ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଯୁବ ଗୋଷ୍ଠୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଏବଂ ଗ୍ରାସୀମ କମ୍ପାନୀ ଏଚ୍ଆର ମୁଖ୍ୟ ତଥା ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ଦୀପକ ଫଟିଲାଇଇଜର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବିଜେଡି ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ଗଞ୍ଜାମ ଏନ୍ଏସି ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ କାଉନସିଲର ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, ଆଇନଜୀବୀ ଏବଂ ସ୍ୱେଚ୍ଛାସେବୀ ବିଭୁତି ସ୍ୱାଇଁ, ଗ୍ରାସୀମ ଶ୍ରମିକ ସଂଗଠନ ନେତା ଅନୁପ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଯୁବ ଗୋଷ୍ଠୀ ତଥା ମିଟୁ ପ୍ରଧାନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ରକ୍ତଦାନ ପ୍ରଥମ ଥର ହୋଇଥିଲେ ମଧ୍ୟ ସଂଖ୍ୟାଧିକ ୨୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହାକୁ ସ୍ୱେଚ୍ଛାସେବୀ ମିଟୁ ପ୍ରଧାନ, ଯୁବନେତା ରାକେଶ ରଞ୍ଜନ ଦାସ, ପତ୍ରକାର ଶିବାନନ୍ଦ ପଲାଇ, ସ୍ୱେଚ୍ଛାସେବୀ ନଳିନୀକାନ୍ତ ଦାସ, କାଁହୁ, ଅମନ, କାଳିଆଙ୍କ ସମେତ ଅନ୍ୟମାନେ ସହଯୋଗ ପରିଚାଳନା କରିଥିଲେ । ଏହି ଶିବିରରେ ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।