jayashree

ସଇଁତଲା ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ

  • ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ଶନିବାର ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଲୋକକଳା ଓ ନୃତ୍ୟରେ ମନ ମୋହିଲେ ଦର୍ଶକ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ତହସିଲଦାର ମାନସନ ଫିଲ କେରକେଟା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, କଳାକାର ସଂଘ ଉପସଭାପତି ପରେଶ ସାହୁ, ସାଂସଦଙ୍କ ପ୍ରତିନିଧି ଅକ୍ଷୟ ରଣା ଓ ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଯୋଗଦାନ କରି ଲୋକ କଳା, ଲୋକ ବାଦ୍ୟ ଓ ଲୋକ ନୃତ୍ୟ ଉପରେ କଳାକାରମାନଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ଅଧ୍ୟକ୍ଷତା କରିଥିବା ବେଳେ ତପନ ଦାଶ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଏହି ପରିପେକ୍ଷୀରେ ବର୍ଷିଆନ କଳାକାର ଗଙ୍ଗାଧର ଠାକୁର, ଗୌରଚନ୍ଦ୍ର ମନହୀରା ଓ ପ୍ରଭାକର ମାଝୀଙ୍କୁ ଚଳିତ ୨୦୨୨-୨୩ ବର୍ଷରେ କଳାକାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଲୋକ କଳା ଓ ସଂସ୍କୃତି ଉପରେ ଆଧାରିତ କଳାକାରମାନଙ୍କ ଦ୍ୱାରା ଲୋକ ବାଦ୍ୟ, ଲୋକ ସଂଗୀତ, ଲୋକ ନୃତ୍ୟ, ଲୋକ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବ ପାଇଁ ଅନନ୍ତ ବଗର୍ତ୍ତୀ, ଧନେଶ୍ୱର ମିଶ୍ର, ବାଞ୍ଛାନିଧି ବୁଡ଼େକ ଓ ଜଗନ୍ନାଥ ମୁଦୁଲି ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଶାସନଙ୍କ ପ୍ରଚାର ପ୍ରସାର ଯୋଗୁଁ କଳାକାରମାନେ ଅଧିକରୁ ଅଧିକ ମାତ୍ରାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି ଉତ୍ସବରେ ବ୍ଲକର ସରପଞ୍ଚ, ସମିତି ସଭ୍ୟ /ସଭ୍ୟାଙ୍କ ସମେତ ବ୍ଲକର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ଉତ୍ସବରେ ୭୩ ଗୋଟି କଳାପ୍ରେମୀ ଓ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ଉପସ୍ଥିତ ଥିଲେ । ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.