କବିତା : ଅଭିସାର

ଅଂଜଳି ପଟ୍ଟନାୟକ
କାଳେ ତୁମେ ଫେରିଥିଲ
କାଲି ରାତିରେ !
ଗେଟ ଉପରେ ଢୁଳେଇ ପଡିଥିବା
ମଧୁ ମାଳତୀର ଚିବୁକରେ
ହାତ ମାରିଥିଲ ବୋଧେ
ସକାଳେ ମଉଳିବା ବଦଳରେ
ସେ ପୁଣି ଥରେ ଫୁଟିବା
ଚେଷ୍ଟାରେ ଥିଲା ।

କବାଟ ସନ୍ଧିର କ୍ଲାନ୍ତ
ବୁଢିଆଣୀ ସତେଜ ଜାଲି
ବୁଣି ସାରିଥିଲା ବଡି ଭୋରରୁ,
ଲାଜକୁଳୀ ଲତା ସହ
ଏଇ ଏଇ ମିତ ବସିଥିଲା
ସାଧବ ବୋହୁ,
ତୁମ ସହ ସାମ୍ନାସାମ୍ନିର
ଶିହରଣ ଏବେ ବି ତା’ ଛଇରେ !

ବାସନରୁ ନିଗିଡିନି ପାଣି,
ଜଡାଇ ଧରିଛି ସେ ତାକୁ
କେଉଁ ଏକ ଅପୂର୍ବ ସମ୍ମୋହନରେ
ଟେବୁଲ ଉପର ବ୍ଲାକ୍ କଫି ମଗ୍‌
ଅରାଜି ଏବେ ଧୋଇ ହେବାକୁ
ସାଇତିବାକୁ ଚାହେଁ ସେ
ତୁମ ଉଷୁମ ଓଠର ସ୍ପର୍ଶ ।

ତୁମେ କାଳେ ଖୋଜିଥିଲ ମତେ
ସେ ବେଦାଗ ଶେଯରେ
ଯୋଉଠି କେବେ ବି ନଥାଏ ମୁଁ ।

ଚାହିଁଥିଲି ମୁଁ ଖୁବ୍
ଭେଟିବାକୁ ତୁମକୁ,
ଖୋଜିଥିଲି ନିଜକୁ ବି ଖୁବ୍,
ଆଲଣାରେ ଚଉତା ଶାଢୀକୁ
ହାଟରେ ଖୋଜିଲା ପରି ।

ପ୍ରାଚୀରେ ଉଦୟରାଗ
ପହିଲି କିରଣର ଛୁଆଁ
ଆଉ ତୁମେ ଧୀରେ ଧୀରେ
ମୁଁ’ ମୁଁରେ ରୂପାନ୍ତରିତ ହେଉଥିଲ !!

ଜିଲ୍ଲା ଲୋକାଲ୍‌ ଫଣ୍ଡ ଅଡ଼ିଟ୍‌ କାର୍ଯ୍ୟାଳୟ
ଚାନ୍ଦମାରୀ ସାହି, ଦୁର୍ଗାବଜାର
ଢେଙ୍କାନାଳ

Leave A Reply

Your email address will not be published.

sixteen + eight =