ଆଜି ଭାରତ ବର୍ଷରେ ସମ୍ମାନ ଓ ସମ୍ବାଦ ଉଭୟର କଣ୍ଠ ରୋଧ କରାଯାଉଛି – ଉର୍ମିଲେଶ

  • ଗାନ୍ଧୀଙ୍କ ମତରେ ଦଳ ନୁହଁ ପ୍ରାର୍ଥୀଙ୍କ ଭୋଟର ପ୍ରତି ପ୍ରତିବଦ୍ଧତା ହିଁ ନିର୍ବାଚନର ମାପକାଠି ହେବା ଦରକାର : ସତ୍ୟ ନାରାୟଣ ସାହୁ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଗାନ୍ଧୀଙ୍କ ଭାରତ ବର୍ଷରେ ସର୍ବଧର୍ମ ସମନ୍ଵୟ, ଭାଇଚାରା, ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅବକ୍ଷୟ ଘଟିଛି ଏବଂ ଏକ ନିର୍ଦ୍ଧିଷ୍ଟ ଧର୍ମୀୟ ଭାବନାରେ ଜନ ସାଧାରଣଙ୍କୁ ଆକର୍ଷିତ କରି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପ୍ରତି ଆସୁୟା ଭାବ ସୃଷ୍ଟି କରିବା ଭଳି ବାତାବରଣ ସୃଷ୍ଟି କରାଯାଉଛି ବୋଲି ବିଶିଷ୍ଟ ସାମ୍ବାଦିକ ଊର୍ମିଲେଶ ଶହୀଦ ଦିବସ ଅବସରରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଆଭାଷିକ ୱେବିନାରରେ ନିଜର ବକ୍ତବ୍ୟରେ କହିଛନ୍ତି । ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କ ସଭାପତିତ୍ବରେ ଓ ଉପସଭାପତି ଡ. ପ୍ରଦୀପ କୁମାର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଭାଷିକ ୱେବିନାରରେ ଶ୍ରୀ ଉର୍ମିଲେଶ “ଗାନ୍ଧୀ ଓ ଜାମ୍ମୁ କାଶ୍ମୀର” ପ୍ରସଙ୍ଗ ଉପରେ ନିଜର ସାର ଗର୍ଭକ ଉପସ୍ଥାପନାରେ ତତ୍କାଳୀନ ଭାରତୀୟ ସ୍ଵାଧୀନତା ଓ ତତ୍ ପରବର୍ତ୍ତୀ ସମୟରେ ଜାମ୍ମୁ କାଶ୍ମୀରରେ ସ୍ଥିତି ଓ ତତ୍କାଳିନ ରାଜା ଓ ସେଠାକାର ଜନ ସାଧାରଣଙ୍କ ଭାରତ ବର୍ଷରେ ବିଲୀନ ହେବାର ପ୍ରକ୍ରିୟାରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ସେ ଏହି ପ୍ରକ୍ରିୟାରେ ପ୍ରାୟ ସମସ୍ତ ଶ୍ରେୟ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ନେସନାଲ କନଫରେନ୍ସ ଦଳର ମୁଖ୍ୟ ସେକ ଅବ୍ଦୁଳା ଓ ଜମ୍ମୁ କାଶ୍ମୀରର ମହାରାଜା ହରି ସିଂଙ୍କ ହିଁ ମୁଖ୍ୟ ଅବଦାନ ରହିଛି ବୋଲି କହିଥିଲେ । ଗାନ୍ଧିଜୀ ସେକ ଅବ୍ଦୁଳା, ହରି ସିଂ ଓ ଭାରତ ସରକାର ମଧ୍ୟରେ ଏକ ସମାନ୍ତରାଳ ଖିଅ ଟାଣି ନେହେରୁ, ସର୍ଦ୍ଦାର ପଟେଲଙ୍କ ସହ ମିଶି ଜାମ୍ମୁ କାଶ୍ମୀରକୁ ଭାରତ ବର୍ଷ ସହ ମିଶିବାର ପ୍ରକ୍ରିୟାକୁ ସଫଳତା ସହ ବାଟ ଫିଟାଇ ଥିଲେ । ସେ କହିଥିଲେ ଯେ, ଆଜି ଦେଶରେ ଏହି ସବୁ ଇତିହାସକୁ ଅନ୍ୟ ରୂପ ଦେଇ କଦର୍ଯ୍ୟ କରି ପରିବେଷଣ କରାଯାଉଛି ଓ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୁଦ୍ଧରେ ମନୋବିଜ୍ଞାନିକ ଭାବରେ ପ୍ରସ୍ତୁତ କରାଯାଉଛି । ଭାରତବାସୀଙ୍କ ମନରେ ସମଗ୍ର ଜାମ୍ମୁ କାଶ୍ମୀରର ଜନ ସାଧାରଣଙ୍କୁ ଏହି ଦେଶର ଶତ୍ରୁ ସଦୃଶ ଉପସ୍ଥାପନ କରାଯାଉଛି । ସେ ଅତି କ୍ଷୋଭର ସହ କହିଥିଲେ ଯେ, ଆଜି ଭାରତ ବର୍ଷରେ ‘ସମ୍ମାନ ଓ ସମ୍ବାଦ’ ଉଭୟର କଣ୍ଠ ରୋଧ କରାଯାଉଛି ବୋଲି ଶ୍ରୀ ଉର୍ମିଲେଶ ଅତି କ୍ଷୋଭର ସହ କହିବା ସହ ଭାରତ ବର୍ଷ ଭଳି ଏକ ସର୍ବ ବୃହତ୍ ଗଣତାନ୍ତ୍ରିକ ଦେଶରେ ଏଥିରେ ପରିବର୍ତନ ଆଣିବା ଦରକାର ଓ ଦେଶରେ ସର୍ବଧର୍ମ ସମନ୍ଵୟ, ଭାଇଚାରା, ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବାର ଜରୁରୀ ଅଟେ ବୋଲି କହିଥିଲେ । ଅନ୍ୟତମ ବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ସତ୍ୟ ନାରାୟଣ ସାହୁ, “ଗାନ୍ଧୀ ଓ ନିର୍ବାଚନ” ପ୍ରସଙ୍ଗରେ ନିଜର ମତ ରଖି କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ମତରେ ଭୋଟର ପ୍ରତି ପ୍ରତିବଦ୍ଧତା ହିଁ ନିର୍ବାଚନର ମାପକାଠି ହେବା ଦରକାର । ଗାନ୍ଧିଜୀ କହୁଥିଲେ ଯେ, ଜଣେ ନେତା ଯିଏ ଜନତାଙ୍କ ପାଖରୁ ଭୋଟର ଆଶା ରଖେ ସେ ଜନ ସାଧାରଣଙ୍କ ଅଭାବ, ଅସୁବିଧା ଓ ଆବଶ୍ୟକତା ଉପରେ ସଂପୂର୍ଣ୍ଣ ଜ୍ଞାନ ଥିବା ଦରକାର ଓ ସେ ତାକୁ ଦୂର କରିବାର ଆନ୍ତରିକତା ରହିବା ଦରକାର । ଭୋଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଓ ସମସ୍ୟା ପ୍ରତି ତାଙ୍କ ଆନ୍ତରିକତା ଦେଖି ଦେବା କଥା ନା କି ଜାତି କି ଧର୍ମକୁ ଦେଖି । ସେ ମହିଳାମାନଙ୍କ ସମସ୍ୟାର ଦୂରୀକରଣ ପାଇଁ ମହିଳାମାନଙ୍କ ରାଜନୀତିରେ ଭାଗିଦାରୀର ଘୋର ସପକ୍ଷବାଦୀ ଥିଲେ । ଗାନ୍ଧୀ ଭୋଟ ଦାନର ଅଧିକାର, ନିର୍ବାଚନରେ କମ ଅର୍ଥର ବ୍ୟବହାର ତଥା ନିର୍ବାଚନ ସଂସ୍କାର ଉପରେ ଗୁରୁତ୍ବ ଦେଉଥିଲେ । ଶ୍ରୀ ସାହୁ କହିଥିଲେ ଯେ, ଆଜି ଦେଶରେ ଗାନ୍ଧିଜୀଙ୍କ ମତର ବିପରୀତରେ କାର୍ଯ୍ୟ ହେଉଛି । ଗାନ୍ଧୀ ବହୁଳ ଅର୍ଥର ବିନିଯୋଗର ବିରୋଧୀ ଥିବା ବେଳେ ଆଜି ଦଳ ଗୁଡ଼ିକ ବହୁଳ ଅର୍ଥର ବ୍ୟବହାର କରୁଛନ୍ତି । ଏଭଳି କି କେଉଁ ଦଳକୁ କେତେ ଚାନ୍ଦା ମିଳୁଛି ତାରି ଉପରେ ଆଜି ପ୍ରତିଯୋଗିତା ଚାଲିଛି । ଶ୍ରୀ ସାହୁ କହିଥିଲେ ଆଜି ସମୟ ଆସିଛି ଗାନ୍ଧିଜୀଙ୍କ ଆଦର୍ଶକୁ ଆପଣାଇବାକୁ ପଡ଼ିବ ଏବଂ ଭାରତ ବର୍ଷରେ ନିର୍ବାଚନୀ ସଂସ୍କାର ଆଣି ଗାନ୍ଧିଜୀଙ୍କ ସ୍ଵପ୍ନକୁ ସାକାର କରିବାକୁ ପଡ଼ିବ । ପାଖାପାଖି ଦେଢ଼ ଘଂଟା ଧରି ଆୟୋଜିତ ଏହି କାର୍ଯ୍ୟକ୍ରମେରେ ୬୦ ଜଣ ଶ୍ରୋତା ଭାଗ ନେଇଥିଲେ । ଶେଷରେ ଗାନ୍ଧୀ ସୃତି ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଗତକାଲି ସକାଳେ ପାଠାଗାରର ସମସ୍ତ କର୍ମକର୍ତ୍ତା ସକାଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.