ମାସେ ଭିତରେ ଆରମ୍ଭ ହେଉ ଲୋୟର ସୁକତେଲ : ନରସିଂହ

ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ୭ଜଣିଆ କମିଟି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁର୍ବାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳି ଲୋୟର ସୁକତେଲ କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ବହୁ ଦିନରୁ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଆନେ୍ଦାଳନ କରୁଥିବା ସାମାଜିକ ସଂଗଠନ ବଲାଙ୍ଗିର ଏକ୍ସନ କମିଟିର ଆବାହକ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଭ୍ୟ ଗୋପାଳଜୀ ପାଣିଗ୍ରାହୀ, ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀ, ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, ଭବାନି ଶତପଥି, ରତନ କୁମାର ମହାରଣା ପ୍ରମୁଖ ସାମିଲ ରହି ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ହସ୍ତାନ୍ତର କରିଥିଲେ ।
ସୁଚନା ଯୋଗ୍ୟ ଯେ, ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ କାମ ଦୀର୍ଘ ଆନେ୍ଦାଳନ ପରେ ୨୦୧୩ରେ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ ୨୦୧୮ରେ ପ୍ରକଳ୍ପ କାମକୁ ସରକାର ବନ୍ଦ କରି ଦେଇଥିଲେ । କାମକୁ ପୁନଃ ଆରମ୍ଭ କରାଯିବା ନେଇ ପୁଣି ବିଭିନ୍ନ ସଂଗଠନ ଆନ୍ଦୋଳନ କରିଥିଲେ । ଏଥିରେ କୌଣସି ସୁଫଳ ନ ମିଳିଥିବା ବେଳେ ମାଟି ପାଇଁ ଏଇ ଲଢେଇକୁ ଏକ ନୁଆ ରୂପ ଦେବାକୁ ଯାଇ ଏକ୍ସନ କମିଟିର ନେତୃତ୍ୱରେ ସାତ ଦିନ ପୁର୍ବରୁ ଏକ ପ୍ରତିନିଧି ମଣ୍ଡଳି ସ୍ଥାନୀୟ ବିଧାୟକ ନରାସିଂହ ମିଶ୍ରଙ୍କୁ ଦେଖା କରିଥିଲେ । ସେହି କ୍ରମରେ ଆଜି ଏହି ପ୍ରତିନିଧି ମଣ୍ଡଳି ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପୁନଃ କାର୍ଯ୍ୟାରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରୁ ବୋଲି ବିଧାୟକ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କୁ କହିଥିଲେ । ଏହା ସହିତ ପ୍ରକଳ୍ପ ପାଇଁ ସ୍ଥାୟୀ ଭୂମି ଅଧିଗ୍ରହଣ ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ନିଯୁକ୍ତି ଯେପରି ଶୀଘ୍ର ହେବ ସେ ଉପରେ ସେ ନିଜେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । କୌଣସି ମତେ ଯେମିତି ଜଳସେଚନ ପ୍ରକଳ୍ପ ବନ୍ଦ ନହେବ ତଥା ବିସ୍ଥାପିତମାନଙ୍କ ସମସ୍ତ ପ୍ରକାର ଉଚିତ ଆର୍ଥିକ ସହାୟତା ମିଳିପାରିବ ସେ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ବହୁ ଦିନରୁ ଆରପିଡିଏସି ବୈଠକ ବସୁ ନଥିବାରୁ ବିସ୍ଥାପିତଙ୍କ ସମସ୍ୟା ଠିକ୍ ଫୋରମରେ ଆଲୋଚନା ହୋଇପାରୁ । ନାହିଁ ତେଣୁ ପ୍ରକଳ୍ପ ଆରମ୍ଭ ପାଇଁ ତଥା ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ଯଥା ଶୀଘ୍ର ଆରପିଡିଏସି ମିଟିଂ ଡକାଯାଉ ବୋଲି ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ । ଏକ ମାସ ମଧ୍ୟରେ ପ୍ରକଳ୍ପ କାମ ଯେପରି ଆରମ୍ଭ ହୋଇପାରିବ ସେ ଦିଗରେ ସେ ବାଚସ୍ପତି, ଜଳସେଚନ ମନ୍ତ୍ରୀ ତଥା ସଚିବଙ୍କ ସହ ଆଗାମୀ ଭୁବନେଶ୍ୱର ରହଣି ଭିତରେ ଆଲୋଚନା କରିବେ ବୋଲି କହିଥିଲେ ।


ତେବେ ଦାବୀପତ୍ର ଅନୁସାରେ, ଯଦି ସରକାର ପ୍ରକଳ୍ପ ନିର୍ମାଣ ପ୍ରତି ଏକ ମାସ ଭିତରେ ସାକରାତ୍ମକ ପଦକ୍ଷେପ ଗ୍ରହଣ ନ କରିବେ ତେବେ ବଲାଙ୍ଗିରବାସୀ ନିଶ୍ଚିତ ଭାବରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସମସ୍ତ ପ୍ରତିନିଧି ମଣ୍ଡଳି ଏକ ସ୍ୱରରେ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.