jayashree

ଅଷ୍ଟମ ପି.ସି. ରଥ ମେମୋରିଏଲ୍‌ ଇଂଟରନେସେନାଲ୍‌ ୱେବ୍‌ କାର୍ଟୁନ୍‌ କଂଟେଷ୍ଟ-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାକ୍‌ ସ୍ୱାଧୀନତା କାଳର ସୁନାମଧନ୍ୟ ପ୍ରତ୍ନତତ୍ୱବିତ୍‌ ତଥା ପୂର୍ବତନ ପାଟଣା ଷ୍ଟେଟର ସୁପରିନ୍‌ଟେନ୍‌ଡେଣ୍ଟ ଅଫ୍‌ ଆର୍କିଓଲୋଜି ସ୍ୱର୍ଗତ ପୂର୍ଣଚନ୍ଦ୍ର ରଥଙ୍କ ସ୍ମୃତିରେ ଆୟୋଜିତ ଅଷ୍ଟମ ପି.ସି. ରଥ ମେମୋରିଏଲ୍‌ ଇଂଟରନେସେନାଲ୍‌ ୱେବ୍‌ କାର୍ଟୁନ୍‌ କଂଟେଷ୍ଟ-୨୦୨୩ର ଫଳାଫଳ ଏ ମଧ୍ୟରେ ଘୋଷିତ ହୋଇଅଛି । ପ୍ରତିଯୋଗିତାରେ ୟୁକ୍ରେନର ବ୍ୟଙ୍ଗଚିତ୍ର ଶିଳ୍ପୀ ଓଲେଗ୍‌ ଗଟ୍‌ସୋଲ, ଚୀନର ହୁଆଙ୍ଗ କ୍ୱିଗୋଙ୍ଗ ଓ ପୋଲାଣ୍ଡର ଇଜାବେଲା କାୱାଲ୍‌ସ୍କା-ୱିକ୍‌ଜୋରେକ୍‌ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରୁଷିଆର ଇଗର ସ୍ମିର୍‌ନୋଭ୍‌ ଏବଂ ସର୍ବିଆର ଟୋସୋ ବୋର୍କୋଭିକ୍‌ ସ୍ୱତନ୍ତ୍ର ପୁରସ୍କାର ତଥା ବେଲ୍‌ଜିଅମ୍‌ର ଲୁକ୍‌ ଡେସ୍‌ଚେମେକର୍‌ ଓ ଇରାନର ମେହେଦି ବସିର୍‌ଜାଦେ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଆବାହକତ୍ୱରେ ଆୟୋଜିତ ଏ ପ୍ରତିଯୋଗିତାରେ ଭାରତ ସମେତ ଇରାନ, ରୁଷିଆ, ୟୁକ୍ରେନ, ବେଲଜିୟମ, ଆମେରିକା, ଇଂଲାଣ୍ଡ, ଜର୍ମାନୀ, ପୋଲାଣ୍ଡ ଆଦି ସର୍ବମୋଟ ୪୨ଟି ଦେଶର ୧୬୭ ଜଣ କାର୍ଟୁନିଷ୍ଟ ଭାଗ ନେଇଥିଲେ । ଫଳାଫଳ ଘୋଷଣା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫୧ଟି ବ୍ୟଙ୍ଗଚିତ୍ରକୁ ବଛାଯାଇ ‘ଅଶ୍ୱିନୀଅବନୀ.କମ୍‌’ ୱେବ୍‌ ସାଇଟ୍‌ ମାଧ୍ୟମରେ ପ୍ରଦର୍ଶନୀ ପାଇଁ ଛଡା ଯାଇଥିଲା । ଭାରତର ଏକମାତ୍ର ଆନ୍ତର୍ଜାତିକ ବିଚାରକ ଥିବା ପ୍ରତିଯୋଗିତା ରୂପେ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରାପ୍ତ ଏ କାର୍ଟୁନ କଂଟେଷ୍ଟ୍‌ ଟିରେ ଜୁଲିଏନ୍‌ ପେନାପାଇ (ରୋମାନିଆ), ସିରେନ୍‌ କାଫେର୍ଲି (ଆଜାର୍‌ ବୈଜାନ୍‌), ରିଆଦ୍‌ ଖଲିଲ୍‌ (ସିରିଆ), ମାସୁଦ୍‌ ସୋଜାଏ ଟବାଟବାଇ (ଇରାନ) ଏବଂ ଅଶ୍ୱିନୀ-ଅବନୀ (ଭାରତ) ବିଚାରକ ରୂପେ ଦାୟିତ୍ୱ ତୁଲାଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ସୁଚାରୁ ରୂପେ ସଂପନ୍ନ ହୋଇ ଏହା ଏକ ମର୍ଯ୍ୟାଦାବନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତା ହେବାର ସୌଭାଗ୍ୟ ଲାଭ କରିବା ସଙ୍ଗେ ସଙ୍ଗେ ଫେକୋ(ଫେଡେରେସନ୍‌ ଅଫ୍‌ କାର୍ଟୁନିଷ୍ଟସ୍‌ ଅର୍ଗାନାଇଜେସନ୍ସ୍‌) ତାରକା ରେଟିଂ ହାସଲ କରିଥିଲା ।

Leave A Reply

Your email address will not be published.