କବିତା : ଦୁଆର ଏପଟୁ

  • ମାଧୁରୀ ପ‌ଣ୍ଡା

ବଡ ଅଦ୍ଭୁତ
ସମୟ ପାଖେ ଆମେ ଠିଆ,
କାହା ଖବର
କାହା ପାଖେ ନାହିଁ ।

ସମ୍ପର୍କମାନେ ବାଲି ପରି
ଖସି ଯାଆନ୍ତି ହାତ ମୁଠାରୁ
ଵନ୍ଦ ଫରୁଆ ଭିତରେ
ଖୁବ୍ ଚୁପଚାପ ଆମ
ପ୍ରେମର ଜୀବନ ନାଟିକା ।

ଏ ସମୟ
ସଂକ୍ରମିତ କରି ସାରିଲାଣି
ଆମ ମାନସିକତାକୁ
କାହା ଡାକ କାହା ପାଖେ ପହଞ୍ଚି ପାରୁନି,
ହଜିଗଲା ପ୍ରେମର ଗୀତ, ପକ୍ଷୀର କାକଳି,
ଦୁଆର ସେ ପାଖେ
ଓଠର ଭାଷା
ଏକଦମ ଚୁପ୍ ।

ଚିତ୍କାର କରି କହିପାରୁନି
ମୁଁ ବଞ୍ଚିବି ମୋ ଭଳି,
କହିପାରୁନି
ମତେ ପ୍ରେମ ଦିଅ,
ଆକାଶ ଦିଅ, ବଂଶୀ ଦିଅ ।

କେମିତି ସମୟ ୟେ
ମୃତ୍ୟୁ ଏଠି ଏତେ ଶସ୍ତା,
ବଞ୍ଚିବା ଖୁବ୍ ଦୁର୍ଲଭ,
କେମିତି ସମୟ ୟେ !!

ଦାମନଯୋଡ଼ି, କୋରାପୁଟ

Leave A Reply

Your email address will not be published.