ରେଳଗାଡ଼ି ଛୁକ୍ ଛୁକ୍ ଛୁକ୍……

ଧାଉଁଥିଲା,
ଦଉଡ଼ୁଥିଲା ଟ୍ରେନ୍ ।
ଦଉଡ଼ୁଥିଲେ ରାସ୍ତାମାନେ । ସବୁ ଉଚ୍ଚତାର ପାହାଡ଼, ପର୍ବତ । ସବୁ ବୟସର ଗଛଲତା । ନୀଳ ନୀଳ ମେଘମାଳା, ଦୂର ଗାଁ ମଣିଷ । ଶୁଖିଲା ପତ୍ରମାନେ ବି । ଦଉଡ଼ୁଥିଲେ ବି ଜୀବନ ମାନେ । ମନ ମାନେ । ମାନସୀ ମାନେ । ଇଚ୍ଛା, ସ୍ୱପ୍ନମାନେ । ଝର୍କା ପାଖ ସିଟ୍ରେ ବସିଥିଲା ଅଶୋକ ମହାନ୍ତି । ଇଏ ସେଇ, ଯିଏ ଚମତ୍କାର ଗୀତିକବିତା ଲେଖେ । ଯା’ର ଗୋଟେ ପୁସ୍ତକ ପ୍ରକାଶନ ସଂସ୍ଥା ବି ଅଛି । କୁଆଡେ଼ ଯିବା ଆସିବା ପାଇଁ ବେଳ ନଥାଏ । ବ୍ୟବସାୟର ଶାଖା ପ୍ରଶାଖା ମେଲିବା ପାଇଁ ତାକୁ କଠୋର ଶ୍ରମ କରିବାକୁ ହୁଏ । ତେବେ, କେବେ କେବେ ତାକୁ ସୁନ୍ଦରଗଡ଼ ଆସିବାକୁ ହୁଏ ପରିବାର ପାଇଁ । ଯେମିତି ଆଜି ଯିବ ଝାରସୁଗୁଡ଼ା – ସେଇଠୁ ସୁନ୍ଦରଗଡ଼ । ଝର୍କା ଦେଇ ସେ ଦେଖୁଥିଲା ସଭିଙ୍କ ଦଉଡ଼ । ମିଛିମିଛିକା ଦଉଡ଼ । ଦଉଡ଼ୁଥିଲା ଖାଲି ରେଲ୍ଗାଡ଼ି । ଆଉ ତା’ ମନରେ ଭାବନା । ଛୁକ୍ ଛୁକ୍ .. ଛୁକ୍ ଛୁକ୍…. ବାକି ଅଛି ଆହୁରି ବାଟ …. ଲମ୍ବା ଯାତ୍ରା …. ମାଇଲ୍ସ ଟୁ ଗୋ … ମାଇଲ୍ସ ଟୁ ଗୋ….. ଅଶୋକ ମହାନ୍ତି, ଆନମନା ଜୀବନର ଯାତ୍ରାକୁ ନେଇ । କେହି ଜଣେ ପ୍ରସିଦ୍ଧ ବ୍ୟକ୍ତି କହିଛନ୍ତି – “ଜୀବନଟା ସରଳ, ଆମେ ତାକୁ ଜଟିଳ କରିଦେଉ ।’ ସତରେ – ଜୀବନ ଟା କ’ଣ ସରଳ?


ଜ୍ୟେଷ୍ଠରେ ଗରମ ପବନ ପିଟିହେଲା ତା’ ତୁଢ଼ ଗାଲରେ । ମିଳିଗଲା ଜବାବ୍ । ଲମ୍ବା ଶ୍ୱାସଟେ ନେଲା ସେ । ଆକାଶ ଛାଡ଼ିବାକୁ ପ୍ରସ୍ତୁତ ହେଉଥିଲା ସୂର୍ଯ୍ୟ ସେତେବେଳକୁ । ଅଶୋକ ମହାନ୍ତିକୁ କେମିତି ଗୋଟେ ଲାଗିଲା । କେଡେ଼ ଶକ୍ତିମାନ ଏ ସୂର୍ଯ୍ୟ । ଅଥଚ ସେ ବି ନିୟମ ମାନେ । ଜାଗା ଛାଡ଼ିଦିଏ ସେ, ରାତି ପାଇଁ, ଜହ୍ନ ପାଇଁ, ସେଥିପାଇଁ ପ୍ରକୃତି ସୁନ୍ଦର । ଆରେ …. ଆକଶର ଏ କି ଅପୂର୍ବ ବେଶ । ଅପୂର୍ବ ରଙ୍ଗ । ଓଃ…. କାହିଁ କେତେଦିନ ପରେ ଏ ସବୁ ବିଭବ ଦେଖୁଛି ସେ!
କୁଆଡେ଼ ହଜିଯାଉଛି ତା ସମୟ?
ଜୀବନର ବିଭୋର ପଣ?
ମନ ଓ ମାନସିକତାରେ ଯେ ଏକ ଅଜବ ପରିବର୍ତ୍ତନ । ଗୀତିକବିତାରେ ପୂର୍ବ ମାଦକତା ଆଉ କାଇଁ? ସେ ଯେ ମାତାଲ ହୋଇ ପଡ଼ୁଛି ତା’ ବ୍ୟବସାୟରେ । ବହି ବାସ୍ନା ତାକୁ ଆଉ ଉଚ୍ଚାଟିତ କରି ପାରୁନାଇଁ । ନା… ନା…. ଏମିତି ହେବା କଥା ନୁହେଁ । ସମୟର ଦଉଡ଼ରେ ସାମିଲ ହେବା ମାନେ ନୁହେଁ ଯେ ଅସ୍ତିତ୍ୱଟିକୁ ବି ହରେଇଦେବ… କିଛି ତ ରହିବ ନିଜର । ଅଛି ତାର ଦରଦୀ ମନଟିଏ । ମୋବାଇଲ୍ ରିଂ ହେଲା ।
କଥା ହେବ କ’ଣ? ବିପରୀତ ଦିଗରୁ ଅତିକ୍ରମ କରିଯାଇଥିଲା ଆଉ ଗୋଟେ ଟ୍ରେନ୍ । ତାପରେ – ନିଜେ ଯାଉଥିବା ଟ୍ରେନ୍ର ସେଇ ଛନ୍ଦ । ଛୁକ୍…ଛୁକ୍….. ଲମ୍ବା ସିଟି ।
ଆକାଶ ଏବେ ଅନ୍ଧାର ।
ଆଖି ଖୋଲି ନାଇଁ ତାରା ।
ପବନ ଏ ବେଳକୁ ଭାରି ସୁଧାର । ଝର୍କାରୁ ମୁହଁ ଫେରାଇଲା ଅଶୋକ ମହାନ୍ତି ।
ସହଯାତ୍ରୀମାନଙ୍କୁ ଦେଖିଲା । କିଏ ଇଅର୍ଫୋନ୍ ଲଗେଇ ଗୀତ ଶୁଣୁଥିଲା । କିଏ ଲାପ୍ଟପ୍ରେ ଦେଖୁଥିଲା ମୁଭି । ଆଉ କିଛି ଜଣ ଥିଲେ ଗପସପ ଓ ଆଲୋଚନାରେ । ସେଥିରେ ଥିଲା ଓଡ଼ିଶାରୁ ଆତଙ୍କବାଦୀ ଗିରଫ୍ ହେବା କଥା, ଚାଷୀ ଆତ୍ମହତ୍ୟା ଓ ପୋଲାଭରମ୍… । ରାଜଧାନୀ ଦିନକୁ ଦିନ କେମିତି ଅସୁରକ୍ଷିତ ହୋଉ ଉଠୁଛି ତାରି କଥା । ସଚେତନ ନାଗରିକ ସେମାନେ । ଭଲ । ବହୁତ ଭଲ । ସଚେତନତାରେ ହିଁ ବାଟ ଫିଟେ ସମାଧାନର । ସେ କିନ୍ତୁ ସାମଲ୍ ହେଲା ନାଇଁ ସେଇ ଆଲୋଚନାରେ । ପୁଣି ଚାହିଁଲା ଝର୍କା ଆଡେ଼ । ଅନ୍ଧାର ଦେଖିଲା । ଅନ୍ଧାରରେ ବି ତ’ ଥାଏ ଏକ ନିଆରା ସୌନ୍ଦର୍ଯ୍ୟ । ଆରେ … ଇଏ କ’ଣ? ଦୂରର ସେ ଦୃଶ୍ୟଟି । ଅନ୍ଧାର ଭିତରେ ସୁନାରଙ୍ଗର ରେଲ୍ଗାଡ଼ିଟେ ଧାଉଁଛି କି? ଧାଡ଼ି ଧାଡ଼ି ସୁନାରଙ୍ଗିଆ ବଗି? ନାଇଁ ନାଇଁ ଗୋଟେ ଜଳନ୍ତା ରେଳଗାଡ଼ି । ଦି ବର୍ଣ୍ଣିଂ ଟ୍ରେନ୍ । କଲେଜ ଦିନରେ ଦେଖିଥିବା ସେଇ ନାଁ’ର ମୁଭି । ସେଇଭଳି ଏକ ଟ୍ରେନ୍ କି?
ନୁହେଁ, ସୁନାରଙ୍ଗର ରେଳଗାଡ଼ି କି ଜଳନ୍ତା ରେଲଗାଡ଼ି ନୁହେଁ । ନୁହେଁ ବି କୌଣସି ମଜାଦାର ଦୃଶ୍ୟ । ଦୃଶ୍ୟଟି ଅତି କରୁଣ ଜଣେ ସଚେତନ ଭାରତୀୟ ପାଇଁ । ଅଶୋକ ମହାନ୍ତି ବ୍ୟବସାୟୀ ସତ, କିନ୍ତୁ ସେ ଜଣେ ଗୀତିକବି ବି । ସବୁରେ ସେ ଏତେ ଲାଭକ୍ଷତି ଦେଖେନା । ହିସାବ ନିକାଶ କରେନା । ଛୋଟ ଛୋଟ ଦୁଃଖରେ ସେ ଦୁଃଖୀ ହୋଇଯାଏ । ଦେଶରେ ଘଟି ଚାଲିଥିବା ଅଘଟଣ ତାକୁ ଛୁଏଁ । ଭେଦେ । ସେଇଭଳି ସେ ତେଣୁ – ସେଇ ଦୃଶ୍ୟଟି ତାକୁ କଷ୍ଟ ଦେଲା ।
ସୁନାରଙ୍ଗର ରେଲ୍ଗାଡ଼ି ଧାଉଁନାଇଁ କି ଜଳୁନାଇଁ । ଜଳୁଛି ସେଠି ଜଙ୍ଗଲରାଣୀର ଶାଗୁଆ ପଣତକାନି । କାନ୍ଦୁଛି ସେ । ଏକା ଏକା । ଅସହାୟ ହୋଇ । କେହି ତାକୁ ନିଆଁଘେରରୁ ଉଦ୍ଧାର କରି ପାରିବେ ନାଇଁ । ତାର ଚିକିତ୍ସା ବ୍ୟବସ୍ଥା ପାଇଁ, ତାର ଜଳାପୋଡ଼ା ପାଇ. କୌଣସି ଡାକ୍ତରଖାନାରେ ଯେ ବର୍ଣ୍ଣ ୟୁନିଟ୍ ନାହିଁ । ତାକୁ ନ୍ୟାୟ ଦେବା ପାଇଁ କୌଣସି ସହରରେ ଫାଷ୍ଟଟ୍ରାକ୍ କୋର୍ଟ ବସିନାଇଁ ଏ ଯାଏଁ । ତେଣୁ ସେ କାନ୍ଦୁଛି ।
ପାହାଡ଼, ପର୍ବତ ଆଖିରୁ ବି ଝରିଯାଉଛି ନିଆଁର ଲୁହ । ଅଶୋକ ମହାନ୍ତି ଏବେ ଅସ୍ଥିର । ଜଙ୍ଗଲରେ ନିଆଁ । – କ’ଣ କରୁଥିବେ, କୁଆଡେ଼ ଧାଉଁଥିବେ ଠେକୁଆ, ହରିଣ, ଭଳିକି ଭଳି ଚଢେ଼ଇ ଓ କପୋତ ମାନେ? ଅନ୍ୟ ପଶୁପକ୍ଷୀ, ଜୀବଜନ୍ତୁ? ଆହା! ମାଟିକୁ ଜାବୁଡ଼ି ଧରି ଠିଆ ହୋଇଥିବା କେନ୍ଦୁ, କୁସୁମ, ଚାର, ଅଁଳାଗଛମାନେ? କେମିତି ନିଜ ଦୁଃଖ ପୋଛିବେ ସେମାନେ? ଜଙ୍ଗଲ ଆଉ ନିରାପଦ ନୁହେଁ । ସେମାନେ ଯିବେ କୁଆଡେ଼? ଜଳୁଛି ନିଆଁ । ଜଙ୍ଗଲରେ । ଅଶୋକ ମହାନ୍ତିର ଛାତିତଳେ । ଗାଡ଼ି ଅଟକିଲା । ଛୋଟିଆ ଷ୍ଟେସନ । ଦି’ ମିନିଟ୍ ପରେ ପୁଣି ଚାଲିଲା । ତଣ୍ଟି ଶୁଖିଲା ଲାଗିଲା । ବୋତଲ୍ରୁ ସେ ପାଣି ପିଇଲା । ପୁଣି ଅନ୍ଧାର । ପୁଣି ସେଇ ନିଆଁ । ଇଏ ଯେ ଖରାଦିନର ମାମୁଲି ଘଟଣା । ମଣିଷର ଏ କିମିତି ଅତ୍ୟାଚର ବଢ଼ିଚାଲିଛି ପ୍ରକୃତି ଉପରେ । ପ୍ରତି ଋତୁରେ । ଅଦୃଶ୍ୟ ହୋଇଗଲେଣି କୁମ୍ଭାଟୁଆ, ମାଟିଆଚିଲ ଆଉ କେତେ ଜାତିର ପକ୍ଷୀ । ବିଲୁଆ ନନାର ହୁକେ ହୋ ଆଉ କଣ ଶୁଭୁଛି? ବର୍ଷା ଦିନେ ଥରେ ଥରେ ତ ସେ ଝୁରି ହୁଏ ବେଙ୍ଗୁଲି ନାନୀର କେଁକଟର ରଡ଼ିକୁ ।
ସେ ଏଥର ଅନେଇଲା ତା’ ସହଯାତ୍ରୀଙ୍କ ଆଡେ଼ । କହିବାକୁ ଇଚ୍ଛା କଲା – ସମସ୍ତେ ଆସନ୍ତୁ ଏଠି ଓହ୍ଲେଇଯିବା । ସେଇ ନିଆଁ ଲିଭେଇ ଆସିବା । ଜଙ୍ଗଲ ଖୁସି ହେବ ।
କହିବ … “କିଛି ଜଣ ତ ଅଛନ୍ତି ନିଆଁ ଲିଭାଇବାକୁ ।’
ହେଲେ, ପର ମୁହୂର୍ତ୍ତରେ ସେ ନିଜକୁ ପଚାରିଲା – “ତୁ କ’ଣ ଏତେ ପାରିବାର ପିଲା?’
ମୋଟେ ନୁହେଁ । ତା ଭିତରେ ଏମିତି କେତେଥର ନିଆଁ ଜଳେ ।
ଚାଷୀ ଆତ୍ମହତ୍ୟା ଖବର ଶୁଣିଲେ –
ଇତିଶ୍ରୀକୁ ପୋଡ଼ି ମାରିଦେଲେ –
ଦାଦନ ଯୁବକର ହାତ କଟିଲେ –
ଧର୍ଷଣ ହୋଇ ନାବାଳିକା ନଦୀରେ ଫିଙ୍ଗାହେଲେ –
ତେବେ ସେ କ’ଣ କରିଛି ସେଥିପାଇଁ?
ସେ ତ ବଡ଼ ବଡ଼ କଥା । ମା’ର ଏକମାତ୍ର ନଳକୂପ ଶୁଖିଲା ପଡ଼ିଛି ଯେ – ସଜାଡ଼ିବା ପାଇଁ କିଛି ପଦକ୍ଷେପ ନେଇ ପାରିଛି କି? ନା – କରିନି କିଛି । ପ୍ରେସ୍କୁ ଗଲେ କମ୍ପୁ୍ୟଟର୍ ପାଖରେ ବସିଲେ, ଆପେ ସେ ନିଆଁ ଲିଭିଯାଏ । ଘଟଣା ସେମିତି ଘଟି ଚାଲିଥାଏ । ଦରଦୀ ମନଟି ଅବଶ୍ୟ ଭିଜୁଥାଏ । ଅନ୍ୟମାନଙ୍କର ବି ସେମିତି ଭିଜୁଥିବ ।
ଅଶୋକ ମହାନ୍ତି ସେ ନିଆଁଠୁ ଆଖି ଫେରାଇଲା ।
ସହଜ ହୋଇ ବସିଲା । ମୋବାଇଲ୍କୁ ଆସିଥିବା ମେସେଜ୍ ପଢ଼ୁ ପଢ଼ୁ ଭାବିଲା – କାଳେ କାଳେ ପାଷାଣ ଥିଲେ, ରହିବେ ।
କାଳେ କାଳେ ନିଆଁ ଜଳୁଥିଲା, ଜଳିବ । ସମାଧାନ ମିଳେ ନାଇଁ, ମିଳିପାରେ ନାଇଁ । ତା’ରି ଭିତରେ, ଜୀବନର ରେଳଗାଡ଼ି କିନ୍ତୁ ଚାଲିଛି, ଚାଲିଥିବ … ଏମିତି …. ଛୁକ୍ …ଛୁକ୍….ଛୁକ୍ଛୁକ୍……
ଗପ : ଗାୟତ୍ରୀ ସରାଫ୍

Leave A Reply

Your email address will not be published.