁକ୍ତ କୃଷି ବ୍ୟବସ୍ଥା, ଜାତୀୟ ଟେଲିମାନସିକ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ, ୩.୮ କୋଟି ଗୃହକୁ ନଳଯୋଗେ ପାନୀୟ ଜଳ ଯୋଗାଣ, ଇ-ପାସପୋର୍ଟ ସୁବିଧା, ଡାକଘରେ ଏଟିଏମ୍‌ ସୁବିଧା, ଚାଷର ସୁବିଧା ପାଇଁ ଡ୍ରୋନର ଉପଯୋଗ, କୃଷି ବିକାଶ ଓ ବାଣିଜ୍ୟ ପାଇଁ ଷ୍ଟାର୍ଟଅପ୍‌ ସ୍ଥାପନା ଆଦି ଲକ୍ଷ୍ୟ ବେଶ୍‌ ଉଲ୍ଲେଖନୀୟ । ସେମିତି ଚଳିତବର୍ଷ ରେକର୍ଡ ପରିମାଣର ଜିଏସ୍‌ଟି ଜାନୁଆରୀ ମାସରେ ୧୩୮୩୯୪ କୋଟି ହେବା, କର୍ପୋରେଟ ସରଚାର୍ଜ ୧୨ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଆଗାମୀ ଦିନରେ ବାଣିଜ୍ୟର ବିକାଶ ହେବ, ଏଥିରେ ସନ୍ଦେହ ନାହିଁ । ଚଳିତବର୍ଷର ବଜେଟରେ ରେଳ ସୁରକ୍ଷା ବୃଦ୍ଧି ପାଇଁ ୨୦୦୦ କିଲୋମିଟର ରେଲପଥକୁ କବଚ ଟେକ୍‌ନୋଲୋଜି ପ୍ରଦାନ କରାଯିବା ଏକ ଭଲ ପଦକ୍ଷେପ ନିଶ୍ଚୟ । ଦେଶରେ ଯୋଗାଯୋଗର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ୨୦୨୨-୨୩ରେ ଲୋକଙ୍କ ୨୦୦୦୦କୋଟି ବ୍ୟୟରେ ୨୫୦୦୦କି.ମି ଜାତୀୟ ରାଜପଥର ନିର୍ମାଣଲକ୍ଷ୍ୟ ଏକ ବଡ ସଫଳତା ହେବ । ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରୁ ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟରଖି ସରକାର ବିକାଶର ସୁଦୃଢ ଢାଞ୍ଚା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଆୟ କର ହ୍ରାସ ୧୦ରୁ ୧୪ ପ୍ରତିଶତକୁ ବଢାଇ ଦିଆଯାଇଛି, ଯାହା ଅନେକଙ୍କ ପାଇଁ ବେଶ୍‌ ସହାୟକ ହେବ । ସେହିପରି ମହିଳା ଓ ଶିଶୁବିକାଶ ନିମନ୍ତେ ମିଶନ ଶକ୍ତି, ମିଶନ ବାତ୍ସଲ୍ୟ, ସକ୍ଷମ ଅଙ୍ଗନୱାଡି, ପୋଷଣ ୨.୦ ସୁବିଧା ଯୋଗାଇ ଦିଆଯିବ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଯୁବକ ଓ ମହିଳାମାନଙ୍କ ବିକାଶ ପାଇଁ ୧୫୦୦ କୋଟି ବ୍ୟବସ୍ଥା ରହିଛି । ଏହାଛଡା ସ୍ୱତନ୍ତ୍ର ଭାବେ ପିଏମ୍‌- ଡିଭାଇନ୍‌ ନାମରେ ଆଉ ଏକ ନୂଆ ଯୋଜନା ଉତ୍ତର ପୂର୍ବାଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଆରମ୍ଭ କରାଯିବା ଲାଗି ବଜେଟରେ ବ୍ୟବସ୍ଥା ରହିଛି । ସୀମାନ୍ତର ଗ୍ରାମାଞ୍ଚଳ ପାଇଁ ନୂଆ ଗ୍ରାମ ବିକାଶ ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ପ୍ରମୁଖ ଯୋଜନା ପାଇଁ ଖର୍ଚ୍ଚ ଦୃଷ୍ଟିରୁ ବିଚାର କଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ଗତବର୍ଷ ୩୪୯୪୭କୋଟି ବ୍ୟୟ ହୋଇଥିଲା ବେଳେ ୨୦୨୨-୨୩ ପାଇଁ ୩୭୮୦୦କୋଟି, ଜଳଜୀବନ ପାଇଁ ୨୦୨୧-୨୨ରେ ୪୫୦୧୧ କୋଟି ଅଟକଳ ଥିଲାବେଳେ ୨୦୨୨-୨୩ରେ ୬୦୦୦୦ କୋଟି, ରାଷ୍ଟ୍ରୀୟ ଶିକ୍ଷା ମିଶନ ପାଇଁ ୨୦୨୧-୨୨ରେ ୩୦୭୯୬ କୋଟି ବ୍ୟୟ ଅଟକଳ ଥିଲାବେଳେ ୨୦୨୨-୨୩ରେ ଏହା ୩୯୫୫୩ କୋଟି ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ୨୦୨୧-୨୨ରେ ୧୪୦୦୦କୋଟି ଥିଲା ବେଳେ ୨୦୨୨-୨୩ରେ ୧୯୦୦୦କୋଟି, ପ୍ରଧାନମନ୍ତ୍ରୀ କିସାନ ୨୦୨୧-୨୨ରେ ୬୭୫୦୦ କୋଟି ଥିଲା ବେଳେ ୨୦୨୨-୨୩ରେ ୬୮୦୦୦କୋଟି, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ୨୦୨୧-୨୨ରେ ୫୦୦୦କୋଟି ଥିଲା ବେଳେ ୨୦୨୨-୨୩ରେ ୬୪୦୦କୋଟି, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ୨୦୨୧-୨୨ରେ ୭୪୦୦ କୋଟି ଥିଲା ବେଳେ ୨୦୨୨-୨୩ରେ ୧୦୦୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେମିତି ମନ୍ତ୍ରଣାଳୟ ଦୃଷ୍ଟିରୁ ଅର୍ଥ ଯୋଗାଣ ଦେଖିଲେ ଯୋଗାଯୋଗ ମନ୍ତ୍ରଣାଳୟ -୧୦୫୪୦୬.୮୨କୋଟି, ରସାୟନ ଓ ସାର- ୧୦୭୭୧୫.୩୮କୋଟି, କୃଷି ଓ କୃଷକ ବିକାଶ -୧୩୨୫୧୩.୬୨କୋଟି, ଗ୍ରାମାଞ୍ଚଳ ବିକାଶ- ୧୩୮୨୦୩.୬୩କୋଟି, ରେଲବାଇ -୧୪୦୩୬୭.୧୩କୋଟି, ଗୃହ-୧୮୫୭୭୬.୫୫କୋଟି, ସଡକ ପରିବହନ ଏବଂ ରାଜପଥ -୧୯୯୧୦୭.୭୧ କୋଟି, ଗ୍ରାହକ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ-୨୧୭୬୮୪.୪୬କୋଟି, ପ୍ରତିରକ୍ଷା-୫୨୫୧୬୬.୧୫କୋଟି ଟଙ୍କା ପାଇଛନ୍ତି । ଉତ୍ପାଦନ ବୃଦ୍ଧିପାଇଁ ପିଏଲ୍‌ଆଇ ଯୋଜନାରେ ୨୦୨୨-୨୩ରେ ଟେଲିକମ୍‌ ଯୋଗାଯୋଗ -୫୨୮ କୋଟି, ଇଲେକ୍‌ଟ୍ରୋନିକ୍ସ ଆଇଟି ହାର୍ଡ ୱେର- ୫୩୦୦କୋଟି, ଫାର୍ମାସିଟ୍ୟୁକାଲ-୧୬୨୯ କୋଟି ଟଙ୍କାର ସୁବିଧା ପାଇବେ । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦-୨୦୨୬୩କୋଟି, ପିଏମ୍‌ ପୋଷଣ -୧୦୨୩୪କୋଟି, ମିଶନ ବାତ୍ସଲ୍ୟ-୧୪୭୨କୋଟି, ମିଶନଶକ୍ତି-୩୧୮୪କୋଟି ପାଇବେ । ମୋଟାମୋଟି ଭାବେ ଚଳିତବର୍ଷର ବଜେଟକୁ ଏକ ବିକାଶମୁଖୀ ସନ୍ତୁଳିତ, ଆତ୍ମନିର୍ଭର କୈନ୍ଦ୍ରିକ ପ୍ରୟାସ ବୋଲି କହିହେବ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave A Reply

Your email address will not be published.