- ବିଜୟ ପ୍ରଧାନ
ଭାରି ଇଚ୍ଛା ଥିଲା ଅନ୍ତତଃ ଥରଟିଏ ବାପୁଜୀଙ୍କ ଭଳି ବେଶ ପୋଷାକରେ ଚିତ୍ରିତ ହୋଇ ବାଡ଼ି ଖଣ୍ଡେ ଧରି କୋଉ ଛକରେ ଘଣ୍ଟାଏ କାଳ ଛିଡ଼ା ହୋଇଥାନ୍ତି ।
ହେଲେ ନିଜର ଶାରୀରିକ ପୃଥୁଳ କାୟା ତହିଁରେ ବ୍ୟାଘାତ ସୃଷ୍ଟି କଲା । ମୋର ଉତ୍କଣ୍ଠିତ ଆଗ୍ରହ ଓ ଅଶେଷ ଅନୁନୟ ସତ୍ତ୍ୱେ ଏପରିକି ମେକ୍ଅପ୍ ବାଲା ବି ରୋକ୍ଠୋକ୍ ମନା କରିଦେଲା । କହିଲା, ମୁଁ କିଛି ଟଙ୍କା ପାଇବା ଆଶାରେ ଅନ୍ତତଃ ବାପୁଜୀଙ୍କୁ ଅପମାନିତ କରି ପାରିବି ନାହିଁ ।
ଦୁଃଖ ଓ ଅବଶୋଷରେ ଘର ଅଗଣାରେ ବସିଥିବା ବେଳେ ହଠାତ୍ ସାହି ପିଲାଏ ଆସି ଗଣେଶ ପୂଜା ଚାନ୍ଦାର ରସିଦ ବହିଟା ମୋ ହାତକୁ ବଢ଼ାଇ ଦେଲେ ଚାନ୍ଦା କାଟିବା ପାଇଁ । ସେମାନଙ୍କ ଭିତରୁ ଅପେକ୍ଷାକୃତ ବଡ଼ ପିଲା ଦୁଇ ତିନିଜଣ ଆଗକୁ ଆସି କହିଲେ – ଆଜ୍ଞା, ଆପଣ ରାଜି ହେଲେ ଏଥର ଆପଣଙ୍କୁ ଜୀବନ୍ତ ପାର୍ଶ୍ୱ ମଞ୍ଚରେ ପୂଜା ଆସ୍ଥାନରେ ବସାଇବା ପାଇଁ ସାହି କମିଟି ସ୍ଥିର କରିଛି । କେବଳ ହାତୀ ଶୁଣ୍ଢଟିଏ ଲଗେଇ ଦେଲେ ଆଉ ବେଶୀ କିଛି ମେକଅପ ବି ଲୋଡ଼ା ହେବନାହିଁ ଆପଣଙ୍କୁ । ଆଜି ରାତିରେ ଚିନ୍ତା କରି କମିଟିକୁ ଜଣାଇବେ ।
ତାଙ୍କ କଥା ଶୁଣି ହଠାତ୍ ମୋର ସବୁ ବିଷାଦବୋଧ ଗାୟବ ହୋଇଗଲା । ସ୍ୱତଃ ବାଁ ହାତଟି ପେଟ ଉପରକୁ ଚାଲିଯାଇ ତାକୁ ଆଉଁସି ପକାଇଲା ଶ୍ରଦ୍ଧାରେ । ସେମାନେ ସତ କହିଥାନ୍ତୁ ବା ଥଟ୍ଟା କରିଥାନ୍ତୁ, ମୁଁ କିନ୍ତୁ ମନେ ମନେ ଖୁବ୍ ଆମୋଦିତ ଅନୁଭବ କରୁଥିଲି ।
ସେମାନେ ଚାନ୍ଦା ନେଇ ଚାଲିଯିବା ବେଳକୁ ଡାକି କହିଲି – ନାଇଁରେ, ସେ ସୌଭାଗ୍ୟ ବି ମୋର ନାହିଁ । ଗଣେଶ ପୂଜା ଆଗ ଦିନ ପରା ଗାଁକୁ ଯିବାର ଅଛି ନୂଆଁଖାଇ ପାଇଁ । ପୂଜା ପରଦିନ ନୂଆଁଖାଇ । କୋଉ ରହି ପାରିବି ଯେ ! ଏ ବର୍ଷ ନୁହଁ କି କେବେବି ନୁହଁ ।