pakka

କବିତା : ପୁରୁଷାର୍ଥ

  • ପୁରୁଷୋତ୍ତମ ମିଶ୍ର

ଏ ଆକାଶ ମୋର
ଦୂର ଦିଗନ୍ତରୁ କ୍ଷେପି ଆସୁଥିବା
ତମର ମହକ
ପବନରେ ଦୋହଲି ଦୋହଲି
ଉଡ଼ି ଆସୁଥିବା
ଏକଇ ପରର ପୁରୁଷାର୍ଥ ମୋର ।

ମୋ ପୁରୁଷାକାରର କେନ୍ଦ୍ରରେ
ମାଦଲ ମଉଚ୍ଛବରେ ମାତାଲ୍
ଦଳେ ଆଦିବାସୀ ତରୁଣୀର
ଗୁଳ୍ମନୃତ୍ୟ ,
ପାକଳ ଜହ୍ନରାତିର ବୃତ୍ତରେ ମୁଁ ।

ଚଉପାଖରେ ମୋର
ଭୋଦୁଅ ରାତିର ପିଣ୍ଡିବନ୍ଧ
ତମ ଜୁଡ଼ାରେ
ପେନ୍ଥାଏ କୁରେଇଫୁଲ ।

ଏପଟେ ଏକାଦଶୀ ଜହ୍ନ
ସେପଟେ ବିରାଡ଼ି ଆଖି ପରି
ତମ ଆଖି
ଯିଏ ପରବତ ଶିଖରେ
ଝୋଝୋ ବର୍ଷେ ।

ଅଦୃଶ୍ୟ ଫୁଲ ପେନ୍ଥାଏ
ତମ ଭିତରେ ଫୁଟେ
ତମେ ସାମରଥ ହୁଅ ,
ଅଥଚ ମୋ ଭିତର ଗମ୍ଭୀରାରେ
ଧୂପଧୂଆଁ ଦେଇ
ମୁଁ ମୋର ସାମର୍ଥ୍ୟକୁ
ଝୁମେର୍ ଗୀତରେ ଉଜାଗର କରେଁ ।

ତମେ ମେଘମନା ହୁଅ
ପାଦରୁ ମୋର
ଝରିବା ଆରମ୍ଭ କରେ ଉଷ୍ମତା ,
ବର୍ଷାରେ ମୁଖର ହୁଅ ତମେ
ଧଡ଼ଧାଡ଼ ପିଟିହୁଏ
ହୁଗୁଳା କବାଟ ।

ଆଉ କିବା ଅଧିକ ଲୋଡ଼ା ?

ମାନ୍ଦଲରେ ଶୁଭିଲାଣି
ଧୁର୍ ତାନ୍ ଧୁର୍ ତାନ୍ ,
ତମ ଆକାଶରେ ରାତିସାରା ବର୍ଷା
ଏଇଠି ଜହ୍ନରାତିର ନିଆଁ ,
ତମେ ନଥିଲେ ବି
ଶାଳଫୁଲ ପରି ବାସୁଛି
ଗୋଟିଏ ପରବତ ତଳିଆ ଗାଁ । ।

  • ସୁବର୍ଣ୍ଣପୁର
    ମୋ.ନଂ. : ୮୮୯୫୮୦୮୦୫୦
Leave A Reply

Your email address will not be published.

three × five =