ଟ୍ୱିଟ ପରେ ଉଦ୍ଧାର ହେଲେ ୩ ଦାଦନ ଶ୍ରମିକ : ଫସି ରହିଥିଲେ ତେଲେଙ୍ଗାନା ରାଜ୍ୟର ଇଟାଭାଟିରେ

ନୂଆପଡା, (ନିରାକାର ମେହେର) : ଟ୍ୱିଟ ପରେ ଉଦ୍ଧାର ହେଲେ ୩ ଦାଦନ ଶ୍ରମିକ । ସୂଚନା ଅନୁସାରେ ନୂଆପଡା ଜିଲ୍ଲା ନୂଆପଡା ବ୍ଲକ କର୍ମେଲି ଗାଁର ତିନିଜଣ ଯୁବକ ଯୁବତୀ ଅମିତ ମାଝୀ, କୁନ୍ତୀ ମାଝୀ ଓ ନମିତା ମାଝୀ କିଛିଦିନ ତଳେ ତେଲେଙ୍ଗାନା ରାଜ୍ୟର ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ । ପରିବାରର ଆର୍ଥିକ ଦୁର୍ବଳତା ହେତୁ ସେମାନେ ନିଜର ଭିଟାମାଟି ଛାଡି ତେଲେଙ୍ଗାନା ରାଜ୍ୟର ମେଡକାଲ ଜିଲ୍ଲା ରାବଲକୋଳ ଗାଁ ଏମଭିଏସ ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ । ଯିବା ସମୟରେ ଇଟାଭାଟି ମାଲିକ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ନେଇଥିଲା । ଯିବା ପରେ କିଛିଦିନ ଭଲରେ ସେମାନେ କାମ କରି ରହିଥିଲେ । ସେମାନେ ବେଶ୍‌ ଖୁସିରେ କାମ କରି ଦୁଇ ପଇସା ଘରକୁ ନେବାପାଇଁ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଧୀରେ ଧୀରେ ମାଲିକ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେବାର ଆରମ୍ଭ କରିଥିଲେ । କାମ କଲେ ଖାଇବାକୁ ଦେଉଥିଲା ନଚେତ ସେମାନେ ଭୋକରେ ରହୁଥିଲେ । ଏପରିକି ଜ୍ୱର ହେଲେ ନିଜ ପଇସାରେ ସେମାନେ ଚିକିତ୍ସିତ ହେଉଥିଲେ । ଏହିପରି ଅନେକ ପ୍ରକାର ନିର୍ଯାତନା ସହୁଥିବା ନେଇ ଫେସବୁକ୍‌ରେ ସଂଜୀବ ମିଶ୍ର ନାମକ ଜଣେ ବ୍ୟକ୍ତି ପୋଷ୍ଟ କରିଥିଲେ । ଏହାକୁ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ଦେଖିବା ପରେ ତୁରନ୍ତ ଟ୍ୱିଟର ଯୋଗେ ଲେବର କମିଶନର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୂଆପଡା ଜିଲ୍ଲା ପ୍ରଶାସନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ମେଡକାଲ ଜିଲ୍ଲା ପୋଲିସ ଓ ପ୍ରଶାସନଙ୍କୁ ଜଣାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ଟ୍ୱିଟ କରିବାର କିଛି ଘଣ୍ଟା ଭିତରେ ମେଡକାଲ ଜିଲ୍ଲା ପୋଲିସ ପହଂଚି ତିନିଜଣଙ୍କୁ ଉଦ୍ଧାର କରି ଟ୍ରେନ୍‌ ଯୋଗେ ନିଜ ଗାଁକୁ ପଠାଇଛନ୍ତି । ସେମାନେ ଗାଁକୁ ପହଂଚି ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.