ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଗଣ ପର୍ବ ରଜ ପର୍ବ ରାଉରକେଲା ସହରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାଳିତ ହେଉଥିବା ବେଳେ ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ର ମହିଳା ଶାଖା ତଥା ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ଦ ପିଙ୍କ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ୨୦୨୩ ନାମରେ ଏକ ତିନିଦିନିଆ କାର୍ଯ୍ୟକ୍ରମ ଜଗଦା କମ୍ୟୁନିଟି ସେଣ୍ଟର ସାମ୍ନା ପଡ଼ିଆରେ ପ୍ରସ୍ତୁତ କରିଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଫିଲ୍ମର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ବୁଧବାର ସକାଳେ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମଞ୍ଜିତ ସିଂ, ସମାଜସେବୀ ମାଲିନ୍ଦର କାଉର, ଦୀପିକା ମହିଳା ସଙ୍ଘତିର ଉପ ସଭାପତି ହର୍ଷିଲା ସୂର୍ଯ୍ୟବଂଶୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିଲେ । ଆୟୋଜକମାନଙ୍କ ତରଫରୁ ଜନ ସାଧରଣଙ୍କ ମନୋରଞ୍ଜନ ଲାଗି ରଜ ଦୋଳି ଓ ବିଭିନ୍ନ ଖାଦ୍ୟ ପେୟର ଷ୍ଟଲ ଲଗାଯାଇଛି । କୁନି କୁନି ଝିଅମାନଙ୍କ ବ୍ୟତୀତ ଅତିଥିମାନେ ରଜ ଦୋଳିର ମଜା ନେଇଥିଲେ । ଏହି ଅବସରରେ, ରଜ ସଜବାଜ ପ୍ରତିଯୋଗିତା, ଓଡ଼ିଆ ପିଠା ପ୍ରତିଯୋଗିତା, ରଜ ପାନ ଭଙ୍ଗା ପ୍ରତିଯୋଗିତା, ଲୁଡୋ ପ୍ରତିଯୋଗିତା ଓ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ଅବସରରେ ତିନୋଟି ବର୍ଗରେ ରଜ ପରୀ ପ୍ରତିଯୋଗିତା କରାଯାଇ ଫାଇନାଲରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ ରାଉଣ୍ଡ ପରେ ୧୬ ତାରିଖ ସନ୍ଧ୍ୟାରେ ବିଚାରକମାନଙ୍କ ଦ୍ୱାରା ବିଜୟିନୀମାନଙ୍କୁ ମୁକୁଟ ପ୍ରଦାନ କରାଯିବ । ଚଳଚିତ୍ର ନାୟିକା ସୂର୍ଯ୍ୟମୟୀ ଓ ଅଭିନେତା ପୁଫିନ୍ଦର ବିଚାରକ ଭାବେ ପତିଯୋଗୀମାନଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରୁଛନ୍ତି । ପ୍ରତିଯୋଗୀମାନଙ୍କ ପ୍ରତିଭା ପ୍ରଦର୍ଶନ ବ୍ୟତୀତ ପ୍ରତିଷ୍ଠିତ ନୃତ୍ୟଗୁରୁ ମାନଙ୍କ ଦ୍ୱାରା କେବଳ ଲୋକପ୍ରିୟ ଓଡ଼ିଆ ଗୀତର ତାଳରେ ଗ୍ରୁପ ଡ୍ୟାନ୍ସ ପ୍ରଦର୍ଶନ କରାଯାଉଛି । ତା’ଛଡା ଶେଷ ସନ୍ଧ୍ୟାରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ ସିଂ, ପ୍ରସିଦ୍ଧ ଅକ୍ଷୟ ସଙ୍ଗୀତ ଗାୟକ ବନୋଜ ମହାନ୍ତି ଓ ଅରୁଣୀମା ଇତ୍ୟାଦି ପୁରୁଣା ଓଡ଼ିଆ ହିଟ ଗୀତ ସବୁ ପ୍ରସ୍ତୁତ କରିବେ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ମିହିର ରାୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମର ଦ ପିଙ୍କ୍ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଶେଷରେ ସଂପାଦିକା ମମତାଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post