pakka

କବିତା : ଅନୁଗାମିନୀ

bbehera
  • ପିନାକୀ ମିଶ୍ର

ନିବୁଜ ମନରେ ପୁଣି
ଏତେ ଝଙ୍କାର,
ଗାରଟଣା ପରିଧିଭିତରେ ପୁଣି
ଏତେ ଉର୍ମିଉତ୍ତାଳ,
ଫିଟି ନଥିବା ଫରୁଆ ଭିତରେ
ତୁମ ପ୍ରୀତିସାଇତା ମୋତିହାର !!

କେତେବେଳେ ମୋତେ ପିନ୍ଧେଇଦେଲ
କହିଲ କହିଲ !

ନିଜେ ବି ଜାଣିନ
ଜୀବନନଈର ମୋଡ ବାଙ୍କିବା କଥା
ଅପରିଚିତଟେ ପଥରଆଉଜି କିଶ ଭାବୁଥିଲା ?
ପାଣି ଠେଲିଆସିଲା ,
କୁରେଇଫୁଲ ବେଶୀ ହସିଲାଫୁଲିଲା ,
ଭାବୁକମନ ନୀରବ ଡେଂଗାଶାଳ
ତୁମ ସ୍ପର୍ଶରେ ଶାଖାସନ୍ଧିରୁ କିରଣ ଖସିଲା,
କେଡେ ସବୁଜମନର ସରାଗ ତୁମର ମ !
ଚାଲିଲା ଅରଣ୍ୟର ଅଭିସାର ।

ଏମିତି କେମିତି ହେଲା !
ଦୂରଗାଁ ପୋଖରୀରେ ପଦ୍ମହାଟ
ତୁମେ ପଶିଗଲ ନିର୍ଦ୍ବନ୍ଦରେ,
ଫୁଲମାନେ ଟୁପୁରୁଟାପୁରୁ
ପାଣି ଚହଲିଲା
କୁଳରେ ସାଇତା ଉଛୁଳା କବିତା,
ଓଦାସର ପାଣିରୁ ଉଠି
ଲାଜରେ ପଦ୍ମକୁ ଆଡମୁହାଁ କରି
କାନିରେ ବାନ୍ଧିଲ ତୁମେ ଚୋରା ଚଇତାଳି ,
ତୁମ ନଜର ଉଠିଲା ବହଳଶାଖାକୁ
ମୁରୁକିହସରେ ବସିନି ତ ସେଠି
ଗୋପର ଚପଳବାଳୁତ ??

ପକ୍ଷୀଟିଏ ଉଡିଗଲା
ଶଙ୍ଖର ବାଜଣା ଶୁଭିଲା
ପବନ ତୁମ ମହତ କଳୁଥାଏ
ଶରଧାର ମୁଠେବାଲି ହାତରେ ଧରିଲି ,
ବାଟମଝିରୁ ବାଲିକଥା ଭାବୁଭାବୁ
ପଦିଏ କବିତା
ଉହାଡେ ବସିଥିଲେ ଦୂରନ୍ତସବିତା,
ସେ ବାଲିକୁ ମୁକୁତା ଭାବିଲି
ସୋରିଷଫୁଲର ପଥଟେ ପାଇଗଲି କି
ବାକି ଦିନପାଇଁ !

ଅନୁଗାମିନୀ ଅନୁସରିଲ ମୋତେ
ଦେଖୁଦେଖୁ କେମିତି ଯେ କୋମଳଶଇରାତ !
ନବୁଝି ନଜାଣି ସରୁତୂଳୀରେ
ପୁରାଆକାଶକୁ କଲ ତୁମେ ଚିତ୍ରାୟିତ ,
ସକାଳ ବି ଘଡିଏ ଚାହିଁରହିଲା ।

ଏମିତି କେମିତି ହେଲା କୁହ ତ !
ଯାତନା ସହି ଆଲୁଅ ଦେଲ
ନିଦକୁ ମାରି ଜୋଛନା ଦେଲ
ପ୍ରେମକୁ ଭିଡିଧରିଲ କାଳୀଗାଈର ଛନ୍ଦରେ ।

କେଶବତୀର କବରୀରେ ଗୋପଦାଣ୍ଡଧୂଳି
ଅଳସଆଖିରେ ତନ୍ଦ୍ରାଜଡିତ ଲୁହ
ତୁମେ କି ପାଇକରଜାର ଗେଲବସରର ଝିଅ !!

ଆମେ ଚାଲିଛେ
ଆଗରେ ମୁଁ
ପଛରେ ତୁମେ
ଆଗରେ ବିଷମ ପଛରେ ଅନ୍ଧାର
ହାତଛନ୍ଦାରେ ଆମ ପାରିଲା ଉତ୍ତର ,
କି ପୁଣ୍ୟ କି ପାପ ପୁଣି ଏ ଧୂଳିପାଦରେ
ଦୀପ ଜଳୁଛି ପଦ୍ମତୀର୍ଥରେ
ଡାକିନେଉଛି ପବନ
ବଲବଲ ଅନେଇଛି ନୀଳାଂଜନ
ତା’ବାଲିରୁ ମୁଁ ଅନୁଭବୁଛି ଗୋପଗୁଂଜରଣ
ତୁମ ଶରଧାର ଅୟୁତଚୁମ୍ବନ ।

  • “ଶୂନ୍ୟନୀଳ”
    ଚର୍ଚ୍ଚପାଖ, ଜେଲ୍ ରୋଡ , କେନ୍ଦୁଝର-୧
    ମୋ ୯୪୩୮୧୧୮୩୯୭

jay balangir
Leave A Reply

Your email address will not be published.

5 × 1 =