
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ରୋଟାରୀ କ୍ଲବ ପରିସରରେ ଥିବା ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି, ବସନ୍ତ ସନ୍ଧ୍ୟା । ଭଞ୍ଜ ସାହିତ୍ୟ, ସଂସ୍କୃତି, ଭଞ୍ଜ କଳାର ବିକାଶକୁ ନେଇ ସାହିତ୍ୟ ଆସର, ପୁସ୍ତକ ଉନ୍ମୋଚନ ସାଂଗକୁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ୨୨, ୨୩ ଓ ୨୪ ତାରିଖ ୩ ଦିନ ସନ୍ଧ୍ୟାରେ ସାଂସ୍କୃତିକ ଭରା କାର୍ଯ୍ୟକ୍ରମ ମଧ୍ୟରେ ସମାହିତ ହେବ । ଶନିବାର ସନ୍ଧ୍ୟା ୫ଘଣ୍ଟା ସମୟରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିବସର ପ୍ରଥମ ପର୍ବକୁ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଏଵଂ ବାଣିଜ୍ୟ ପରିବହନ, ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ ବୋଲି ଏକ ବିବୃତ୍ତିିରେ କୁହାଯାଇଛି । ବସନ୍ତ ମହୋତ୍ସବର ଆନୁଷ୍ଠାନିକ ଉଦ୍ଘାଟନୀ ସଂଧ୍ୟାରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ବ୍ରହ୍ମପୁର) ଉପ-ସଚିବ ଡ଼ଃ. କୁଳମଣି ଓଝା ପ୍ରମୁଖ ବହୁ ଗଣ୍ୟମାନ୍ୟ ପ୍ରଫେସର୍, ବ୍ୟକ୍ତି ବିଶେଷ୍ୟ ଯୋଗଦେଇ କଳା, ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ଆଲୋକପାତ କରିବେ ବୋଲି ଜଣାଯାଇଛି । ଯାହାକି ଗଞ୍ଜାମ ଜିଲ୍ଲାର ଲୋକ ସଂସ୍କୃତି, ଲୋକ କଳାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏହାର ସଫଳ ରୂପାୟନ ଅଣାଯିବା ନିମନ୍ତେ ଚଳିତ ୨୨,୨୩ ଓ ୨୪ ତାରିଖ ତିନି ଦିନ ଧରି ଯଥାକ୍ରମେ ପ୍ରଥମ ଦିବସରେ କବିସୂର୍ଯ୍ୟ ବଳଦେବ ସନ୍ଧ୍ୟା, ଦ୍ୱିତୀୟ ସନ୍ଧ୍ୟା କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସନ୍ଧ୍ୟା, ଏଵଂ ଅନ୍ତର୍ଯ୍ୟାମୀ ପତି ଶର୍ମା ସନ୍ଧ୍ୟା ନାମରେ ତିନିସନ୍ଧ୍ୟା “ହେ ବସନ୍ତ” ବୋଲି ମହୋତ୍ସବର ଆୟୋଜନ ହେଉଅଛି ବୋଲି ସଂସ୍କୃତି ବିକାଶ ପରିଷଦର ସଭାପତି ବରିଷ୍ଟ ଆଇନଜ୍ଞ ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ଡ଼ଃ. ଅଜୟ କୁମାର ତ୍ରିପାଠୀ ପ୍ରମୁଖ ମିଳିତ ଭାବେ ଗତକାଲି ଏକ ପ୍ରେସ-ମିଟରେ ଏହି ବିବୃତ୍ତି ଦେଇ କହିଛନ୍ତି । ଆଇନଜୀବୀ ତଥା ସାହିତ୍ୟିକ ବ୍ରଜ ମୋହନ ଆଚାର୍ଯ୍ୟ , ସମାଜସେବୀ ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରାକ୍ତନ ରୋଟାରୀ ସଭାପତି ନିରଞ୍ଜନ ପାତ୍ର, ରୋଟାରୀୟାନ୍ ସୁରଜିତ ସାମନ୍ତରାୟ ପ୍ରମୁଖ ଉକ୍ତ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ବ୍ୟାପକ ଆୟୋଜନର ବ୍ୟବସ୍ଥାପନା କରାଯାଉଛି ବୋଲି କୁହାଯାଇଛି ।