jayashree

କବିତା : ତଅପୋଇ

  • ପିନାକୀ ମିଶ୍ର

ବଉଦ ଭାସୁଛି ପକ୍ଷୀ ଉଡୁଛି
ବୋଇତ ଯେ ଫେରୁନାହିଁ,
ଆକାଶ ସାଗର ମିଳନ ରେଖାକୁ
ଅନେଇଛି ତଅପୋଇ ।

ଏପଟେ ବାଲୁକା ସେପଟେ ବଳୟ
ମଝିରେ ଅଥଳ ସିଂଧୁ,
ଆଖି ପାଉ ନାହିଁ ଆଶା ମରିନାହିଁ
ବେଳାରେ ଲୋତକ ବିନ୍ଦୁ ।

ସାତଭାଇ ଘେରା ସୁନାର ଚଢେଇ
ରାଗରେ ପାଦକୁ ପିଟେ,
ମୁହଁକୁ ଫୁଲେଇ ଲିଭାଏ ଅଳତା
ପାହାନ୍ତି ଗାଧୁଆ ତୁଠେ ।

କହି ଯାଇଥିଲେ ସଅଳ ଫେରିବେ
ଝୁମୁକା ପାଉଁଜି ଘେନି,
କଟୀ କଂକଣ ବାଜୁବଂଧରେ
ଦିଶିବ ସେ ଜେମାମଣି ।

ଘାଟକୁ ନିଇତି ଆସି ଫେରିଯାଏ
ଭାଇ ବାଟ ଚାହିଁ ଚାହିଁ,
ନୀଳ ଦରିଆକୁ ଗାଳି ଦେଉଥାଏ
ଢେଉପାଣି ଛୁଏଁନାହିଁ ।

ସଖୀ ସଂଗାତ ଟାହୁଲି କରନ୍ତି
ପଠାଧାରେ ବୁଲୁ ବୁଲୁ,
ଲାଜରେ ବତୁରେ ପ୍ରୀତିରେ ଉଛୁଳେ
ଝାଉଁଡାଳ ଧରୁ ଧରୁ ।

ଯଉବନ ଢେଉ ଛାତିରେ ଉଠିଛି
ମନ ତା’ ମଧୁର ଜଳ,
ଏ ଲୁଣି ସାଗର କୁଆଡୁ ବୁଝିବ (!)
ବୟସ ଋତୁର ଖେଳ ।

ଅବୁଝା ଅଶୁଣା ମନ ଊଣା କରି
ଘରେ ପଶେ ତଅପୋଇ,
ସପନରେ ଦେଖେ ଗୋରା ସୁକୁମାର
ଆସିଛି ଅତିଥି ହୋଇ ।

କେଉଁ ରାଇଜର ବିଦେଶୀ ବଣିକ
କେମିତିକା ତା’ର ମନ ,
ଅଳପ ଦେଖାରେ ଅଧୀରା କରିବ
ଅନୁଢା କିଶୋରୀ ପ୍ରାଣ ।

କେତେଦିନ ପାଇଁ କୁଆଡେ ଆସିଛି
କେଉଁଠି ପୁଣି ତା’ ଘର (?)
ତଅପୋଇ ସିନା ଗାଁର ଲଳନା
ଛଳନାଠୁ ବହୁଦୂର ।

ସାତଭାଇ ମୋର ଏ କି କଲେ ସତେ
ତା’କୁ ଯେ ଆଣିଲେ ସାଥେ,
ମନ ଦେଇଦେଲେ କେମିତି ଯିବି ମୁଁ
ସେପାରି ଅଜଣା ଦେଶେ ।

ଆଖିରେ ଉଠିବ ଲୁହର ବନ୍ୟା
ଭାଇମାନେ ହେବେ ପର,
ବରଷକୁ ଥରେ ଆସିକି ପାରିବ
( ତା’)କୋଟି ମାଣିକର ଘର ?

କାହିଁକି ଆସିଲା ଅଜଣା ବିଦେଶୀ
ଏମିତି ଭଲରେ ଥିଲା,
ସାଧବ ଝିଅ ତ’ ନାରିକେଳ ଜଳ
ଗାଁର ପୁନେଇଁ ତାରା ।

ଫର୍ଚ୍ଚା ଦିଶିଲା ସପନ ଭାଜିଲା
ନିଦରୁ ଉଠିଲା ଝିଅ,
ଝିଅର କପାଳ ଏମିତି କାହିଁକି
କହରେ ବିଧାତା କହ !!

  • ମୋ.- ୯୪୩୮୧୧୮୩୯୭
Leave A Reply

Your email address will not be published.