jayashree

ଟିଟିଲାଗଡ଼ ପାଲଟିଲାଣି ତତଲାଗଡ଼

ଭୁବନେଶ୍ୱର : ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହେଲାଣି । ରାଜ୍ୟରେ ଦିନର ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ପାର୍ କରିଛି । ସେହିପରି ଭବାନୀପାଟଣାରେ ମଧ୍ୟ ପାରଦ ୩୬ ଡିଗ୍ରୀ ପାର୍‌ ହୋଇଛି । ବଲାଙ୍ଗିର ଓ ଝାରସୁଗୁଡ଼ାରେ ୩୫ ଡିଗ୍ରୀ ଉପରେ ରହୁଛି । ଉଭୟ ଦିନ ଓ ରାତି ତାପମାତ୍ରା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ ୨୪ ତାରିଖରୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କିଛି ସ୍ଥାନରେ ଦିନ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିବ । ଏବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି । କିଛି ସ୍ଥାନରେ ରାତି ତାପମାତ୍ରା ଆଉ ୧ଡିଗ୍ରୀ ବଢ଼ିପାରେ । ପଶ୍ଚିମା ଝଡ଼ ପ୍ରଭାବରେ ୨୨ ତାରିଖରୁ କିଛି ସ୍ଥାନରେ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୩ ତାରିଖର ତାପମାତ୍ରା ସାମାନ୍ୟ କମିପାରେ । ୨୪ ଓ ୨୫ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୋମବାର ସୋନପୁର ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୪.୮, ମାଲକାନଗିରି ଓ ହୀରାକୁଦରେ ୩୪.୭, ନୟାଗଡ଼ରେ ୩୪.୫, ଭୁବନେଶ୍ୱରରେ ୩୪.୪, ଅନୁଗୁଳରେ ୩୪.୧, ତାଳଚେରରେ ୩୪, ଫୁଲବାଣୀରେ ୩୩.୯, ସମ୍ବଲପୁରରେ ୩୩.୭, ଢେଙ୍କାନାଳରେ ୩୩.୬, ସୁନ୍ଦରଗଡ଼ରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଛି । ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି ।

Leave A Reply

Your email address will not be published.