ଟିକ୍ରାପଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଓ ୪ ଲକ୍ଷ ଟଙ୍କା ଲୁଟ ଘଟଣା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ମାରିବା ସହ ଟଙ୍କା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସଇଁନ୍ତଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ଅଜିତ ବାଗ ଓ ନୀତେଶ ଥପା । ତାଙ୍କ ଘର ପାଟଣାଗଡ଼ ଥାନା ପୋଡ଼ମୋଡ଼ ଗାଁର ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଗତ ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାର୍ଦ୍ଧନ ଯୋଶୀ ଭତ୍ତା ବାବଦରେ ୩ ଲକ୍ଷ ୫୧ ହଜାର ୯ ଶହ ଟଙ୍କା ଉଠାଣ କରି ନିଜ ଗ୍ରାମ ବେଲପଡା ଥାନା କେନକେବାକୁ ଯାଉଥିଲେ । ତେବେ ଯୋଶୀ ଏକୁଟିଆ ଯାଉଥିବା ବେଳେ ଏହାର ସୁଯୋଗ ନେଇ ଦେଓଗାଁ-ଫଟାମୁଣ୍ଡ ମନ୍ତ୍ରୀବାହାଲ ଠାରେ କିଛି ଦୁର୍ବୃତ୍ତ ମାନେ ହଠାତ ଆକ୍ରମଣ କରିବା ସହ ଲହୁଲୁହାଣ କରି ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ ଟିକ୍ରାପଡା ସରପଞ୍ଚ ଭାରତୀ ରାଜପଲିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ।

Leave A Reply

Your email address will not be published.