
ବଲାଙ୍ଗିର, (କେପିଏନ୍ଏସ୍) : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ୧୦ ଗୋଟି ଜିଲ୍ଲା ଯଥା – ବାଲେଶ୍ୱର, ବ୍ରହ୍ମପୁର (ଗଞ୍ଜାମ), ଭଦ୍ରକ, ଭବାନୀପାଟଣା (କଳାହାଣ୍ଡି), ଭୁବନେଶ୍ୱର (ଖୋର୍ଦ୍ଧା), ବଲାଙ୍ଗିର, ଜୟପୁର (କୋରାପୁଟ), ପୁରୀ, ରାଉରକେଲା (ସୁନ୍ଦରଗଡ) ଓ ସମ୍ବଲପୁରରେ ଗତକାଲି ଆଭାସି ଉଚ୍ଚ ନ୍ୟାୟାଳୟର ଶୁଭାରମ୍ଭ ହୋଇଯାଇଛି ।
ତନ୍ମଧ୍ୟରୁ ବଲାଙ୍ଗିର ଜିଲ୍ଲା ଅନ୍ୟତମ ଏହି ଆଭାସି ଉଚ୍ଚ ନ୍ୟାୟାଳୟକୁ ସର୍ବୋଚ୍ଚ ନ୍ୟାୟାଳୟର ମାନନୀୟ ମୁଖ୍ୟ ନ୍ୟାୟାଧୀଶ ଡ. ଡି ୱାଇ ଚନ୍ଦ୍ରଚୂଡ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଆଭାସି ସଭାରେ ମାନନୀୟ ମୁଖ୍ୟ ବିଚାରପତି, ଓଡିଶା ଉଚ୍ଚ ନ୍ୟାୟାଳୟ, ସଙ୍ଗମ କୁମାର ସାହୁ, ପ୍ରଶାସନିକ ବିଚାରପତି, ଓଡିଶା ଉଚ୍ଚ ନ୍ୟାଂୟାଳୟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ । ବଲାଙ୍ଗିର ଓ ଏହା ପାଖ ଜିଲ୍ଲାରେ ଯେଉଁଠାରେ ଆଭାସି ନ୍ୟାୟାଳୟ ବର୍ତ୍ତମାନ ପାଇଁ ପ୍ରତିଷ୍ଠା ହୋଇନାହିଁ ଏହା ଦ୍ୱାରା ଅଶେଷ ଉପକୃତ ହେବେ । ଜିଲ୍ଲା ଓକିଲମାନେ ମଧ୍ୟ ହାଇକୋର୍ଟରେ ଓକିଲାତି କରିବା ପାଇଁ ସୁଯୋଗ ପାଇବେ । ଏହି ଆଭାସି ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ ମାମଲାର ରାୟ ଏବଂ ଆଦେଶର ସହ ନକଲ ଉପଲବ୍ଧ ରହିବ । ଏହି ଆଭାସି ଉଚ୍ଚ ନ୍ୟାୟାଳୟର ଉଦ୍ଘାଟନ ସମୟରେ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟରେ ଲଲାଟେନ୍ଦୁ ଜେନା, ଜିଲ୍ଲା ବିଚାରପତି, ବେଣୁଧର ପାତ୍ର, ପରିବାର ନ୍ୟାୟାଳୟ ବିଚାରପତି, ଆନନ୍ଦ ମହାରଣା, ଶ୍ରୀମତୀ ମାଳବିକା ଭୂୟାଁ, ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଗୋପବନ୍ଧୁ ଗଡନାୟକ ଏବଂ ଅନ୍ୟ ବିଚାରପତି ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ସଭାରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସଂପାଦକ ଅଧିକାରୀ ଦନ୍ତା ଏବଂ ସମସ୍ତ ଓକିଲ ବୃନ୍ଦ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
