ଜୟପାଟଣା, (ଶେଷଦେବ ବେହେରା) : ଅନେକ ସମୟରେ ବାସ୍ତବତା ମଧ୍ୟ କାହାଣୀ ଭଳି ଲାଗେ । ସହରମାନଙ୍କର ବିଳାସମୟ ଜୀବନ ଓ ବିକାଶ ଧାରାକୁ ଦେଖିବା ପରେ, ଗ୍ରାମାଞ୍ଚଳରେ ରହୁଥିବା ମଣିଷମାନଙ୍କ ମଧ୍ୟରେ ଆପଣା ଛାଏଁ ଅକୁହା ଏକ ହୀନ ମାନ୍ୟତା ଚାଲିଆସେ । ନିଜର ଭିଟାମାଟିରେ ପରିବାର ଲୋକଙ୍କ ସାଙ୍ଗରେ ପରିବାର ବଢିବା ପରେ ମୁଣ୍ଡ ଗୁଞ୍ଜିବା କଷ୍ଟକର ହୋଇପଡ଼ିଲା । ସ୍ଥାନର ଅଭାବ ଦେଖାଦେଲା । ଠିକ୍ ସେତିକି ବେଳେ ପୁଣି ଏକ ସାଙ୍କେତିକ ଜୀବନ ବଞ୍ଚିବା ପାଇଁ ଲୋକେ ବାଧ୍ୟ ହୋଇ ନିଘଂଚ ଜଙ୍ଗଲର ପରିସୀମା ମଧ୍ୟକୁ ଭିନ୍ନ ଏକ ସଙ୍ଘର୍ଷମୟ ଜୀବନଶୈଳୀ ପାଇଁ ଛୁଟି ଆସନ୍ତି ଏକ ନୂତନ ସୂର୍ଯ୍ୟାଲୋକର ସନ୍ଧାନରେ । ଆଉ ସେହି ସ୍ଥାନ ହିଁ ସେମାନଙ୍କ ପାଇଁ ସ୍ୱଳ୍ପ ଆବଶ୍ୟକତା ସହ ନିରାପଦ ପାଲଟି ଯାଏ । ଆମେ କହୁଛୁ ତ୍ରିଖୁଟିପଡାର କାହାଣୀ । ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ପଞ୍ଚାୟତର ୩ ଟି ରାଜସ୍ୱ ଗ୍ରାମ ପାବ୍ଲି, ସିରେଇଯୋର୍ ଓ ଲାଖବାହିଲି ଗ୍ରାମର ଏକ ତ୍ରିକୋଣ ବନାନୀ ଅଞ୍ଚଳ । ପ୍ରକୃତିର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ୩ ଟି ରାଜସ୍ୱ ଗ୍ରାମର ସୀମା ସଂଲଗ୍ନ ହେଉଥିବାରୁ ନାମିତ ହେଲା ତ୍ରିଖୁଟିପଡା । ପ୍ରଶାସନର ନଜର ପଡୁ ବା ନ ପଡୁ ବର୍ଷ ବର୍ଷ ଧରି ବିକାଶକୁ ଚାହିଁ ବସିଥିବା ଲୋକଙ୍କ ପାଖରେ ସ୍ୱାବଲମ୍ବୀ ଓ ବିକାଶର ପରିଭାଷା ଦେଖିବାକୁ ମିଳେ । ଗାଁ ବସିବାର ଇତି ମଧ୍ୟରେ ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ଗାଁକୁ ସଡକ ଖଣ୍ଡିଏ ସ୍ୱପ୍ନ ପାଲଟିଛି । ଗାଁରେ ମୋଟ ୧୭ ପରିବାର ମଧ୍ୟରୁ ଲାଖବାହିଲି ଗ୍ରାମର ୭ ପରିବାର, ସିରେଇଯୋର ଗ୍ରାମର ୨ ଓ ପାବଳି ଗ୍ରାମର ୮ଟି ପରିବାର ଅବସ୍ଥାନ କରନ୍ତି । ପାବଲି ଗ୍ରାମର ଏହି ୮ଟି ପରିବାର ଚାଉଳ ଡଙ୍ଗରର ସୁରକ୍ଷାରେ ସମସ୍ତ ୩୦ ବର୍ଷ ଧରି ସବୁଜ ସେନାନୀ ଭାବରେ ପରିଚୟ ରଖି ଶେଷରେ କିଛି ଲୋକଙ୍କ ନାଲି ଆଖି ସାମ୍ନାରେ ବାସଚ୍ୟୁତ ହେବାକୁ ପଡ଼ିଲା । ସେମାନେ ପୁଣି ପତ୍ରପଡା ଛାଡ଼ି ପୁଣି ଏଠିକାର ୧୨୦ ଏକର ବିଶିଷ୍ଟ ସବୁଜ ଜଙ୍ଗଲକୁ ସୁରକ୍ଷା ଦେଇ ପ୍ରହରୀ ପାଲଟି ଗଲେ । ସେହି ଜଙ୍ଗଲର ବନସ୍ପତି ଏବେ ତାଙ୍କରି ଜୀବନ ଜୀବିକାରେ ସହାୟକ ପାଲଟିଛି । ଅଞ୍ଚଳରେ କିଛି ମାଳ ଜମିରେ ଧାନ, ମାଣ୍ଡିଆ, ମକା, କୋଳଥ ଓ ପନିପରିବା ଚାଷ କରି ଜୀବିକା କରି ଚାଲିଛନ୍ତି । ଗାଁରେ ପହଞ୍ଚିବା ବେଳକୁ ମାଁ ମାନେ ଗାଁ ପାଇଁ ସଡକ ଓ ପୋଖରୀ ଟିଏ ଖୋଳି ଦେବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ସଡକ ଠାରୁ ୧ କିଲୋମିଟର ଦୁରେ ଏହି ଗାଁର ଅବସ୍ଥିତି ଥାଇ ମଧ୍ୟ ସଡକ ଟିଏ ମିଳିପାରି ନ ଥିବା ପ୍ରଶ୍ନ ସୃଷ୍ଟି କରୁଛି । ମାତ୍ର ୨ ଜଣଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କର ଝାଟିମାଟିର କୁଡିଆ । ଏ ସଂକ୍ରାନ୍ତରେ ବିଡିଓ ଧର୍ମରାଜ ମାଝିଙ୍କୁ ସମ୍ପର୍କ କରିବାରୁ ଗାଁକୁ ସଡକ ସଂଯୋଗ ସହିତ ବିକାଶ ପାଇଁ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ ।