ସରକାରୀ ଡାକ୍ତରଖାନାରେ ହୁଇଲ ଚେୟାର ଅଭାବ

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ହସ୍‌ପିଟାଲ ହୋଇଥିବାବେଳେ ଏଠାରେ ଦେଖାଦେଇଛି ଅବ୍ୟବସ୍ଥା । ଏହି ଡାକ୍ତରଖାନାରେ ପୋଡ଼ାଜଳା କକ୍ଷ, ଅସ୍ଥି, ମାତୃଶିଶୁ, ଅନ୍ତଃବିଭାଗ, ସର୍ଜରୀ ବିଭାଗ ନିକଟରେ କୌଣସି ରୋଗୀଙ୍କ ପାଇଁ ଷ୍ଟ୍ରେଚର ବା ହୁଇଲ ଚେୟାର ବ୍ୟବସ୍ଥା କରାଯାଇ ନାହିଁ । ଡାକ୍ତରଖାନାର ବର୍ହି ବିଭାଗ ସମ୍ମୁଖରେ ମାତ୍ର ୨ଟା ଷ୍ଟ୍ରେଚର ଓ ୨ଟି ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ସେହିଭଳି ଅନ୍ତଃବିଭାଗ ସମ୍ମୁଖରେ କୌଣସି ହୁଇଲ ଚେୟାର ଓ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇ ନାହିଁ । ମାତୃଶିଶୁ ବିଭାଗରେ ବେଡ଼ ସଂଖ୍ୟା ୫୦ରୁ ଅଧିକ ଥିବାବେଳେ ୩ଟା ହୁଇଲ୍‌ ଚେୟାର ଓ ଗୋଟିଏ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଛି । ଫଳରେ ଜରୁରୀକାଳୀନ ପରିସ୍ଥିତିରେ ଯଦି କୌଣସି ଗର୍ଭବତୀ ଡାକ୍ତରଖାନାକୁ ଆସେ ତେବେ ୧୦୮ ଆମ୍ବୁଲାନ୍ସର ଷ୍ଟ୍ରେଚର ସାହା ଭରସା ହେଉଥିବା ମାଲଗୋଦାମ ଅଞ୍ଚଳର ସୁନିତା ଲାକ୍ରା କହିଛନ୍ତି । ଅନ୍ୟପକ୍ଷେ ଆର୍‌ଜିଏଚ୍‌ରେ ଆଉଟ୍‌ଡୋର ସ୍ଥିତ ଷ୍ଟୋରପାଖରେ ଅନେକ ହୁଇଲ୍‌ ଚେୟାର ଓ ଷ୍ଟ୍ରେଚର ଦୀର୍ଘ ଦିନଧରି ପଡ଼ିରହି ଖତ ଖାଉଛି । ସେଗୁଡ଼ିକୁ ମରାମତି କରାଯାଉ ନାହିଁ । ଏହି ଡାକ୍ତରଖାନାର ଶଯ୍ୟା ବଢି ବର୍ତ୍ତମାନ ୪୦୦ ଶଯ୍ୟା ବିଶିଷ୍ଟ ରହିଛି । ବର୍ତ୍ତମାନ ଉକ୍ତ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବଢ଼ିଥିବାବେଳେ ହୁଇଲ ଚେୟାର ବ୍ୟବସ୍ଥା ଓ ଷ୍ଟ୍ରେଚର ବ୍ୟବସ୍ଥାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇ ନାହାନ୍ତି । ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଡାକ୍ତରଖାନାରେ କେବଳ ୧୧ଟି ହୁଇଲ ଚେୟାର ଥିବାବେଳେ ଷ୍ଟ୍ରେଚର ଅଛି ମାତ୍ର ୬ଟି । ଏନେଇ ବିରଜାପାଲି ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଶିବ କୁମାର କହନ୍ତି, ଏହି ଡାକ୍ତରଖାନାକୁ ମୋ ବାପାଙ୍କୁ ଶ୍ୱାସ ରୋଗ ହୋଇଥିବାରୁ ଚିକିତ୍ସା ପାଇଁ ଆଣିଥିଲି । କିନ୍ତୁ ମୋ ବାପା ବୃଦ୍ଧ ହୋଇଯାଇଥିବାରୁ ତାଙ୍କୁ ହୁଇଲ ଚେୟାରରେ ନେବା ସମ୍ଭବ ହୋଇ ନ ଥିଲା। ସେହିଭଳି ଶାନ୍ତିଲତା ବାଘାର କିରୋସିନ୍‌ ନିଆଁରେ ପୋଡ଼ି ହୋଇ ଆସିଥିବାବେଳେ ତାଙ୍କୁ ଏକ ଭଙ୍ଗା ଷ୍ଟ୍ରେଚରରେ ଡାକ୍ତରଙ୍କ ପାଖକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା କହିଥିଲେ । ଏନେଇ ରାଉରକେଲା ସରକାରୀ ଡାକ୍ତରଖାନା ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଷ୍ଟ୍ରେଚର ଓ ହୁଇଲ ଚେୟାର ସମସ୍ୟାକୁ ନେଇ ମୋ ପାଖକୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ଆସିନାହିଁ । ଡାକ୍ତରଖାନାରେ ଏହାର ଅଭାବ ଥିବାବେଳେ ଏନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛି । ଡାକ୍ତରଖାନା ଅତିରିକ୍ତ ନିର୍ଦ୍ଦେଶକ ପଣ୍ଡିତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ତୁଳନାରେ ହୁଇଲ ଚେୟାର ଓ ଷ୍ଟେଚର ଆବଶ୍ୟକତା ଜରୁରୀ ରହିଛି । ଜରୁରୀ କାଳୀନ ପରିସ୍ଥିତିରେ ଆସୁଥିବା ରୋଗୀ ଓ ପ୍ରମୁଖ ୱାର୍ଡ଼ ଗୁଡ଼ିକରେ ଏହି ସେବା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖୁଛୁ ।

Leave A Reply

Your email address will not be published.