
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହିକ୍ରମରେ କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୮୭ତମ ଉତ୍କଳ ଦିବସ ସଂଘ କାର୍ୟାଳୟଠାରେ ପାଳିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ କପିଳେଶ୍ୱର ମହାରଣାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଉତ୍କଳ ଦିବସ ପାଳନର ଆବଶ୍ୟକତା ତଥା ମହାମନିଷୀଙ୍କ ଅବଦାନ ଓ ଅନୁଷ୍ଠାନର ଜୟନ୍ତୀ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ସଂଘର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ଏହାକୁ ଏକ ଅନନ୍ୟ ସଂଘ ରୂପେ ଗଢି ତୋଳିବାକୁ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ କହିଲେ ଯେ ସାମ୍ପ୍ରତିକ ସ୍ଥିତିରେ ଆମେ ୮୭ତମ ଉତ୍କଳ ଦିବସ ପାଳନ କରିବାକୁ ବସିଥିବା ବେଳେ ଓଡିଆ ଭାଷାର ସୁରକ୍ଷା ଓ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସଭାପତିତ୍ୱ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀ ମହାରଣା ସଂପାଦକୀୟ ବିବରଣୀ ସହ ଅନୁଷ୍ଠାନର କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉପସଭାପତି କିଶୋର ଚନ୍ଦ୍ର ନନ୍ଦ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ଦାସ, ଅରବିନ୍ଦ ପାତ୍ର, ଶତୃଘ୍ନ ଜେନା, ଅନିରୁଦ୍ଧ ଦାସ, ଧନଞ୍ଜୟ ଦାସ ପ୍ରମୁଖ ମଂଚାସୀନ ଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଜୟନ୍ତ ମିଶ୍ର, ଚନ୍ଦ୍ରଶେଖର ଶତପଥୀ, ଲିଟୁ ପୁହାଣ, ନାରାୟଣ ପ୍ରଧାନ, ଚିତ୍ତରଂଜନ ଦାସ, ସୁର ରାଉତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରେମାନନ୍ଦ ସାମଲଙ୍କ ସହ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଥିଲେ । ଅନ୍ୟପକ୍ଷରେ ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧ୍ୟ ଉ୍ôଳ ଦିବସ ପାଳିତ ହୋଇଯାଇଛି । ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ମୁଖ୍ୟ ଅତିଥି, ରାଉରକେଲା ବାର୍ ଆସୋସିଏସନ୍ର ସଭାପତି ସୁରେଶ ଚନ୍ଦ୍ର ମାଝୀ ଓ ଆଲୁମନି ଆସୋସିଏସନ୍ର ସଭାପତି ଡଃ ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଛାତ୍ର ଗିରିଶ ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ବେହେରା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହା ସହ ଓଡିଶାର ଇତିହାସ ସଂପର୍କରେ ବକ୍ତବ୍ୟ ରଖିବା ସହ ଓଡିଆ ଭାଷା ସରକାରୀ ସ୍ତରରେ ବ୍ୟବହାର ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣି ସାହିତ୍ୟ, ଭାଷା ସଂସ୍କୃତି ସଂପର୍କରେ ଆଲୋଚନା କରି କହିଲେ ଯେ ଭାଷା ନଦୀର ସ୍ରୋତ ପରି । କଥା କହିବା ପୂର୍ବରୁ ମଣିଷ ପାଖରେ ଶବ୍ଦ ଥିଲା । ଆଙ୍ଗିକ ଭାଷା ଓ ଶବ୍ଦରୁ ବାକ୍ୟ ଗଠନ ହେଲା । ମେଧା ଶକ୍ତି ଯୋଡିଲା ପରେ ଭାଷା ସଂସ୍କାରିତ ହେଲା । ପରେ ସଂସ୍କୃତି ହେଲା । ସମ୍ମାନିତ ଅତିଥି ଡଃ ଦତ୍ତ ଭାଷା ଶିଖିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ଅନ୍ୟତମ ଅତିଥି ଶ୍ରୀ ମାଝୀ ଭାଷା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ପ୍ରିୟଙ୍କା ପ୍ରିୟଦର୍ଶନୀ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି, ଡଃ ପ୍ରଜ୍ଞା ପରମିତା ପଣ୍ଡା, ଡଃ ତନୟ ରାଜ ପାଢୀ, ଡଃ ଦିବ୍ୟେନ୍ଦୁ ପଣ୍ଡା ମଂଚାସୀନ ଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ୱାଗତିକା, ସଂଗୀତା, ଲିପ୍ସା, ସମିୟା, ଶିବା, ସୌମ୍ୟ, ଶିଭମ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡବାବୁ ମନୋରଞ୍ଜନ ମହାନ୍ତି, ଦେବାଶିଷ ବେହେରା, ସୁଜାତା ନାୟକ, ଲକ୍ଷ୍ମୀପ୍ରିୟା ସାହୁ, ଅକ୍ଷୟ କୁମାର ଦାଶ, ଅମିତା କୁମାରୀ, ଅନସୂୟା ଟୁଡୁ, ଆଞ୍ଚଲ ପ୍ରଧାନ, ମୋନାଲିସା ସାହୁ, ବିଭୁତି ଭୂଷଣ ପୁହାଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଲୁମନି ଆସୋସିଏସନ୍ର ଲୋକ ସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।