ଉତ୍ତମ ପୋଷଣ, ସୁସ୍ଥ ଜୀବନ : ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

  • ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ
  • ପୁଷ୍ଟି ସହ ସମୃଦ୍ଧିର ସମ୍ପର୍କ ରହିଛି
  • ମା’ମାନଙ୍କ ହାତରେ ରହିଛି କାର୍ଯ୍ୟକ୍ରମ ସଫଳତାର ଚାବିକାଠି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି ।

‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି । ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା । ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ । ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି । ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି । ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରତ୍ୟେକ ମହିଳା ଓ ଶିଶୁ ସ୍ୱାସ୍ଥ୍ୟବାନ ହୋଇପାରିବେ । ଏହା ଦ୍ୱାରା ଆମେ ସମୃଦ୍ଧି ପଥରେ ଆଗେଇବା ସହିତ ଆମ ଲକ୍ଷ୍ୟ ହାସଲରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ୫-ଟିର ପାଞ୍ଚଟି ଉପାଦାନର ପ୍ରୟୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଂଶ୍ଳିଷ୍ଟ କରି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟକରିବ ବୋଲି ମୁଁ ଦୃଢ ନିଶ୍ଚିତ । ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଉନ୍ନତ ପୁଷ୍ଟି ଯୋଗାଇ ଦେଇ ସାମଗ୍ରିକ ବିକାଶକୁ ଆହୁରି ଆଗକୁ ନେବ ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ, ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଆମ ପାଇଁ ଏକ ମିଶନ । ଏହି ଯୋଜନା ସମଗ୍ର ଓଡିଶାବାସୀଙ୍କ ଜୀବନ ଓ ଭବିଷ୍ୟତକୁ ଉନ୍ନତ କରିବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ପୁଷ୍ଟି ସୂଚକାଙ୍କରେ ଧିରେ ଧିରେ ଆମେ ଉପରକୁ ଉଠୁଛୁ । ଜାତୀୟ ସ୍ତରରେ ମଧ୍ୟ ଏ କ୍ଷେତ୍ରରେ ଓଡିଶା ଭଲ ସ୍ଥିତିରେ ରହିଛି । ପୁଷ୍ଟିସାଧନ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.