କବିତା : ସ୍ତ୍ରୀଲୋକ

ବବିତା ମହାପାତ୍ର


ଏବେ ସ୍ତ୍ରୀଲୋକ ପ୍ରସ୍ତୁତ
ତୁମ ଅଲୋଡ଼ା ପଣରୁ ମୁକୁଳିବାକୁ,
ବାସ୍ ଥରେ ଖାଲି
ଦେଖିନେବ କୋଉଠି କେମିତି ଅଛି
ଯେତେ ଯେତେ ଅପ୍ରାପ୍ତିର ନିଃଶ୍ୱାସ ,
ପୂର୍ଣ୍ଣ ଯୌବନା ବିଶ୍ୱାସର ଅବଗୁଣ୍ଠନକୁ
ନିରେଖି ନେବ ଶେଷ ଥର ,
ମୁଖା ତଳେ କ୍ଷୟ ହେଇ ବଳି ଯାଇଥିବା
କିଛି ଆତ୍ମଦାହକୁ ଆଉଁସି ଦେବ ଥରେ ।

ରାତି ମାନଙ୍କରେ ବିକ୍ଷିପ୍ତ ରତିରେ
ଚାରିଆଡେ ଛିଞ୍ଚାଡି ପଡିଥିବା ବୀର୍ୟ୍ୟକୁ
କାପୁରୁଷର ବୋଲି ଘୋଷଣା କରିବ ।
ଏଥର ସେ ନିଶ୍ଚେ ଉତାରି ଆଣିବ
ପତାକା ମାନଙ୍କୁ ମନ୍ଦିର ଚୂଡ଼ାରୁ ଆଉ
ଘୋଡେଇ ଦେବ କ୍ଷତାକ୍ତ ଯୌନାଙ୍ଗକୁ ।

ସେ ଦେବୀ ହେବ ନିଜ ଇଛାରେ
ନିଜକୁ ପୂଜା କରିବ ଷୋଡଶ ଉପଚାର ଦେଇ ।
ଫୁତ୍କାରରେ ତଡି ଦେବ ଅଭକ୍ତଙ୍କୁ ।
ସବୁଯାକ ପୁରୁଷମନସ୍କ ସମୟକୁ
ଆସ୍ତେ ଆସ୍ତେ ଫିଙ୍ଗି ଦେବ ,
ସେ ଏବେ ନିଜକୁ ଅର୍ପିବ ଯାହା କିଛି ଲୋଡ଼ା ହେବ ।

ବାସନ୍ତୀ କଲୋନୀ, ରାଉରକେଲା

Leave A Reply

Your email address will not be published.

nineteen + 20 =