- ସୌମେନ୍ଦ୍ର ଜେନା
ଭାରତର ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍କୁ ନେଇ ଏବେ ଭାରତ ବାହାରେ ଖୁବ୍ ଜୋର ଚର୍ଚ୍ଚା ଜାରି ରହିଛି । ଫିଲିପାଇନ୍ସର ସୋସିଆଲ ମିଡିଆରେ ବ୍ରହ୍ମୋସ୍ ଏବଂ ଭାରତ ଉଭୟେ ଯୁବଶକ୍ତିର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଫିଲିପାଇନ୍ସର ଲୋକେ ବ୍ରହ୍ମୋସ୍ର ପ୍ରଥମ ଭାଗ୍ୟଶାଳୀ ଗ୍ରାହକ ହୋଇଥିବାରୁ ଭାରତପ୍ରତି କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ଏସୀୟ ରାଷ୍ଟ୍ର ଭିଏତନାମ, ମାଲେସିଆ ଏବଂ ଥାଇଲାଣ୍ଡରେ ବ୍ରହ୍ମୋସ୍କୁ କେନ୍ଦ୍ରକରି ନାନାପ୍ରକାର ଆଲୋଚନା ଜାରି ରହିଛି । ସେସବୁ ଦେଶର ସରକାର ବ୍ରହ୍ମୋସ୍କୁ ନିଜର ପ୍ରତିରକ୍ଷା ବ୍ୟବସ୍ଥାରେ ସାମିଲ କରିବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ୨୮ଜାନୁଆରୀ ଦିନ ଫିଲିପାଇନ୍ସର ନୌସେନା ପାଇଁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଯୋଗାଇବାକୁ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବୁଝାମଣା ହୋଇଛି । ଚୀନ ନୌସେନା ଅନେକ ସମୟରେ ଫିଲିପାଇନ୍ସର ସମୁଦ୍ର ସୀମାରେ ଜବରଦସ୍ତ ପ୍ରବେଶ କରିବା ସହ କୌଣସି ପ୍ରକାର ଚେତାବନୀକୁ ଖାତିର କରୁନାହିଁ । ତେଣୁ ଫିଲିପାଇନ୍ସ ସରକାର ନିଜ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଭାରତ ଠାରୁ ବ୍ରହ୍ମୋସ୍ କ୍ରୟ କରିବା ପାଇଁ ଠିକ୍ କଲେ । ଏଥିପାଇଁ ତତ୍କାଳ ଅର୍ଥଦେବାକୁ ପଡୁନଥିବା ହେତୁ ଫିଲିପାଇନ୍ସର ଅନ୍ୟ ଏକ ସୁବିଧା ହେଲା । ଭାରତ ସରକାର ଦୀର୍ଘ ମିଆଦି ଋଣ ଯୋଗାଇ ଦେବାରୁ ସେହି ଅର୍ଥରେ ଭାରତଠାରୁ ନିୟମ ମୁତାବକ କ୍ଷେପଣାସ୍ତ୍ର କିଣିବା ପାଇଁ ଫିଲିପାଇନ୍ସ ସ୍ଥିରକଲା । କେବଳ ସେତିକି ନୁହେଁ ଏବେ ସ୍ଥଳସେନା ଏବଂ ବାୟୁସେନା ପାଇଁ ଆବଶ୍ୟକ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କ୍ରୟ ପାଇଁ ଫିଲିପାଇନ୍ସ ସେନାବାହିନୀରେ ଆଗ୍ରହ ପ୍ରକାଶ ପାଇବା ପରେ ଭାରତ ପକ୍ଷରୁ ମଧ୍ୟ ସକାରାତ୍ମକ ସୂଚନା ମିଳିଛି । ଫିଲିପାଇନ୍ସର ମାନିଲାଠାରେ ପ୍ରତିରକ୍ଷା ସଚିବ ଡେଲଫିନ୍ ଏନ୍ ଲୋରେଞ୍ଜାନାଙ୍କ ସହ ବ୍ରହ୍ମୋସ୍ ଏରୋସ୍ପେସ ଲିମିଟେଡ୍ର ନିର୍ଦ୍ଦେଶକ ଅତୁଲ ଦିନକର ରାଣେ ବୁଝାମଣାପତ୍ରରେ ହସ୍ତାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଲୋରେଞ୍ଜାନା କହିଥିଲେ ଯେ ପଶ୍ଚିମ ଫିଲିପାଇନ୍ସ ସମୁଦ୍ରରେ ଅଧିକାର କ୍ଷୁର୍ଣ୍ଣ କଲାପରି କୌଣସି ପ୍ରକାର ଉଦ୍ୟମକୁ ପୃଥିବୀର ସର୍ବାଧିକ ଗତିମାନ ସୁପରସୋନିକ କ୍ରୁଜ ମୋବାଇଲ ବ୍ରହ୍ମୋସ୍ ଉଚିତ୍ ଜବାବ ଦେବ । ଏହାଦ୍ୱାରା ଫିଲିପାଇନ୍ସର ରାଷ୍ଟ୍ରୀୟ ସ୍ୱାର୍ଥ ଓ ସୀମା ସୁରକ୍ଷା ଦେବାକୁ ନୌସେନା ସକ୍ଷମ ହେବ । ଫିଲିପାଇନ୍ସର ସ୍ୱତନ୍ତ୍ର ଆର୍ôଥକ କ୍ଷେତ୍ରରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଆକ୍ରମଣ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୨୦୨୧ରେ ଚୀନର ତଟରକ୍ଷକ ବାହିନୀ ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ ନୌସେନା ଅଧିକାରୀଙ୍କୁ ଧମକ ଦେବାକୁ ପଛାଇନଥିଲେ । ୩୭୫ ମିଲିଅନ ଡଲାର ମୂଲ୍ୟର ଏହି ବୁଝାମଣା ପରେ ମାନିଲାରେ କାର୍ଯ୍ୟରତ ଭାରତର ରାଷ୍ଟ୍ରଦୂତ ଶମ୍ଭୁ କୁମାରନ୍ ଖୁସି ବ୍ୟକ୍ତ କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଏହି ବୁଝାମଣା ସହଯୋଗ ବୃଦ୍ଧି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ମାରକ କ୍ଷମତା ୨୯୦କି.ମି. ଥିଲାବେଳେ ପରବର୍ତ୍ତୀ କାଳରେ ୪୦୦ରୁ ୬୦୦ କିଲୋମିଟର ଯାଏ ବୃଦ୍ଧି କରାଯାଇପାରିବ । ଓଡିଶାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରେ ଆଇଏନ୍ଏସ୍ ବିଶାଖାପାଟ୍ଟନମ୍ରୁ ଚଳିତବର୍ଷ ଜାନୁଆରୀ ୧୧ ଓ ୨୦ ଦୁଇଦିନ ଧରି ଆଧୁନିକ ଶ୍ରେଣୀର ବିକଶିତ ବ୍ରହ୍ମୋସ୍କୁ ପରୀକ୍ଷା କରାଯାଇଥିଲା । ଏହା ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଏବଂ ରୁଷିଆର ଏନ୍ପିଓ ମାସିନୋ ସ୍ତ୍ରୋୟେନିକା ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଭାରତର ବ୍ରହ୍ମପୁତ୍ର ଓ ରୁଷିଆର ମୋସ୍କଭା ନଦୀର ନାମର ମିଶ୍ରଣରେ ବ୍ରହ୍ମୋସ୍ର ନାମକରଣ ହୋଇଛି । ୧୨ ଫେବୃଆରୀ ୧୯୯୮ରେ ବ୍ରହ୍ମୋସ୍ ଏରୋସ୍ପେସ୍୍ କମ୍ପାନୀ ସ୍ଥାପନା ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀଠାରେ ରହିଛି । ଭାରତ ସରକାରଙ୍କ ଏହି ପ୍ରତିରକ୍ଷା କମ୍ପାନୀରେ ଭାରତର ଅଂଶ ୫୦.୫ ପ୍ରତିଶତ ରହିଛି । ୧୯୯୦ ଦଶନ୍ଧିର ଆରବଯୁଦ୍ଧ ପରେ ଏପ୍ରକାର କ୍ଷେପଣାସ୍ତ୍ର ଭାରତ ନିକଟରେ ରହିବା ଆବଶ୍ୟକ ବୋଲି ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏପିଜେ ଅବଦୁଲ କଲାମ ଅନୁଭବ କରିଥିଲେ । ତେଣୁ ୧୯୯୮ରେ ରୁଷିଆର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏନ୍.ଭି ମିଖାଇଲୋଭଙ୍କ ସହ ମିଳିତ ଉତ୍ପାଦନ ପାଇଁ ବୁଝାମଣା କରିଥିଲେ । ପ୍ରଥମେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ନିର୍ମାଣ କେନ୍ଦ୍ର ଆରମ୍ଭ ହୋଇଥିଲା । ପରେ କେରଳର ତ୍ରିଭେନ୍ଦ୍ରମସ୍ଥିତ କେରଳ ହାଇଟେକ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ୨୦୦୭ରେ ଅଧିଗ୍ରହଣ କରିବା ପରେ କମ୍ପାନୀର ଦ୍ୱିତୀୟ ବିଶ୍ୱସ୍ତରୀୟ କ୍ଷେପଣାସ୍ତ୍ର ନିର୍ମାଣ ଓ ପରୀକ୍ଷଣ ବ୍ୟବସ୍ଥା ହାତକୁ ଆସିଥିଲା । ଆଗାମୀ ଦିନରେ କମ୍ପାନୀ ଉତ୍ତର ପ୍ରଦେଶର ଲକ୍ଷେ୍ନø ନିକଟରେ ୨୦୦ ଏକର ଜମିରେ ବ୍ରହ୍ମୋସ୍ ଏନ୍ଜି ସ୍ଥାପନା କରି କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଯାଉଛି । ଏହା କମ୍ପାନୀର ତୃତୀୟ ଉତ୍ପାଦନ କେନ୍ଦ୍ର ହେବ । ମହାରାଷ୍ଟ୍ରର ନାଗପୁର ନିକଟରେ ଅନ୍ୟ ଏକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଡିଆର୍ଡିଓ ପକ୍ଷରୁ ପ୍ରୟାସ ଜାରି ରହିଛି । କମ୍ପାନୀର ନେତୃତ୍ୱ ନେଇ ଡକ୍ଟର ଏ.ଶିବଥାନୁପିଲାଇ (୧୯୯୮-୨୦୧୪), ଡକ୍ଟର ସୁଧୀର କୁମାର ମିଶ୍ର (୨୦୧୪-୨୦୨୧), ଅତୁଲ ଦିନକର ରାଣେ (୨୦୨୧-ଅଦ୍ୟାବଧି) ବେଶ୍ ଭଲକାମ କରିଛନ୍ତି ।
ବ୍ରହ୍ମୋସ୍ର ଗବେଷଣା କାର୍ଯ୍ୟ ଜାରି ରହିଥିବା ବେଳେ ଅକ୍ଟୋବର ୨୦୧୧ରେ ଏହାର ମାର୍କ-୨ ଶ୍ରେଣୀର ନିର୍ମାଣ ଶେଷ ହୋଇଥିଲା । ୨୦୧୪ରେ ଭାରତ ମିସାଇଲ ଟେକ୍ନୋଲୋଜି କଣ୍ଟ୍ରୋଲ ରେଜିମ୍ (ଏମ୍ଟିସିଆର୍)ର ସଦସ୍ୟ ହେବା ପରେ ୩୦୦କି.ମି.ରୁ କମ୍ ମାରକ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ନିର୍ମାଣର କଟକଣା ହଟିଥିଲା । ଯାହାଫଳରେ ୨୦୧୨ରୁ ମାର୍କ-୨ର ପରୀକ୍ଷଣ ସହ ଆଧୁନିକୀକରଣ ଜାରି ରହିଛି । ମାକ୍-୮ ମଡେଲର ମାରକ କ୍ଷମତା ୯୦୦କି.ମି. ହେବ ବୋଲି କୁହାଯାଉଛି । ରୁଷ ନୌସେନା ଡେଷ୍ଟ୍ରୟରରେ ବ୍ରହ୍ମୋସ-୨ କ୍ଷେପଣାସ୍ତ୍ର ଲଗାଯିବାକୁ ସ୍ଥିର ହୋଇଛି । ଏହା ଜଳ, ସ୍ଥଳ ଏବଂ ଆକାଶମାର୍ଗରୁ ନିକ୍ଷେପ କରାଯାଇପାରିବ । ଏପରିକି ବୁଡାଜାହାଜ (ସବ୍ମେରିନ୍)ରୁ ମଧ୍ୟ ଏହା ମାଡ କରାଯାଇପାରିବ । ବ୍ରହ୍ମୋସର କ୍ରୁଜ କ୍ଷେପଣାସ୍ତ୍ରକୁ ଭାରତର ତିନିସେନା ୨୦୧୯ରୁ ବ୍ୟବହାର କରିଆସୁଛି । ପ୍ରତିଟି କ୍ଷେପଣାସ୍ତ୍ରର ମୂଲ୍ୟ ପ୍ରାୟ ୨.୭୫ ମିଲିଅନ ଡଲାର କୁହାଯାଉଛି । ବ୍ରହ୍ମୋସର ରପ୍ତାନୀ ପାଇଁ ୨୯୦କି.ମି. ମଡେଲ ଥିଲା ବେଳେ ସ୍ଥଳ ଓ ଜଳରୁ ୮୦୦କି.ମି. ଏବଂ ୪୦୦କି.ମି ଆକାଶରୁ ମାଡ କଲାପରି ମଡେଲ ରହିଛି । ଏବେ ବ୍ରହ୍ମୋସ୍-୨ର ହାଇପରସୋନିକ ଶ୍ରେଣୀର ମାକ୍ ୭ରୁ ୮ ବେଗରେ ଗତି କରିପାରୁଥିବା କ୍ଷେପଣାସ୍ତ୍ର ନିର୍ମାଣ ଜାରି ରହିଛି, ଯାହା ୨୦୨୪ ବେଳକୁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯିବ । ପରେ ଏହାର ମାରକ କ୍ଷମତା ୧୫୦୦ କି.ମି.କୁ ବୃଦ୍ଧି କରାଯାଇ ପାରିବ ବୋଲି ଜଣାପଡିଛି ।
ବ୍ରହ୍ମୋସ୍ର ବିକାଶଧାରାକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ୧୨ଜୁନ୍ ୨୦୦୧ରେ ଓଡିଶାର ପୂର୍ବଉପକୂଳରେ ଥିବା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ୧୪ ଜୁନ୍ ୨୦୦୪ରେ ଚାନ୍ଦିପୁରଠାରେ ମୋବାଇଲ ଲଞ୍ଚରରୁ ପରୀକ୍ଷା ହୋଇଥିଲା । ୫ ମାର୍ଚ୍ଚ ୨୦୦୮ରେ ବ୍ରହ୍ମୋସ୍ର ଜଳରୁ ସ୍ଥଳଭାଗକୁ ମାଡ କରାଯାଇ ପାରୁଥିବା କ୍ଷେପଣାସ୍ତ୍ରକୁ ଆଇଏନ୍ଏସ୍ ରାଜପୁତରୁ ପରୀକ୍ଷା କରାଯାଇଥିଲା । ଏହାର ସିଧାଆକାଶକୁ ଉଠୁଥିବା ପରୀକ୍ଷଣ ୧୮ ଡିସେମ୍ବର ୨୦୦୮ରେ ଆଇଏନ୍ଏସ୍ ରଣବୀରରୁ ହୋଇଥିଲା । ଡିସେମ୍ବର ୨୦୦୪, ମାର୍ଚ୍ଚ ୨୦୦୭ରେ ରାଜସ୍ଥାନର ପୋଖରାନ ମରୁଭୂମିରେ ସ୍ଥଳସେନା ପକ୍ଷରୁ ବ୍ରହ୍ମୋସ୍ତ୍ର-୧ର ପରୀକ୍ଷଣ ହୋଇଥିଲା । ୨୦ ଜାନୁଆରୀ ୨୦୦୯ରେ ଏହା ପ୍ରଥମ ଥର ପାଇଁ ପରୀକ୍ଷଣ ବେଳେ ବିଫଳ ହୋଇଥିଲା । ସେତେବେଳେ ୧୧୨ ସେକେଣ୍ଡ ବଦଳରେ ୮୪ସେକେଣ୍ଡ ଗତିକରି ଲକ୍ଷ୍ୟସ୍ଥଳରୁ ୭କି.ମି. ଦୂରରେ କ୍ଷେପଣାସ୍ତ୍ର ପଡିଥିଲା । ତେଣୁ ୨୯ମାର୍ଚ୍ଚ ୨୦୦୯ରେ ପୁନର୍ବାର ପରୀକ୍ଷଣରେ ଲକ୍ଷ୍ୟଭେଦ କରିବାରେ ବ୍ରହ୍ମୋସ୍ ସଫଳ ହୋଇଥିଲା । ୫ ସେପ୍ଟେମ୍ବର ୨୦୧୦ରେ ଗତିପଥ ବଦଳାଇବାକୁ ସକ୍ଷମ ହେବା ସହ ପ୍ରଥମ କ୍ରୁଜ କ୍ଷେପଣାସ୍ତ୍ର ସୁପରସୋନିକ୍ ଗତିରେ ଯାଇ ରେକର୍ଡ ସୃଷ୍ଟି କରିଥିଲା । ୨୨ ମାର୍ଚ୍ଚ ୨୦୧୮ ଏବଂ ୩୦ ସେପ୍ଟେମ୍ବର ୨୦୧୯ରେ ବ୍ରହ୍ମୋସର ଉନ୍ନତ ସଂସ୍କରଣର ପରୀକ୍ଷଣ ହୋଇଥିଲା । ୩୦ ସେପ୍ଟେମ୍ବର ୨୦୨୦ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ଶ୍ରେଣୀର କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା ଯାହା ୪୦୦କି.ମି ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିଥିଲା । ଏହି ପରୀକ୍ଷଣ ଭାରତୀୟ ବୁଷ୍ଟର ସହ ଚାନ୍ଦିପୁରଠାରେ ହୋଇଥିଲା । ସେହିପରି ସବ୍ମେରିନ ପାଇଁ ନିର୍ମିତ କ୍ଷେପଣାସ୍ତ୍ର ପ୍ରଥମେ ବିଶାଖାପାଟ୍ଟନମ୍ କୂଳରେ ୨୦ ମାର୍ଚ୍ଚ ୨୦୧୩ରେ ପରୀକ୍ଷା ହୋଇଥିଲା । ବାୟୁସେନା ପାଇଁ ଉପଯୋଗୀ ବ୍ରହ୍ମୋସ-ଏ କ୍ଷେପଣାସ୍ତ୍ର ଯାହାର ୫୦୦କିମି ଗତି କରି ପାରିବା କ୍ଷମତା ରହିଛି, ସୁଖୋଇ -୩୦ରେ ଲଗାଯିବା ପରି ବ୍ୟବସ୍ଥା ହେଲା । ଅଢେଇ ଟନ୍କୁ କ୍ଷେପଣାସ୍ତ୍ର ଓଜନ ହ୍ରାସ କରାଗଲା । ୧୪କିମିି ଉପରୁ ଏହାକୁ ଛଡାଯିବାର ସଫଳ ପରୀକ୍ଷା ହେଲା । ୨୦୧୫ରେ ଭାରତର ବାୟୁସେନାର ତିନି ସ୍କ୍ୱାର୍ଡନକୁ ବ୍ରହ୍ମୋସଯୁକ୍ତ କରିବା ପାଇଁ ଉଦ୍ୟମ ହେଲା । ୨୦ ଜାନୁଆରୀ ୨୦୨୦ରେ ସୁଖୋଇ ୩୦ଏମ୍କେଆଇ, ପ୍ରଥମ ସ୍କ୍ୱାର୍ଡନ ବ୍ରହ୍ମୋସଯୁକ୍ତ ହେଲା । ୮ ଡିସେମ୍ବର ୨୦୨୧ରେ ଭାରତୀୟ ବାୟୁସେନା ବ୍ରହ୍ମୋସ-ଏ ପରୀକ୍ଷଣ କରିବା ପରେ ଏବେ ବହୁସଂଖ୍ୟାରେ ନିର୍ମାଣ ହେବ ବୋଲି ଜଣାପଡିଛି । ୮ ଡିସେମ୍ବର ୨୦୨୧ରେ ଭାରତର ବାୟୁସେନା,୧୧ ଜାନୁଆରୀ ୨୦୨୨ରେ ନୌସେନା ଏବଂ ୨୦ ଜାନୁଆରୀ ୨୦୨୨ରେ ଡିଆର୍ଡିଓ ସଫଳତାର ସହ ବ୍ରହ୍ମୋସ୍ର ପରୀକ୍ଷଣ ସାରିଛନ୍ତି । ବ୍ରହ୍ମୋସ ଏନ୍ଜି ପରବର୍ତ୍ତୀ ପିଢିର କ୍ଷେପଣାସ୍ତ୍ର ୩.୫ ମାକ୍ ଗତି ସହ୧.୫ଟନ୍ ଓଜନ ଓ ୫ମିଟର ଲମ୍ବା, ୫୦ସେମି ଓସାର ବିଶିଷ୍ଟ ହାଲୁକା ସଂସ୍କରଣର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି ଯାହା ୨୦୨୪ରେ ଭାରତୀୟ ସେନାବାହିନୀରେ ସାମିଲ ହେବ । ଉତ୍ତର ପ୍ରଦେଶରୁ ଭାରତର ବାୟୁସେନା ପାଇଁ ୪୦୦ କ୍ଷେପଣାସ୍ତ୍ର ୮୦୦୦କୋଟି ବ୍ୟୟରେ ନିର୍ମାଣ କରାଯିବ, ଯାହା ୨୦୨୨ ଶେଷ ବେଳକୁ ମିଳିଯିବ ବୋଲି ଜଣାପଡିିଛି ।
ଏବେ ଫିଲିପାଇନ୍ସ ବ୍ରହ୍ମୋସର ପ୍ରଥମ ଗ୍ରାହକ ହୋଇଥିଲେ ହେଁ ଦକ୍ଷିଣ କୋରିଆ, ଆଲଜେରିଆ, ଗ୍ରୀସ, ମାଲେସିଆ, ଥାଇଲାଣ୍ଡ, ଇଜିପ୍ଟ, ସିଙ୍ଗାପୁର ଏବଂ ବୁଲଗେରିଆକୁ ଏହାର ବିକ୍ରି ପାଇଁ ଆଲୋଚନା ଜାରି ରହିଛି । ତେଣୁ ଆଗାମୀ ଦିନରେ ବିଶ୍ୱର ଆହୁରି ଅନେକ ଦେଶ ଏହା କିଣିବାକୁ ଆଗ୍ରହ ପ୍ରକାଶ କରିବେ, ଏଥିରେ ସନ୍ଦେହ ନାହିଁ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩