csstore

କବିତା : ଶୋଲ

ଶିଶିର କୁମାର ନାୟକ

ଦେଖା ହେଉ ନ ଥିବା ଗୋଟେ
ତାରାଭରା ଆକାଶ ଥରେ ଥରେ
ଚଡଚଡ ହେଇ ଫାଟେ
ଦିନକୁ ଦିନ ମୁଁ ବୋକା ହେଇଯାଏ
ସମ୍ବିଧାନର ପାଚେରୀ କଡରେ ।

କିଏ ଜଣେ ସବୁକିଛି ହରେଇ ହରେଇ
ସବୁଠାରୁ ଧନୀ ହେଇଯାଏ ଭଲପାଇବାରେ
ସଫ୍ଟଓୟାର ପିଲାଟି ଜୀବନର ସୁଖ ସର୍ଚ୍ଚ କରି
ଚିରକାଳ ଗୋଗୁଲରେ ମୁହଁମାଡି ଶୁଏ ।

ଯେମିତି ପୁଷମାସ ଛିଣ୍ଡା କନ୍ଥାରେ
ଥରେ ଥରେ ଇନ୍ଦ୍ରଧନୁ ଉଁଏ
ଯେମିତି କଅଁଳିଆ ପତ୍ର ଲୋଭରେ
ଓଟର ଓଠ କଣ୍ଟାରେ କଲବଲ ହୁଏ
ସେମିତି ମଲାଗଛରେ ଫୁଲଟିଏ ଫୁଟେ
ରାତିସାରା ଖୁଡି କାନ୍ଦି ସାରିବା ପରେ ।

ତେଲ ଆଉ ହଳଦୀରେ ହୁଳହୁଳି ବେଳେ
ଦ୍ରୁତ କେଉଁ ରେଳଗାଡି ଧାଇଁ ଯାଏ
କୁଆଡେ ଯେ ଯାଏ
ଡବ ଡବ ଆଖି ଦିଟା କୂଳେ କୂଳେ କୁଆଁତାରା ଉଁଏ
ଢମଣା ସାପଟେ ପରି କାତି ଛାଡି
ମିଛଟାରେ ହସି ହସି ଫେରୁ ଫେରୁ
ଛାତି ମୋର ରକ୍ତଶୂନ୍ୟ ଲାଗେ
ଯେଉଁଠି ମୁଁ ଶୋଲ ପରି
ସାରା ଜୀବନ ଭାସେ । ।

ରାଉରକେଲା

jayashree
Leave A Reply

Your email address will not be published.