ସ୍ୱକୀୟ ଚିନ୍ତନ : ହେ ଈଶ୍ଵର, ମତେ କବି କରନାହିଁ

  • ପ୍ରଦୀପ କୁମାର ପଣ୍ଡା

୧୯୭୪ରୁ ମୋର କବିତା ଯାତ୍ରା । ଦୌଡ଼ି, ଥକା ମାରି, ଉଠି ପଡ଼ି, ଆଣ୍ଠୁରେ ଘା ‘, ପାଦରେ ଜଖମ୍, କେତେବେଳେ ଧୀର କେତେବେଳେ କ୍ଷୀପ୍ର, ଯାତ୍ରା ଚାଲିଛି । ମୁଁ ଚାଲୁଛି ନା କବିତା ମତେ କଢ଼େଇ ନେଉଛି, ଜାଣେନା । କବିତା ବୋଲି ଯାହାର ହାତ ଧରି ଏତେ ବାଟ ଆସିଲିଣି, ତାହା ପ୍ରକୃତତଃ କବିତା କି ନା ତାହା ବି ମୁଁ ଜାଣେନା । ଯଦି ସେ କବିତା, ସେ ମୋର ମରଣର ସଂସ୍କାର ; ଯଦି ନୁହେଁ ତେବେ ସେ ମୋର ଅହଂକାର ।

କବିତାର ପାଶରେ ଛନ୍ଦି ହେଲା ବେଳକୁ ଥିଲି ଏକ କଅଁଳିଆ ପିଲା । ଲଣ୍ଠନ ଆଲୁଅରେ ରାତିକୁ ପୋଉଁଥିବା ଗୋଟିଏ ମଫସଲ ଗାଁ’ରୁ ଆସି ସହରର ବିଜୁଳି ଆଲୁଅରେ ଜହ୍ନରାତିକୁ ସେକ ଦେଉଥିବା ଗୋଟେ ଚଗଲା ପିଲା । ସହସ୍ର ସହସ୍ର ଜଘନ୍ୟ ଆଖି କାଳେ ମୋ ଉପରେ ନଜର ରଖିଛନ୍ତି ବୋଲି ଲୁଚି ଲୁଚି ଗଳି ସନ୍ଧିରେ ସିଗାରେଟ ଟାଣିଲା ପରି କବିତା ଶିଖୁଥାଏ ନିରୋଳାରେ, ଗୋପନରେ ।

କଲେଜରେ, ସହରରେ କବିତା ଆସରମାନ ହୁଏ । ବଡ଼ ସଂକୋଚରେ ଯାଇ ପଛ ଧାଡ଼ିର କୋଣରେ, ସନ୍ତର୍ପଣରେ କବିତାର ସିସୃକ୍ଷା ଛାତି ଭିତରେ ପାଳେ । କବିତା ଲେଖେ, ଲୁଚାଇ ରଖେ । ଜନ୍ମ କଲା ଶିଶୁଟିଏ ପରି ତାକୁ ଲାଳନ କରେ, ଛାତିର ଅନ୍ତରତମ ବେଦନାରୁ ଉଛଳି ଆସୁଥିବା କ୍ଷୀର ତା’କୁ ପିଆଏ । ତଥାପି ଲାଗେ, ଏ କ’ଣ କବିତା ! କବିତାଟିଏ ଆବୃତ୍ତି କରିବାର ମୋହରେ ଓ ଏସ୍ ଆର୍ ଟି ସିର ନାଲିବସ୍‌ର ଡ଼୍ରାଇଭର ମାମୁଁଙ୍କ ସିଟ୍ ପଛରେ ବସି କେବେ ଯାଏଁ କେଉଁଝରଗଡ଼ ତ ଆଉକେବେ ପୁରୀ । କେତେ ସୌହାର୍ଦ୍ଦ୍ୟ, କେତେ ପିଠି ଥାପୁଡ଼ା ।

କବିତାଟିଏ ପତ୍ରପତ୍ରିକାକୁ ପଠାଇବା ପୂର୍ବରୁ କେତେ ଯତ୍ନ କରିବାକୁ ହୁଏ । କେତେ ଡର, କେତେ ସଂକୋଚ, କେତେ ଆତ୍ମସମର୍ପଣର ସହିତ କରିବାକୁ ହୁଏ । ଆଗ୍ରାହ୍ୟ ହୁଏ ଦଶରୁ ନଅ । ସେତେବେଳେ ପତ୍ରିକା କହିଲେ ପାଞ୍ଚୋଟି କି ଦଶଟି, କିନ୍ତୁ ସୁସମ୍ପାଦିତ । ଆସନ୍ତାକାଲିରେ ସୌଭାଗ୍ୟ କୁମାର, ସମାବେଶରେ ରାଜେନ୍ଦ୍ର କିଶୋର, ସପ୍ତର୍ଷିରେ ଗୋପାଳ ଚନ୍ଦ୍ର ମିଶ୍ର, ଅମୃତାୟନରେ ହରପ୍ରସାଦଙ୍କ ଗାଲ ଆଉଁସା ଖାଏ । ସମୟ ଗଡ଼ିଯାଏ, ମୁଁ ବଦଳିଯାଏ ।

ଏ ଭିତରେ ମୁଁ ବହୁତ ବଦଳି ଯାଇଛି । କବିତାକୁ ନେଇ କେତେ କେତେ ଅହଂକାର ଠୁଳ କରିଛି ଛାତିମୁଣାରେ । ମୁଁ ଯାହା ଲେଖୁଛି, ତାହା କୁଆଡ଼େ କବିତା, ମୁଁ କୁଆଡ଼େ ଏକ ଶୈଳୀ ପାଇ ଯାଇଛି ଏବଂ ମୋର ଶୈଳୀ ହିଁ କୁଆଡ଼େ ଉତ୍କର୍ଷ କବିତାର ବିଧାନ ! ଯାତ୍ରା ପଥର ଶୁଖିଲା ଗଛ ମୂଳରେ ଠିଆ ହୋଇ କବିତା ହସୁଛି, କହୁଛି ଯା’ ଯେତେ ଦୂର ଯାଇ ପାରିବୁ ଯା’, ଏଣିକି ତୁ ଏକେଲା ।

କୁଆଡ଼େ ଯିବି, କେଉଁଠିକି ଯିବି, କେତେଦୂର ? ପାଦରେ ଜଖମ୍, ଛାତିରେ ପୁରୁଣା ଘା’ମାନଙ୍କ କୁଣ୍ଢାଣ, ଶକତି ଅଳ୍ପ, କୁଆଡ଼େ ଯିବି ? , ଆ’ ଲୋ କବିତା ଆ’, ବହୁତ ଥକି ଗଲିଣି । ଆ’ ମତେ ଫେରେଇ ନେ ସେ ପ୍ରୟାଗକୁ, ଯେଉଁଠି ଭେଟ ହୋଇଥିଲା ତୋର ମୋର ପ୍ରଥମ ଥର । ମତେ ଟିକିଏ ଡର ଦେ, ସଂକୋଚ ଦେ, ନା ହେଲାନାହିଁ ବୋଲି କହ, ମୁଁ ପଛେ ଭାଙ୍ଗିଯାଏ, ତୁ ଗଢିହୁଅ ପ୍ରିୟ କବିତା ମୋର !

ମତେ ଯେଉଁମାନେ ବଳ ଦେଇଥିଲ, ପ୍ରେରଣା ଦେଇଥିଲ, ଉତ୍ସ ଦେଇଥିଲ ପ୍ରଣମ୍ୟ ଅଗ୍ରଜମାନେ, ମୋର କାନ ମୋଡ଼, ମୋର ପିଠିରେ ବିଧା ମା’ର, ମତେ ଫେରି ଯିବାକୁ ଦିଅ ସେଇ ନୂଆ ନୂଆ କବିତାର ପଣତରେ ମୁହଁ ଲୁଚାଉ ଥିବାର ମୁହୂର୍ତ୍ତକୁ ।

ହେ ଈଶ୍ଵର, କବିତା କୋଳରେ ମତେ ଚିରଶିଶୁ କରି ରଖ, ଶଂକା ଦିଅ, ସଂକୋଚ ଦିଅ, ମତେ କବି କରନାହିଁ।

ମୁଁ କୁଆଡ଼େ ଏବେ ବଡ଼ ଅହଂକାରୀ ହୋଇ ଯାଉଛି । ମୋର ଅବଚେତନରେ ମୁଁ ଶ୍ରେଷ୍ଠ ବୋଲି ଏକ ଅବଧାରଣା ପାଳିବା ଆରମ୍ଭ କରିଛି । ମୋ ଭାଇ ଭଉଣୀମାନଙ୍କୁ ପଢ଼ୁନାହିଁ । ଏହା ଯଦି ମୋର ଅବଚେତନରେ ଘଟି ଚାଲୁଥାଏ ତେବେ ପ୍ରାର୍ଥନା, ମତେ ସାନ କର ପ୍ରଭୁ, ସଭିଁଏ ବଡ଼ ଦିଶନ୍ତୁ ମୋର ଆଖିରେ ।

ମୋ.ନଂ. : ୯୯୩୭୨୧୮୪୯୪

Leave A Reply

Your email address will not be published.